Unknown

 

 

 

 

 

 

 

 

ଚଉତିଶା ମଧୁଚକ୍ର

(ପ୍ରଥମ ଖଣ୍ଡ)

ଶ୍ରୀ ବିଚ୍ଛନ୍ଦ ଚରଣ ପଟ୍ଟନାୟକ

 

ମୁଖବନ୍ଧ

 

ଉଚ୍ଛ୍ୱସିତ ହୃଦୟଭାବକୁ ବର୍ଣ୍ଣମାଳାର ଚଉତ୍ରିଶ ଅକ୍ଷର କ୍ରମରେ କବିତାରେ ପ୍ରକାଶ କରିବା କଳା-ପ୍ରାଣ କୁଶଳହସ୍ତ ଉତ୍କଳୀୟ ପ୍ରାଚୀନ କବିଗଣଙ୍କର ଗୋଟିଏ ବିଶିଷ୍ଟ ଚାତୁରୀ । ଅଧୁନା ଯେଉଁମାନେ ବିଦେଶୀୟ ଭାବରେ ଅନୁପ୍ରାଣିତ ସେମାନେ କହିବେ ନିରଙ୍କୁଶ ଭାବ ଗୋଡ଼ରେ ଏ କଠୋର ନିଗଡ଼ କାହିଁକି ? କିନ୍ତୁ କଳା ନିୟନ୍ତ୍ରଣକୁ ଅଙ୍ଗଭୂଷଣ ରୂପେ ବରଣ କରିନିଏ, ଯାହାକୁ ନିଗଡ଼ କୁହାଯାଉଛି ତାହା କଳାର ଆତ୍ମବତ ଅଳଙ୍କାର ବିଶେଷ । ଏହା ପୃଥିବୀରେ ଯଦି କୌଣସି ଜାତି ସମ୍ୟକ୍‍ ବୁଝିଥାଏ ତେବେ ସେ ଉତ୍କଳୀୟ ।

 

ଇଉରୋପୀୟ ସାହିତ୍ୟରେ ସନେଟ ବା ଚତୁର୍ଦ୍ଦଶ ପଦୀ କବିତା ଶତ ଶତ ବର୍ଷ ହେଲା ଭାବ ପ୍ରକାଶର ଗୋଟିଏ ବିଶିଷ୍ଟ ସାରଣୀ ବୋଲି ବିବେଚିତ ହୋଇ ଆସୁଅଛି । ତାହାର ଜନପ୍ରିୟତା ଆଜିଯାଏଁ କ୍ଷୁଣ୍ଣ ହୋଇନାହିଁ, ବରଂ ପୃଥିବୀର ଅନ୍ୟାନ୍ୟ ଅଂଶରେ-ଭାରତରେ ମଧ୍ୟ ଚତୁର୍ଦ୍ଦଶପଦୀ କବିତାକୁ କବିମାନେ ନିଜର କରି ନେଉଅଛନ୍ତି । ଉତ୍କଳର ଆଧୁନିକ ଯୁଗରେ କବିମାନେ ମଧ୍ୟ ସନେଟ ଅଥବା ବଙ୍ଗଳା ଅନୁକରଣରେ ସଙ୍ଗୀତହୀନ ଛନ୍ଦବିଶିଷ୍ଟ କବିତା ଲେଖିବାକୁ ଶ୍ଳାଘାର ବିଷୟ ମନେ କରୁଅଛନ୍ତି । କିନ୍ତୁ ହାରେ ଦେଶଜାତ ଚଉତିଶା । ସେମାନଙ୍କର ନାସିକା କୁଞ୍ଚନ କେବଳ ତୋରି ପାଇଁ ସଞ୍ଚିତ ଥାଏ । କହିବା ବାହୁଲ୍ୟ ବିଦେଶାଗତ ପଦାର୍ଥ ପ୍ରତି ଅନିୟନ୍ତ୍ରିତ ମମତା ଓ ସ୍ୱଦେଶଜ ପଦାର୍ଥ ପ୍ରତି କାରଣ-ହୀନ ଘୃଣା ଜାତୀୟ ଅଧଃପତର ଅଭ୍ରାନ୍ତ ଶକୁନ ।

 

କିନ୍ତୁ ଉତ୍କଳୀୟ-ମନ ଉପରେ ଯୁଗଯୁଗାନ୍ତ ଧରି, ଚଉତିଶା ଯେଉଁ ପ୍ରଭାବ ବିସ୍ତାର କରିଅଛି ତାହା ମୁଷ୍ଟିମେୟ କେତେଜଣ ‘ଶିକ୍ଷିତ’ଙ୍କ ନାସାକୁଞ୍ଚନରେ ଉଡ଼ି ଯିବାର ଜିନିସ ନୁହେଁ । ଆଜି ଚତୁର୍ଦ୍ଦିଗରେ ବିଶ୍ୱଭାବ ଯେପରି ବିଚ୍ଛୁରିତ ହୋଇ ପଡ଼ିଅଛି, ଜାତୀୟ ଭାବ ଯେପରି ଅଖଣ୍ଡ ବିଳାସ କରୁଅଛି । ଉତ୍କଳର ସୁପ୍ତ ପୁର ପଲ୍ଲୀକୁ ଜଗାଇବାକୁ ଉତ୍କଳର କବିମାନେ ଯଦି ବିଦେଶୀ-ବ୍ୟାମୋହ ତ୍ୟାଗ କରି ଭାବ ପ୍ରକାଶର ପୂର୍ବ ପୁରୁଷାନୁସୃତ ଜାତୀୟ ମୌଳିକ ସରଣୀ ଚଉତିଶା ଓ ଚଉପଦୀ ଆଦିକୁ ଧରନ୍ତେ ତେବେ ନବୀନ-ଭାବ-ସମ୍ପଦ ବିଶିଷ୍ଟ ଦଳଙ୍କ ମଧ୍ୟରେ ଆବଦ୍ଧ ନ ରହି ସମଗ୍ର ଦେଶର ଦୈନ୍ୟ ଦୂର କରନ୍ତା । ଉତ୍କଳ ତାର ଆତ୍ମାର ଉଦ୍‍ ବୋଧନ ନିମନ୍ତେ ତାର ଜାତୀୟ କବିକୁ ଅପେକ୍ଷା କରୁଅଛି । କିନ୍ତୁ ସେ କାହାନ୍ତି ?

 

ଉତ୍କଳୀୟଗଣ ଅତୀତରେ ଚଉତିଶା ନାମରେ ଯେଉଁ ସବୁ କଣ୍ଠଭରା ଗୀତ ରଚନା କରି ପ୍ରାଣ ତୁପ୍ତ କରିଥିଲେ । ସେମାନଙ୍କର ସଂଖ୍ୟା ଯେ କେତେ ତାହା କହିହେବ ନାହିଁ । ଆମ୍ଭେମାନେ ପ୍ରାୟ ଦୁଇଶତ ଯାଏଁ ଚଉତିଶା ଏ ପର୍ଯ୍ୟନ୍ତ ଆବିଷ୍କାର କରିବାକୁ ସକ୍ଷମ ହୋଇଅଛୁଁ । ସମିତିକୁ ନୂଆ ନୂଆ ପୋଥି ଆସିଲେ ନୂଆ ନୂଆ ଚଉତିଶାର ସନ୍ଧାନ ମିଳୁଅଛି । ପ୍ରାପ୍ତ ସମସ୍ତ ଚଉତିଶାକୁ ଏକତ୍ର କରି ଆମ୍ଭେମାନେ ଉତ୍କଳର ବର୍ତ୍ତମାନ ଓ ଅଜାତ ବଂଶଧରମାନଙ୍କ ଉପଭୋଗ ନିମିତ୍ତ ସେ ଗୁଡ଼ିକୁ ‘ଚଉତିଶା ମଧୁଚକ୍ର’ ନାମକ ପୁସ୍ତକରୂପେ ରଖି ଦେଉଅଛୁଁ । ଉପଭୋଗ ସାମଗ୍ରୀ ଛଡ଼ା ଉତ୍କଳସାହିତ୍ୟର ଇତିହାସଗଠନ ନିମନ୍ତେ ଚଉତିଶା ସବୁ ଅମୂଲ୍ୟ ଉପାଦାନ ଯୋଗାଇବେ ଏପରି ସବୁ ଚଉତିଶା ମିଳୁଅଛିୁ ଯାହ ନିକଟରେ ଓଡ଼ିଶାର ପୁରାତନ କାବ୍ୟମାନ ଦୁଗ୍ଧପୋଷ୍ୟ ଶିଶୁବତ୍‍ ଅର୍ବାଚୀନ । ଚଉତିଶା ସମ୍ପର୍କରେ ଇତିହାସମୂଳକ ବିଶେଷ ଆଲୋଚନା ସମସ୍ତ ଚଉତିଶା ପ୍ରକାଶ ପାଇଗଲେ କରାଯିବ । ଆଜି ଚଉତିଶା ମଧୁଚକ୍ରର ଦଶକୋଷ ବିଶିଷ୍ଟ ଏହି ପ୍ରଥମ ଖଣ୍ଡ ଦେଶବାସୀଙ୍କ ହସ୍ତରେ ସମର୍ପଣ କରି ତନ୍ନିଃସୃତ ଅନିର୍ବଚନୀୟ ମାଧବୀ ଉପଭୋଗ କରିବାକୁ ଆମ୍ଭେମାନେ ସେମାନଙ୍କୁ ସାଦରେ ଆହ୍ୱାନ କରୁଅଛୁ ।

 

ପ୍ରାଚୀ କର୍ମଭବନ

 

ଗଣେଶ ଘାଟ, କଟକ

ଶ୍ରୀ ବିଚ୍ଛନ୍ଦ ଚରଣ ପଟ୍ଟନାୟକ

ତା ୧/୫/୩୧

 

Image

 

ସୂଚୀପତ୍ର

 

୧ମ କୋଷ

-

ରାଧାଦର୍ଶନ ଚଉତିଶା

(ଦୀନକୃଷ୍ଣ)

୨ୟ କୋଷ

-

ଅମୃତନିଧି ଚଉତିଶା

(ଦୀନକୃଷ୍ଣ)

୩ୟ କୋଷ

-

ଅନୁରାଗ ରତ୍ନାକର ଚଉତିଶା

(ଦୀନକୃଷ୍ଣ)

୪ର୍ଥ କୋଷ

-

ଦୃଷ୍ଟାନ୍ତ ଚଉତିଶା

(ଦୀନକୃଷ୍ଣ)

୫ମ କୋଷ

-

ଶ୍ରୀ ରାଧିକାସ୍ମରଣ ଚଉତିଶା

(ଦୀନକୃଷ୍ଣ)

୬ଷ୍ଠ କୋଷ

-

ଉଦ୍ଧବ ଚଉତିଶା

(ଦୀନକୃଷ୍ଣ)

୭ମ କୋଷ

-

ଗୋପୀସନ୍ଦେଶ ଚଉତିଶା

(ଦୀନକୃଷ୍ଣ)

୮ମ କୋଷ

-

ବଉଳ ଚଉତିଶା

(ଦୀନକୃଷ୍ଣ)

୯ମ କୋଷ

-

ବାନ୍ଧବୀ ଚଉତିଶା

(ଦୀନକୃଷ୍ଣ)

୧୦ମ କୋଷ

-

ନବଘନ ଚଉତିଶା

(ଦୀନକୃଷ୍ଣ)

Image

 

ରାଧାଦର୍ଶନ ଚଉତିଶା

 

ପ୍ରଧାନତଃ ଦୀନକୃଷ୍ଣ ବିରହୀଗୋପୀଭାବର କବି । ରସକଲ୍ଲୋଳର ପର୍ଯ୍ୟବସାବ ମଧ୍ୟ ବିରହରେ । ନବାବିଷ୍କୃତ ଏହି କେତୋଟି ଚଉତିଶାରୁ ସ୍ପଷ୍ଟ ଜଣାଯାଏ । ଦୀନକୃଷ୍ଣ ମଧୁର ପ୍ରୀତିରସର ମଧ୍ୟ ବିଳାସୀ ଥିଲେ । ମିଳନ ଓ ବିରହ ଉଭୟ ଅବସ୍ଥାର ବର୍ଣ୍ଣନରେ ଦୀନକୃଷ୍ଣଙ୍କ ଭାବାବେଶ ସମାନ । ତେଣୁ ତାଙ୍କର ଚଉତିଶାମାନଙ୍କରେ ଗୋପୀ-ସଙ୍ଗ-ଲାଳସୀ ଶ୍ରୀକୃଷ୍ଣଙ୍କ ଆବେଗମୟ ଅନୁରାଗ ଓ କୃଷ୍ଣ-ବିରହିଣୀ ଗୋପିକା ଓ ଗୋପିନୀ-ବିରହୀ ଶ୍ରୀକୃଷ୍ଣଙ୍କ ବିରହର ଉଦ୍‌ବେଗମୟ ଉଚ୍ଛ୍ୱାସ ସମାନ ଦକ୍ଷତା ସହ ଚିତ୍ରିତ । କବିତା ଦିଗକୁ ଦେଖିଲେ ରାଧାଦର୍ଶନ ଚଉତିଶା ଓଡ଼ିଆ ସାହିତ୍ୟ ଭଣ୍ଡାରର ଗୋଟିଏ ଅତି ଉଚ୍ଛୁଳ ରତ୍ନ ।

 

କୃଷ୍ଣ କହିନ୍ତି ଦୂତୀକି କର ଗମନ କତିକି

କହ ମୋତେ ଗଲା କାହା ନନ୍ଦିନୀ ସେ ରୂପ ନିନ୍ଦୁଛି ରତିକି

ଆରେ ସଖି ।୧।

ଖେଳାଇ ଖଞ୍ଜନ ଆଖି ଖରେ ଲେଉଟାଇ ରଖି

ଖୀଣଉଦରୀ ମୋ ମନ-ନୟନକୁ କଲା ଅତି ମହାସୁଖୀ

ଆରେ ସଖି ।୨।

ଗତି ଗଜରାଜ ଜାଣି ଗୁଣୁଛି ସେ ଗୁଣମଣି

ଗଙ୍ଗାଧରରିପୁ-ମହାନଦୀ କି ସେ ଅଝାଲ ହେମତରଣୀ

ଆରେ ସଖି ।୩।

ଘାଗୁଡ଼ି ବଳା ନୂପୁର ଘନ ଘନ ନାଦ ତାର

ଘୁଞ୍ଚାଇ ଦେଉଛି ମହାନାଦ କଳ ମରାଳ ଡ଼ାକ ଡମ୍ୱର

ଆରେ ସଖି ।୪।

ନୋହିଲା ପିଛାଡ଼ି ଆଖି ନାଗରୀମଣିକି ଦେଖି

ନୀଳକଣ୍ଠକୁ କେ କେତେ ସେବା କରି ପାଇଛି ସେ ଚନ୍ଦ୍ରମୁଖୀ

ଆରେ ସଖି ।୫।

ଚାରୁ ଚମ୍ପକବରନୀ ଚତୁରୀ ଚିତ୍ତମୋହିନୀ

ଚନ୍ଦ୍ରାର୍ଦ୍ଧଭାଲେ ଗନ୍ଧ ଊର୍ଦ୍ଧ୍ୱତିଳକ କି କରିଅଛି ସେ ଘେନି

ଆରେ ସଖି ।୬।

ଛାଡ଼ିବେ ଯୋଗୀ ସମାଧି ଛଣେ ତା ଦେଖିବେ ଯଦି

ଛତିବିତ ହୋଇ ରତିପତି ଶରେ କର୍ମରେ ହେବେ ବିବାଦୀ

ଆରେ ସଖି ।୭।

ଜମ୍ୱୂନଦ କଳେବର ଜଳି ଉଠୁଅଛି ତାର

ଯାହା ବୋଲ ବୋଲ ସଜନି ତାହାକୁ ଜଗନ୍ନାଥହିଁ ସେ ବର

ଆରେ ସଖି ।୮।

ଝଟକେ ତାଟଙ୍କ ଗଣ୍ଡେ ଝିମଣ୍ଟକେ ଦୁଖ ଖଣ୍ଡେ

ଝଟତି ଦେଖିଲେ ଫୁଲଶର ଶର ଦିଅଇ ଫୁଲ କୋଦଣ୍ଡେ

ଆରେ ସଖି ।୯।

ନାହିଁ ତାହା ସମାନରେ ନବ ପଞ୍ଚଭୁବନରେ

ନିଶ୍ଚେ ଜାଣିଲି ସେ କାମଜୟରଥ ଜନମିଛି କପଟରେ

ଆରେ ସଖି ।୧୦।

ଟେକ କୁଚ-କୁମ୍ଭ ଦୁଇ ଟାଣଭରେ ଟେକି ହୋଇ

ଟିକାଏ ଦୃଷ୍ଟି-ସୂର୍ଯ୍ୟଙ୍କୁ ଚକ୍ରବାଡ଼ ପ୍ରାୟେ ନ ଦେଖାଇ ମହୀ

ଆରେ ସଖି ।୧୧।

ଠାବ କଲି ଏତେ କାଳେ ଠିକ ରାଜଯୋଗବଳେ

ଠଣ ପଦ୍ମକୋଳେ ଖଞ୍ଜନ ଯୁଗଳ ଖେଳିବା ଦେଖିଲି ଡୋଳେ

ଆରେ ସଖି ।୧୨।

ଡାଳିମ୍ୱବୀଜ-ଦଶନୀ ଡ଼ମ୍ୱରୁ-ମଧ୍ୟା-ଶୋଭିନୀ

ଡମ୍ୱର କରି ଡାଳିମ୍ୱନେତେ ପିନ୍ଧି ମଣ୍ଡି ଯାଉଛି ମେଦିନୀ

ଆରେ ସଖି ।୧୩।

ତମ କହୁନାହିଁ ତୋତେ ଢଳି ଅନାଇଲା ମୋତେ

ତାଳ ଚାହାଣୀ ଭାବ ଦେଇ ମନକୁ ନେଲା ସଙ୍ଗତେ ସଙ୍ଗତେ

ଆରେ ସଖି ।୧୪।

ଆହା ସେ ରଙ୍ଗ ଅଧର ଅନଙ୍ଗ ଅମୃତ ଘର

ଅରୁଣ କୋଳେ ଚନ୍ଦ୍ରକଳା ରହିଲା ପ୍ରାୟେ ହସରେ ସୁନ୍ଦର

ଆରେ ସଖି ।୧୫।

ତରୁଣୀ-ମଣି ସେ ରାମା ତିନିଲୋକ-ସୁଖ-ସୀମା

ତାହାକୁ ସେହି ଉପମା ଯାହା ଘେନି କାମର ମହା ଗାରିମା

ଆରେ ସଖି ।୧୬।

ଥରକୁ ଥର ବଳିବା ଥିରେ ତା କେତେ କଳିବା

ଥଳପଦ୍ମ ତୋଳି ବିଞ୍ଚିଲା ପରାୟେ ଦିଶଇ ପାଦ ଚାଳିବା

ଆରେ ସଖି ।୧୭।

ଦିଶୁଥିଲା ବନ୍ଧୁ ଦୂରେ ଦେଖୁ ଦେଖୁ ହେଲା ପୁରେ

ଦେହ ଅଦେହ ଦେହ କରିଗଲା ସେ ଅନାଇବା ମାତ୍ରକରେ

ଆରେ ସଖି ।୧୮।

ଧନ୍ୟ ସେ ଭୁରୂଭଙ୍ଗିମା ଧନ୍ୟ ନେତ୍ର ସୁରଙ୍ଗିମା

ଧନୁଶର ଧରି ମଦନ ଚଜିଲା ପରାୟେ ସେ ତରଙ୍ଗିମା

ଆରେ ସଖି ।୧୯।

ନୟନେ ମୋର ରହିଲା ନିର୍ମ୍ମଳ ସୁଖ ସେ ଦେଲା

ନାନା ସୁବିଦ୍ୟା ଅଙ୍ଗରେ ଥିବାପ୍ରାୟେ ଲେଶେ ତ ଭାରୀ ନୋହିଲା

ଆରେ ସଖି ।୨୦।

ପରମାନନ୍ଦ ସମ୍ପତ୍ତି ପାଇଲା ପରାଏ ମତି

ପରମେଶ୍ୱରଙ୍କ ମହିମାରୁ ଆଜ ପାହିଲା କି ଯୋଗେ ରାତି

ଆରେ ସଖି ।୨୧।

ଫୁଲ୍ଲ-ତିଳ-ଫୁଲ ନାସା ଫୁଲାଇ କହିବା ଭାଷା

ଫେଡ଼ି କି କହିବି ଶୁଣିଲାରୁ ମୋର ଦେଲା ସୁରଗୁରୁ ଦଶା

ଆରେ ସଖି ।୨୨।

ବଡ଼ ଲୋକ ତାକୁ କଲି ବିକି ହେଲା ପ୍ରାୟେ ହେଲି

ବିଷମଶର ଏତେକେ ବିନ୍ଧି ଘେନି ଅଇଲା ଏଠାକୁ ବୋଲି

ଆରେ ସଖି ।୨୩।

ଭାଗ୍ୟେ ଥିଲା ମୋର ଯେତେ ଭଲେ ଅନାଇଲି ମୋତେ

ଭବରିପୁଭୟ ଭାବିବାକୁ ତାହା ଭରସା କରିଛି ତୋତେ

ଆରେ ସଖି ।୨୪।

ମହାଯୋଗେ ଯୋଗୀ ଥିବ ମୁହୂର୍ତ୍ତେ ତାକୁ ଦେଖିବ

ମହତ କରି କହୁଛି ମହାଦେବ ସତ୍ୟ ମୁଖୁଁ ନ ବର୍ତ୍ତିବ

ଆରେ ସଖି ।୨୫।

ଯୁବତୀ ଜନଙ୍କ ସଙ୍ଗେ ଯାଉଥିଲା କଥାରଙ୍ଗେ

ଜାତି ପଦ୍ମିନୀ ଅଙ୍ଗ ସଉରଭକୁ ବେଢ଼ିଥିଲେ ପାଶେ ଭୃଙ୍ଗେ

ଆରେ ସଖି ।୨୬।

ରମଣୀ-ମଣି ସୁଶ୍ରୋଣୀ ରଚିଛି ରୁଚିର ବେଣୀ

ରଣରଣଙ୍କ ରଣ-ରଥଶିରେ କି ନୀଳପତାକା ମଣ୍ଡଣି

ଆରେ ସଖି ।୨୭।

ଲେଖିଛି କସ୍ତୁରୀ ରେଖ ଲଲାଟର ଦୁଇପାଖ

ଲଳିତ ଅଳକାବଳି କି ଘେନି ସେ ମୁଖ ଦେଉଛି କି ସୁଖ

ଆରେ ସଖି ।୨୮।

ବିଧାତା ବଡ଼ ହୁଡ଼ିଲା ବିବେକ ପଣ ଛାଡ଼ିଲା

ବସୁଦେବ ପୁଅ ବାସୁଦେବକୁ ତ ବେଳୁ ଏହା ନ ଯୋଡ଼ିଲା

ଆରେ ସଖି ।୨୯।

ସବୁ ଅଙ୍ଗେ ଶୋଭା ଶିରୀ ସମ ହୋଇଅଛି ପୂରି

ସର୍ବାଙ୍ଗ ଅଳଙ୍କାରକୁ ସୁନ୍ଦରତା କରିଅଛି ସେ ସୁନ୍ଦରୀ

ଆରେ ସଖି ।୩୦।

ସତେହେ ଏମନ୍ତ ହେବ ଶୁଭଯୋଗ ଯେବେ ଥିବ

ଶଶୀ-ଶେଖର ଦୟା କଲେ ଅବା ସେ ଶଶୀମୁଖୀ ଦେଖାଦେବ

ଆରେ ସଖି ।୩୧।

ଶୁଣି ହସି କହେ ଦୂତୀ ସେ ବୃଷଭାନୁ-ଦୁହିତୀ

ସେହି ତ ତୁମ୍ଭଙ୍କୁ ଦେଖିବା ନିମନ୍ତେ ମନ କରିଥାଇ ନିତି

ଆହେ କାହ୍ନୁ ।୩୨।

ହର ଗଉରୀ ପୂଜଇ ହୃଦେ ତୁମ୍ଭଙ୍କୁ ଭଜଇ

ହଂସଗମନୀ ତୁମ୍ଭ କଥା ଶୁଣିଲେ ସମସ୍ତ କଥା ତେଜଇ

ଆହେ କାହ୍ନୁ ।୩୩।

କ୍ଷେମେ ବିଜେ କର ଧୀରେ କ୍ଷୋଭ ନ ଧରି ମନରେ

କ୍ଷେମେ ଦୀନକୃଷ୍ଣ ବୋଲେ ଭେଟ ଦେବ ଛାୟାପତି-ସୁତାଠାରେ

ଆହେ କାହ୍ନୁ ।୩୪।

Image

 

ଅମୃତନିଧି ଚଉତିଶା

 

ରାଧାଦର୍ଶନ ଚଉତିଶା ପରି ଅମୃତନିଧି ଚଉତିଶା ମଧ୍ୟ ଦୀନକୃଷ୍ଣଙ୍କ ମଧୁର ପ୍ରୀତିରସର କବିତା । ପ୍ରେମିକ ଚୂଡ଼ାମଣି ରସରାଜଶେଖର ଶ୍ରୀକୃଷ୍ଣଙ୍କ ପ୍ରେମାମୃତମୟ ହୃଦୟ ଶ୍ରୀରାଧାଙ୍କ ବିମୋହନ ଅଙ୍ଗଲାବଣ୍ୟର କବିଜନୋଚିତ ଅସାର ତୁଳନାରେ ବ୍ୟଥା ପାଇ ଏହି ଚଉତିଶାର ପ୍ରତି ଛତ୍ରରେ ବିଚଳିତ ହୋଇ ବହିଗଲାପରି ବୋଧ ହୁଏ । ଧନ୍ୟ ଦୀନକୃଷ୍ଣା ଧନ୍ୟ ତୁମ୍ଭର ରକ୍ତିମୟୀ କବିତା-କଳା । ଭଗବତ୍‌ କୃପା ବଶତଃ ତୁମ୍ଭର ଜଞ୍ଜାଳକ୍ଲିଷ୍ଟ ହୃଦୟ ବିମଳ ଭକ୍ତି-ରସରେ ଭରପୂର ହୋଇ ନ ଥିଲେ କବିତାର ଏ ସୁଧାଧାର ଆଜି ଉତ୍କଳର ମନପ୍ରାଣ ଆପ୍ଳୁତ କରିବାର ସୁଯୋଗ ଘଟି ନ ଥାନ୍ତା ।

 

କାଳିନ୍ଦୀକୂଳେ ରାଧାଙ୍କୁ ଦେଖି

କୃଷ୍ଣ ବୋଲିନ୍ତି ରେ ପ୍ରିୟସଖି !

କେ ବୋଲଇ ତୋତେ ପ୍ରଫୁଲ୍ଲ କମଳ

କନକ ଦର୍ପଣ ଚନ୍ଦ୍ରମୁଖୀ ରେ

ପ୍ରାଣସଖି !

କି ତାହାର ଆଜନ୍ମରୁ ନାହିଁ ଆଖି ରେ ।

କି ତୋ ଭ୍ରୂଭଙ୍ଗୀ ଚାହାଣୀ ନାହିଁ ଦେଖି ରେ ।

କର୍ଣ୍ଣେ ଏହା ଶୁଣି ହୋଉଥାଇ ଦୁଖୀ ରେ ।୧।

 

ଖଳ ଲୋକଙ୍କର ଖଳ ବୋଲ

କ୍ଷଣେ ହେ ସଂସାରେ ନୋହେ ଭଲ

ଖଞ୍ଜନ୍ତି ପଶ୍ୟ ତୋହୋର ପ୍ରାୟେ କାଚ

କାଞ୍ଚନ ସଙ୍ଗତେ କରି ତୁଲ ରେ

ଜୀବଧନ !

ଖୋଜି କହିବି କେତେ ମୁଁ ସେ ବଚନ ରେ

ଖେଦ ଲଭୁଥାଇ ଏହି ଘେନି ମନ ରେ

ଖୀଣୋଦରି ! ତୋ ମୁଖକୁ କେ ସମାନ ରେ ।୨।

ଗୁରୁଯଉବନି ! ଏବେ ଶୁଣ

ଗୁଣିଲେ ତାହାଙ୍କ ଅବିଗୁଣ

ଗଗନ-ନକ୍ଷତ୍ର ପ୍ରାୟେ ନ ସରିବ

ଅଧିକ କହିବା କି କାରଣ ରେ

ଗୁଣନିଧି !

ଗୁଣି କହିବି ତାହାଙ୍କ ଗତିବିଧି ରେ

ଗଲା ଜଳକୁ ଯେ ପଦ୍ମ ତପ ସାଧି ରେ

ଗାଢ଼େ ଶିଶିର ତାହାକୁ ଦେଲା ବାଧି ରେ ।୩।

ଘର୍ମକର-କର-ତାପ ସହି,

ଘୋର ତପସ୍ୟା ବଳରୁ ସହୀ

ଘଟଣ-ଆନନୀ ଶ୍ରୀଅଙ୍ଗ-ସୁବାସ

ଦେଲା କିଛି ଏବେ ଅଛି ବହି ରେ

ଘନସ୍ତନି !

ଘସ୍ରେ ବିକାଶ ହୁଅଇ ଏହି ଘେନି ରେ

ଘୁଞ୍ଚିଯାଇ ଶୋଭା କାହିଁ ନିଶିଥିନୀ ରେ

ଘଡ଼ି ତ ନ ରହଇ ତା ଘେନାଘେନି ରେ ।୪।

ନିକଷରେ ଆଗ କଷି ହୋଇ

ନିଆଁରେ ଝାସେ ସୁବର୍ଣ୍ଣ ଯାଇଁ

ନରହାଥେ ପଡ଼ି ଦର୍ପଣ ହୋଇ ତ

ମନକୁ ତର୍ପଣ କଲା ନାହିଁ ରେ

ନିତମ୍ୱିନି !

ନିଶ୍ଚେ ନାଶ ଯାଇ ହେଲେ ଅଭିମାନୀ ରେ

ନିସ୍ତରିଲା ତୋହୋ ମୁଖ ଛାୟା ଘେନି ରେ

ନୋହୁ କଉଁ କାଳରେ ତୁ ସୁଖଦାନୀ ରେ ।୫।

ଚତୁରୀମଣି ! ତୁ ଶୁଣ ଏବେ

ଚକ୍ରଧର ବେଶ ଧରି ପୂର୍ବେ

ଚ୍ୟୁତ ହେଲା ପୁଣ୍ଡରୀକ ବାସୁଦେବ

ପରାଏ ହୋଇଲା ଚନ୍ଦ୍ର ଏବେ ରେ

ଚଞ୍ଚଳାକ୍ଷି !

ଚାରୁବଦନକୁ ହେବ ବୋଲି ଲଛିରେ

ଚକ୍ଷୁଆଗେ ହରିଣକୁ ବହିଅଛି ରେ

ଚିତ୍ତମୋହିବା ଚାତୁରୀ ନାହିଁ କିଛି ରେ ।୬।

ଛଟକ ଚାହାଣୀ ଭାବ ତୋର

ଛଇଳ ମୋହନ ସୁଖଘର

ଛାର କରଇ ଯେ ମଦନ ଶରକୁ

ଆଉ କଥା ଅବା କେତେ ଦୂର ରେ

ଛୀଣୋଦରି !

ଛଳି କହି ବସିଲେ ତୋ ନେତ୍ରଶିରୀ ରେ

ଛିଡ଼ିଯିବ ସିନା ଚନ୍ଦ୍ର କଥା ଡୋରୀ ରେ

ଛୀରେ ଘୃତ ପରାୟେ ଯେ ଅଛି ପୂରି ରେ ।୭।

ଯାହା ଚନ୍ଦ୍ରପକ୍ଷେ କ୍ଷୀଣ ହୋଏ,

ଜାଣିଲେ ସେହିଟି ଦଣ୍ଡ ପାଏ

ଯାମିନୀ ଜ୍ୟୋତି ଦିବସରେ ନ ଥାଇ

ତିଥି ଭେଦେ ରାହୁ ଘାତ ପାଏ ରେ

ଜାଣୁମଣି !

ଜଳନିଧିସୁତ ପଣେ ବହି ଆଣି ରେ

ଯାଇଁ ମହାଦେବ ଶିରେ ହୋଏ ମଣି ରେ

ଯୋଗ୍ୟ ନୋହିଲେ ନେମାକୁ ମୁଖଠାଣି ରେ ।୮।

ଝସକେତୁସଖା ଭାବେ ଥାଇ,

ଝିମନ୍ତେ ଉପ୍ରୋଧ କରେ ନାହିଁ

ଝାଡ଼ ଅନଳ ଚନ୍ଦନକୁ ଦହିଲା

ପ୍ରାୟେ ପଦ୍ମିନୀକି ନ ତେଜଇ ରେ

ଝଳିଗୋରି !

ଝୁରୁଥାଇ ତୋ ମୁଖକୁ ନୋହି ସରି ରେ

ଝାସଇଟି ପ୍ରତିଦିନେ ସିନ୍ଧୁବାରି ରେ

ଝଗଡ଼ୁଛି ତା ମନକୁ ଅନୁସରି ରେ ।୯।

ନିରନ୍ତରେ ଏକା ଭ୍ରମୁଥାଇ,

ନ ରହଇ କାହିଁ ଥିର ହୋଇ

ନିଶ୍ଚେ ଜାଣିଲି ଯେ ଜନମୁଁ କୁଟିଳ

ନିନ୍ଦାରୁ ତାହାର ଭୟ ନାହିଁ ରେ

ନତଅଙ୍ଗି !

ନତବ୍ରତଦିନୁଁ ତୋର ମୋର ସଙ୍ଗୀ ରେ

ନାନା ଭାବେ ତୁ ମୋତେ କରିଛୁ ରଙ୍ଗୀ ରେ

ନୁଛି ଯାଇ କି ନା ତୋର ଭୁରୂଭଙ୍ଗୀ ରେ ।୧୦।

ଟେକି ତୁ ଚାହିଁଲେ ଭୁରୂଲତା

ଟଳିଯିବେ ମହା ଊର୍ଦ୍ଧ୍ୱରେତା

ଟେକେ କହୁଛି ଦମ୍ଭକୁ ଅବଲମ୍ୱ

କରିବ କେ ଏଡ଼େ ବିବେକତା ରେ

ଟେକସ୍ତନା !

ଟାଣ କବିମାନେ ହୋଇ ଦୁଷ୍ଟମନା ରେ

ଟେକିଥାନ୍ତି କାମଦେବଧନୁ ସିନା ରେ

ଟାହି ପ୍ରାୟେ ତାଙ୍କ ବୋଲ ନୁହଇ ନା ରେ ।୧୧।

ଠାବ କଲି ଏତେ କାଳେ ଆସି

ଠିକେ ଯେ ଜଳରେ ଯାଏ ଭାସି

ଠୁଳ ଭୟେ ସବୁ ଅବଲମ୍ୱ କଲା

ପ୍ରାୟେ କବି ହେଲେ ସବୁଭାଷୀ ରେ

ଠାକୁରାଣୀ !

ଠାବ କରି ତୋ ଅଙ୍ଗକୁ ପୁଣ ପୁଣି ରେ

ଠେସି ପକାଇଲି ଏବେ ତାଙ୍କ ବାଣୀ ରେ

ଠିଆ ହେବାକୁ ତାଙ୍କର ନାହିଁ ଆଣି ରେ ।୧୨।

ଡକାଇତ ପ୍ରାୟେ କବିରୀତି

ଡୋଳେ ଦେଖୁ ଦେଖୁ ନ ଚିହ୍ନନ୍ତି

ଡାକୁଥାନ୍ତି ମୋର ଡୋଳାପ୍ରତିମାକୁ

ଖଞ୍ଜନ-ହରିଣ-ମୀନ-ନେତ୍ରୀ ରେ

ଡୋଳେଶ୍ୱରି !

ଡେରି ହୋଏ ରୋମ ଏହା ଶୁଣି କରି ରେ

ଡହେ ଅଙ୍ଗକୁ ସେ ବୋଲ ଯେଡ଼େ କରି ରେ

ଡଙ୍କ ଲାଗିଲେ ନୋହିବ ଏତେ ସରି ରେ ।୧୩।

ତମ କରି କହୁ ନାହିଁ ସଖି !

ଢାଳି ଅନାଇଲେ ଯଉଁ ଆଖି

ଢୋକିଲା ଅମୃତ ଆସ୍ୱାଦିଲା ପ୍ରାୟେ

ମନକୁ କରଇ ମହାସୁଖୀ ରେ

ଢାଳନେତ୍ରି !

ଢାଳେ ତୋହୋ ଘେନି ସିନା କାମ ଛତ୍ରୀ ରେ

ତମପଣେ ଧରିଥାଇ ଫୁଲପତ୍ରୀ ରେ

ଢାଳିବାକୁ ଦମ୍ଭକୁ ସେ ମହାମନ୍ତ୍ରୀ ରେ ।୧୪।

ଏକଥା ନୋହଇ ଅପ୍ରମାଣ,

ଆନନ୍ଦ-ଦାୟିନି ! ଏବେ ଶୁଣ

ଅଭିସାର ତୋର ନୋହିଥିଲାକୁ ଟି

ମହାଦେବଠାରେ ଗଲା ପ୍ରାଣ ରେ

ଅଳକିନି !

ଏବେ ତୁ ତାହାର ମୃତ୍ୟୁସଞ୍ଜୀବନୀ ରେ

ଏହି ନୟନଦ୍ୱାରେଟି ତାହା ଚିହ୍ନି ରେ

ଆଉ ଅଛି ନିକି ତୋର ପରା ଦାନୀ ରେ ।୧୫।

ତୋ ନେତ୍ରତରଙ୍ଗ ହାବ ଭାବ

ତୁଚ୍ଛ ଜୀବ ଛାର କାହୁଁ ହେବ ?

ତେରଛେ ଚାହିଁବା କି କହିବା ଯହିଁ

ବ୍ରହ୍ମାପାଏ କାମ ପରାଭବ ରେ

ତ୍ରିବଳିନି !

ତୋହୋ ନୟନର ଯଉଁ ଘେନାଘେନି ରେ

ତାହା କହିବି କଉଁ ଯୋଗ୍ୟତା ଘେନି ରେ

ତେଡ଼େ ଭାଗ୍ୟ ମୋର କାହିଁ ଅଛି ଧନି ! ରେ ।୧୬।

ଥିରାମଧ୍ୟେ ଦମ୍ଭ ହତ ବାନା

ଥିବ ତ ନାହିଁ ଏ ନେତ୍ରବିନା

ଥମ୍ୱନ ମୋହନ ବଶ ଉଚ୍ଚାଟନ

ଜାତ କରିବାକୁ ଏହି ସିନା ରେ

ଥିରଗତି !

ଥରେ ଥରେ କରଇ ଏ ଯଉଁ ଗତି ରେ

ଥାଣୁ ଦେଖି କାମେ ହେବ ଛତିବିତି ରେ

ଥାଉ ଆଉ ଲୋକର ବା କେତେ ଥାତି ରେ ।୧୭।

ଦେଖିଲେ ଯେ ହୋଏ ସୁଖକର

ଦେଇ ସିନା ତାକୁ ପଟାନ୍ତର

ଦୂରେ ଥାଇ କବି ବଚନ କହୁଛି

ତୋ ନେତ୍ର ନିଶ୍ଚେ ବୈକୁଣ୍ଠପୁର ରେ

ଦିବ୍ୟଗୋରି !

ଦଇବେହେଁ ତ ବିଷ୍ଣୁର ମନୋହାରୀ ରେ

ଦୟାନିଧିଦୟା ଥିଲେ ଦେଖିପାରି ରେ

ଦୁଖ ଅଛି ବୋଲି ମନେ ନ ବିଚାରି ରେ ।୧୮।

ଧଳା କଳା ରଙ୍ଗେ ଶୋଭା ପାଏ

ଧାତା ହରି ହର ସଙ୍ଗ ପ୍ରାୟେ

ଧନ୍ୟ ଧନ୍ୟ ତାର ଜନମର ଭାଗ୍ୟ

ଯାହାର ଏ ଦରଶନ ହୋଏ ରେ

ଧୃତିଧ୍ୱଂସି !

ଧରଣୀରେ ତୋର ନେତ୍ର ପରଶଂସି ରେ

ଧୀର ହୋଇ ଏହା ଚାହୁଁଥିବା ବସି ରେ

ଧର୍ମ-ଅର୍ଥ-କାମ-ମୋକ୍ଷ-ଫଳଦୃଶୀ ରେ ।୧୯।

ନିରତେ ବଢାଇ ପ୍ରେମପ୍ରୀତି

ନ ଛାଡ଼ଇ ଅନୁରାଗ ରୀତି

ନିଶ୍ଚେ ଜାଣିଲି ରେ ନୟନ-ପ୍ରତିମା

ତୋ ନେତ୍ର ନାଗରୀ ରସବତୀ ରେ

ନବଯୁବା !

ନାନା ଗତିରୁ ଏ ନୃତ୍ୟକାରୀ ଅବା ରେ

ନୀଳକଣ୍ଠଠାରେ କରି ପୂର୍ଣ୍ଣ ସେବା ରେ

ନିରନ୍ତରେ ଏହି ଶୋଭା ଦେଖୁଥିବା ରେ ।୨୦।

ପଡ଼ିଲେ ଏ ନେତ୍ରେ ନେତ୍ରଗତେ

ପ୍ରତେ ହୋଉଥାଉ ମନେ ଏତେ

ପାକଶାସନ- ସମ୍ପତ୍ତିକି ପ୍ରଶଂସା

କରୁଥାନ୍ତି ଲୋକେ କି ନିମନ୍ତେ ରେ

ପ୍ରାଣମଣି !

ପରମାନନ୍ଦ ସୁଖକୁ ଦେବା ଆଣି ରେ

ପ୍ରତିକ୍ଷଣେ ଦହଇ ଏ ନେତ୍ରଠାଣି ରେ

ପ୍ରତି ଅଙ୍ଗ ପୁଲକାଇ ପୁଣ ପୁଣି ରେ ।୨୧।

ଫୁରୁଛି ମନରେ ଆସି ଯେତେ

ଫେଡ଼ି ତା ଅବା କହିବି କେତେ

ଫାଇ ଲମ୍ୱ ପାଇ ତରଙ୍ଗ ଭାବରୁ

କ୍ଷୀରସିନ୍ଧୁ ପ୍ରାୟେ ହୋଏ ପ୍ରତେ ରେ

ସ୍ଫୁଟମୁଖି !

ଫୁଲ୍ଲ ଅରବିନ୍ଦେ ଫୁଲଲିଟ ଦେଖି ରେ

ଫୁରୁଣାରେ ଲକ୍ଷି କବି ହୋଏ ସୁଖୀ ରେ

ଫଳ ଏ ବାହାରେ ଆଉ ନାହିଁ ସଖି ରେ ।୨୨।

ବିବେକ ଛାଡ଼ଇ ଯଉଁଜନ

ବଡ଼ ହେଲେ ତାକୁ ବୋଲି ସାନ

ବିଚାରି ବିଚାରି ବୋଲନ୍ତି ତୋ ନେତ୍ର

ଖଞ୍ଜନ ଚକୋର ମୃଗ ମୀନ ରେ

ବରାଙ୍ଗନା !

ବୁକୁ ହାଣି ହୋଏ ଏହା ଶୁଣି ସିନା ରେ

ବ୍ରହ୍ମା ଯାହା ଦେଖି ହେବ ହତମନା ରେ

ବଚନରେ ତାହା କରି ଏତେ ଅନା ରେ ।୨୩।

ଭାବ ନ ଜାଣଇ ଯଉଁଲୋକ

ଭଲ ମନ୍ଦ ତାର ହୋଏ ଏକ

ଭୋଖୀ ଭ୍ରମର ଠାରୁ ଜଣାଗଲା ସେ

ଅଧିକ କହିବା କଉଁ ଟେକ ରେ

ଭାବନିଧି !

ଭାବୁ ଥାଉ ଏହିକଥା ନିରବଧି ରେ

ଭ୍ରମ ହେଲା କାହିଁପାଇଁ ଧାତାବୃଦ୍ଧି ରେ

ଭଲ କଥାରେ ଅଭଲ କଲା ସିଦ୍ଧି ରେ ।୨୪।

ମଦାଳସୀ ମୁଖ ନେତ୍ର ଛବି

ମୋହୋ ବୁଦ୍ଧି କେତେ ମୁଁ କହିବି ?

ମହାଯୋଗୀ ମହା ଦମ୍ଭ ଧରାଧର

ମର୍ଦ୍ଦିବାକୁ ଯେହୁ ମହାପବି ରେ

ମନ୍ଦହାସି !

ମନେ ଏମନ୍ତ ସଂପ୍ରତେ ହୋଏ ଆସି ରେ

ମନ୍ଦାକିନୀରେ ଯମୁନା ବହେ ମିଶି ରେ

ମହାସୁଖ ଉପରେ ଏ ସୁଖରାଶି ରେ ।୨୫।

ଯେମନ୍ତ ମୋ ସଙ୍ଗେ ରାମ ଥିଲେ

ଜଗତ ଆନନ୍ଦ ହୋଏ ଭଲେ

ଜଗମୋହନି ! ମୋ ନେତ୍ରକୁ ତୋ ନେତ୍ର

ସେହିରୂପେ ଆଜ ସୁଖ ଦେଲେ ରେ

ଜୀବଧନ

ଯାହା ହୋଉଛି ଏବେହେଁ ମୋହୋ ମନ ରେ

ଯେବେ ସର୍ବଦା ହେବ ତୋ ଦରଶନ ରେ

ଯଦୁବଂଶେ ସମ୍ଭବିବା ମୋର ଧନ୍ୟ ରେ ।୨୬।

ରମଣୀମଣି ତୋ ସ୍ମିତବାଣୀ

ରଙ୍ଗିମା ଅଧର ଦନ୍ତଶ୍ରେଣି

ରୁଚି ରୁଚିର ଉଚ୍ଚକୁଚ ପ୍ରଶଂସା

କୁହାଇ ନ ଦେଲା ନେତ୍ର ଆଣି ରେ

ରସିକିନି !

ରାଗବନ୍ତ କୃଷ୍ଣ ଗୁଣ ଭାବ ଘେନି ରେ

ରତି ପକ୍ଷପାତେ ସିନା ହୋଇ ମାନୀ ରେ

ରାତ୍ର ଦିବସ ଏ ମୋର ସୁଖଦାନୀରେ ।୨୭।

ଲଳିତ ଲୋଳ ମହିମା ଯେତେ

ଲକ୍ଷିବାକୁ ଦିଶୁ ନାହିଁ ମୋତେ

ଲୋଭ କରି ମୃଗତୃଷ୍ଣା ତଡ଼ିତକୁ

ବୋଲିବା କଥା ହିଁ ଅବା କେତେ ରେ

ଲୀଳାବତି !

ଲାଗିଥାଉ ମୋତେ ଏ ନୟନ-ପ୍ରୀତି ରେ

ଲୋକନାଥ କରିଥାଉ ଏହି ମତି ରେ

ଲାଭ ଏ ବାହାରେ ଆଉ ନାହିଁ ଛିତି ରେ ।୨୮।

ବାସୁଦେବ-ସ୍ନେହବାଣୀ ଶୁଣି

ବୋଲେ ବ୍ରଜବଧୂ-ଶିରୋମଣି

ବେଭାରେ ରସିକ ନାଗର ରସନ୍ତି

ଗୁଣବନ୍ତ ନାରୀ ଭାବ ଆଣି ହେ

ବନମାଳୀ !

ବଡ଼କରି ଯେତେ ସ୍ତିରୀ ଫୁଲ ପାଳି ହେ

ବଢେ ତେତେ ରୂପେ ସୁଖ ଭୋଗ କେଳି ହେ

ବଳି କହିବି ଅବା ତା କେତେ ଭାଳି ହେ ।୨୯।

ସୁମନା ସୁମନ ସୁମନସ

ସବୁ ରୂପେ ଯେବେ କରି ଦୋଷ

ସୁଖ ସମ୍ପତ୍ତି ବହୁତ କରି ଭୋଗ

କରନ୍ତି ବିବେକ ସୁପୁରୁଷ ହେ

ଶ୍ୟାମଘନ !

ସବୁଦିନେ ଥିବ ଏହି ଅବଧାନ ହେ

ସପନେହେଁ ମନେ ନ କରିବି ଆନ ହେ

ସବୁକରି ମାଗୁଛି ମୁଁ ଏହି ଦାନ ହେ ।୩୦।

ସରସ-ସନ୍ଦର୍ଭ-ଗର୍ଭ-ଭାବେ

ସନ୍ତୋଷେ ମେଲାଣି ହୋଅ ଏବେ

ଶ୍ରୀହରି ବୋଲନ୍ତି ସେବକ ଦେବାତ

ଉଚିତ ନୋହଇ ପ୍ରଭୁଠାବେ ରେ

ସୀମନ୍ତିନି !

ସଙ୍ଗ-ଭଙ୍ଗ ବଡ଼ ହୋଇ ନାହି ହାନି ରେ

ସତ ନ ବଳେ, ନ ଚଳେ ପାଦ ବେନି ରେ

ସୁଧା ବରଷି ବଚନ ସୁଖ ଘେନି ରେ ।୩୧।

ଶ୍ୟାମ ଶ୍ୟାମା ଏକଠାବେ ଦେଖି

ସଖୀ ଡାକିଲା ରେ ପ୍ରାଣସଖି

ଶ୍ୟାମ-ମେଘରେ ତ ଅପୂର୍ବ ଥକିତ

ବିଜୁଳୀ ପରାୟେ ଅଛୁ ଲାଖି ରେ

ସହଚରି !

ଶ୍ୟାମଅଭୟ-ପଞ୍ଜର ଆଶ୍ରେ କରି ରେ

ସବୁ ଭୟକୁ ଦେଲୁ କି ଦୂର କରି ରେ

ଶୀଘ୍ରେ ଆସ ମୁଁ ଗଲିଟି ପରିହରି ରେ ।୩୨।

ହରି ବୋଲନ୍ତି ରେ ଗୋପାଙ୍ଗନା !

ହେଲୁ ତୁ ପବନ ପ୍ରାୟେ ସିନା

ହତ କଲୁ ଘନ ରସ ବରଷିବା

କଉଁ କାରଣରୁ ବକ୍ରମନା ରେ

ହାରାବଳି !

ହାଥୁ ନେଲୁ ମୋ ଅମୃତରସାବଳି ରେ

ହୃଦେ ଏହି କଥା ନିକି ଥିଲୁ କଳି ରେ

ହର-ବଇରି ଶରେ ତୁ ହୋଅ ଦଳି ରେ ।୩୩।

କ୍ଷଇଳ ଗୋପୀ ହରଷେ ଗଲେ

କ୍ଷେମେ ଗୋପ ପରବେଶ ହେଲେ

କ୍ଷଣଦା କାଳେ ଛଛନ୍ଦେ କୁତୂହଳେ

କନ୍ଦର୍ପ-ଦର୍ପକୁ ବିନାଶିଲେ ସେ

କ୍ଷମାନିଧି

କ୍ଷନ୍ଦି ଗୋପୀ ଅଙ୍ଗେ ଆଭରଣ-ବିଧି ସେ

କ୍ଷିତିମଣ୍ଡନୀ ମୋହିନୀ ମନ ବୋଧି ସେ

କ୍ଷେମେ ଦୀନକୃଷ୍ଣ ମନକାମ ସିଦ୍ଧି ସେ ।୩୪।

Image

 

ଅନୁରାଗ ରତ୍ନାକର ଚଉତିଶା

 

ଅନୁରାଗ ରତ୍ନାକର ଚଉତିଶାରେ ରସିକରାଜ କୃଷ୍ଣଚନ୍ଦ୍ରଙ୍କ ଅନୁରାଗର ଯେଉଁ ଉଲ୍ଲୋଳ କଲ୍ଲୋଳ ଉଠିଅଛି ତାହାର ପଟାନ୍ତର ଓଡ଼ିଆ ସାହିତ୍ୟରେ ଅଛି କି ନାହିଁ ସନ୍ଦେହ । ଏ ଚଉତିଶା କ୍ଷୁଦ୍ର କବିତା ହେଲେହେଁ ଖଣ୍ଡ-କାବ୍ୟବତ ଉତ୍କଳର ଜନ ମନ ହରଣ କରି ଉତ୍କଳ-ଭାରତୀଙ୍କ ଭଣ୍ଡାରରେ ଗୋଟିଏ ବିଶିଷ୍ଟ ସ୍ଥାନ ଅଧିକାର କରିବ ।

 

ରାଗ କାଳି

କାଳିନ୍ଦୀକୂଳେ

କଦମ୍ୱମୂଳେ

କୃଷ୍ଣ ରାଧାଙ୍କୁ ଦେଖି

କୃପା ସରାଗେ

କହନ୍ତି ଆଗେ

ହେ ଚନ୍ଦ୍ରଜିତ-ମୁଖି !

କି ବୋଲି ତତେ

ବୋଲିବି ମତେ

ଏ କଥା କହୁ କିନା

କାଳକ ଏହି

ସଂଶୟ ବହି

ହେଲି ଚଞ୍ଚଳମନା ।୧।

ଖୋଜି ଯେବେହେଁ

ବୋଲିବି ସ୍ନେହେ

ତୁ ମୋର ଫୁଲଗଭା

ଖଞ୍ଜନ-ଜିତ-

ନେତ୍ରି ! ତେବେ ତ

ଥୋକାଏ କାଳ ଶୋଭା ।

ଖରେ ଖସାଇ

ପକାଇ ଦେଇ

ଅଣଆଦର କରି

ଖୀଣ-ଉଦରି !

କନକ-ଗୋରି !

ଏହି କଥାକୁ ଡରି ।୨।

ଗଳାର ହାର

ବୋଇଲେ ହାର

ପଦେ ରହିଲା କଥା

ଗୁଣ-ଗଉରି !

ହୃଦୟହାରି !

ହୃଦେ ହୁଅଇ ବଥା

ଗୁଣି ଗୁଣି ବା

ବୋଲିବି ମୋର

ଗନ୍ଧତିଳକ ତୁହି

ଗଲା ସେ ଭାବ

ତିଳକେ ଯହୁଁ

ତିଳକେ ଅଛି ନାହିଁ ।୩।

ଘେନାଘେନିରେ

ବୋଲିବି ଘନ-

ସାର ଚନ୍ଦନ ମୋର

ଘଡ଼ିକେ ଶୁଖି

ଛାଡ଼ିପଡ଼ି ସେ

ଅଙ୍ଗରୁ ହୋଏ ଦୂର ।

ଘୁଣାକ୍ଷରକେ

ଅନ୍ତର ନୋହି

ମହାସୁଖକୁ ଦେବ

ଘନଜଘନା !

ଘଟଣସ୍ତନା !

କହ ମୋତେ ଏ ଭାବ ।୪।

ନେତ୍ରପ୍ରତିମା

ବୋଲି ବୋଇଲେ

ସହଜେ ନେତ୍ର-ସାର

ନିର୍ମ୍ମଳ କରି

ସକଳ ଦେଖି

ସବୁରି ମନୋହର ।

ନୋହଇ ଆଦ-

ରଶ ବିହୀନେ

ନିଜ ଦର୍ଶନ ସୁଖ

ନବକିଶୋରି !

କନକଗୋରି !

ଏହି ତ ବଡ଼ ଦୁଃଖ ।୫।

ଚତୁରୀମଣି !

ପରାଣମଣି

ବୋଲିବା ଆଭାସଇ

ଚିତ୍ତରେ ଆସି

ସଂଶୟ ବସି

ପୁଣି ତା ବିନାଶଇ

ଚାରି ପହର

ବନ ବିହାର

ହେବାର ଚାରି ଯୁଗ

ଚଣ୍ଡାଳ ବିହି

କରି ଯେ ନାହିଁ

କ୍ଷଣେ ହେବା ବିଯୋଗ ।୬।

ଛାଡ଼ି ତୋ ସଙ୍ଗ

ଯେବେ ଏ ଅଙ୍ଗ

ରହଇ ହୋଇ ଭିନ୍ନ

ଛନ୍ଦେ କେମନ୍ତେ

ବୋଲିବି ପ୍ରିୟେ

ମୁଁ ମୀନ ତୁ ଜୀବନ ?

ଛିଦ୍ର ଦରଶୀ-

ମାନେ ଯେ ହସି

ଉଡ଼ାଇ ଦେବେ ଆଗ

ଛୁରୀ-ଘାତରୁ

ଅଧିକ ହୋଇ

ବାଧେ ତାହାଙ୍କ ବାଗ ।୭।

ଯେବେ ତଟିନୀ

ତରି ତରଣୀ-

ଠାରେ ନୁହନ୍ତା ହେଳା

ଜଗ-ମୋହିନି !

ତେବେ ବୋଲନ୍ତି

ମଦନ-ନଦୀ-ଭେଳା ।

ଯତନ କରି

ଯେବେ ବୋଲିବି

ଦିବ୍ୟ ହଂସୁଲୀ ତୁଳୀ

ଯୁବତୀ-ରତ୍ନ !

ସେ କୋମଳକୁ

ତୋହୋ ଶ୍ରୀଅଙ୍ଗ ବଳି ।୮।

ଝସକେତନ

କେଳିରତନ-

ଭଣ୍ଡାର ଅବା କେତେ

ଝଳି-ଗଉରି !

ବିଚିତ୍ରକରି

ତୁ ଦେଉ ଯେତେ ଯେତେ

ଝୀନବସନା

ବଚନଘେନା

ମହାପୃଥୁଳସ୍ତନା

ଝାସି ଅନେକ-

ବାର ସାଗରେ

ତୋତେ ପାଇଛି ସିନା ।୯।

ନିଧନ ଧନ

ବୋଇଲେ ମନ

ଘେନଇ ଆନ ବାଟେ

ନେଇ ବିକିବା

ଦେହ ରଖିବା

ବିଚାରେ ସ୍ନେହ ତୁଟେ

ନୋହିଲେ ଅବା

ବୋଲିବି କାମ-

ଧ୍ୱଜ ଜୟ ପତାକା

ନିବିଡ଼େ ଉଡ଼େ

ପଛକୁ ପଡ଼େ

ହୁଅଇ ଏହି ଦକା ।୧୦।

ଟଙ୍କଧରଙ୍କ-

ବଇରୀ-ଟୋପ-

ନିଶ୍ରେଣୀ ଲକ୍ଷ ଦେଲେ

ଟାଣ ଦାରୁରେ

ନିର୍ମାଣ ସେହି

ଯେତେ ଯତନ ହେଲେ

ଟେକେ ତୋ ଟେକ

ଟେକିଲେ କିମ୍ପା

ଟିକାଏ ହେବ ଶେଷ

ଟାହି ନୋହଇ

ନିତମ୍ୱବତି !

ମହେଶକୁ ଅଶେଷ ।୧୧।

ଠଣମଧ୍ୟମା !

ସୁନ୍ଦରସୀମା !

ତୋହୋ ପରାଏ ତୁହି

ଠାଠିକ କରି

କହି ବସିଲେ

ତୋତେ ସମାନ କାହିଁ ?

ଠାବ ନ କଲା

ମନ ମୋହୋର

ତିନି ଭୁବନ ଖୋଜି

ଠିକେ ତା କେତେ

କହିବି ଦୀନ-

କୃଷ୍ଣ ମାନସେ ହେଜି ।୧୨।

ଡାକି ବୋଲିବି

ତୁ ମୋ ମାନସ-

ମାନସ ରାଜହଂସୀ

ଡ଼ୋଳାଇ ତାହା

ସେହି ଅବନୀ-

ସରେ ବିହରେ ଆସି !

ଡାଳିମ୍ୱ-ବୀଜକିତ-

ଦଶନି ! ତେବେ

ଅନ୍ତର ହେଲା

ଡମ୍ୱରୁମଧ୍ୟା !

ବୋଇଲା କଥା

ବିଅର୍ଥ ହୋଇଗଲା ।୧୩।

ତମ କହିବା

ମନ ମୋହିବା

ଏ ଅବା କଉଁ ଭଲ

ଢାଳେ ହେ ପ୍ରେମ

ଲୋଭେ ଛଦ୍ରମ

ବୋଲ ତରଙ୍ଗ ତୁଲ ।

ଢାଙ୍କୁଣି ଫେଇ

ଫଣୀ ଖେଲାଇ

ଗୀତ ଗାଇଲା ପ୍ରାୟେ

ଢଗଢମାଳି

କପଟ କେଳି

ପଛେ ଦହଇ କାୟେ ।୧୪।

ଆରତ ବୋଲ

ଅନଙ୍ଗ ଗେଲ

ଥୟେ ନୋହଇ ସଖି !

ଅଧଇର୍ଯ୍ୟରେ

ଅନୁରାଗରେ

ସମସ୍ତ ହୋଏ ଲେଖି

ଏବେ ବୋଇଲି

ମୁଁ ମତ୍ତଫୁଲ-

ଲିଟ ତୁ ଫୁଲ୍ଲ ଫୁଲ

ଅରବିନ୍ଦରୁ

କୁଟଜ ଯାଏ

ଅଚିର ଚୁମ୍ୱ ଗେଲ ।୧୫।

ତପନ ପଦ୍ମ-

ପ୍ରୀତି ଛନ୍ଦ୍ରମ

ପ୍ରାୟେ ଲାଗିଲା ମୋତେ

ତୋୟରୁ ଆଢ଼

ହେଲେ ଦହନ

କରଇ କର ଘାତେ

ତାହାରି ନାହା-

ଠାରେ ହେ ଯାହା

ତାହା କହିବି କେତେ

ତୁଚ୍ଛା ବୁଦ୍ଧିରେ

ରାତ୍ର ଦିବାରେ

ମଧୁପ ଘେନି ମାତେ ।୧୬।

ଥୟ ନୋହଇ

ଚନ୍ଦ୍ରମା କଇ-

ରବର ଘେନାଘେନି

ଥାଇ ଏ ଜଳେ

ସେ ଖ-ମଣ୍ଡଳେ

ବିହରେ ତାରା ଘେନି

ଥାପନ୍ତି କବି-

ମାନେ ଏଥିକି

ଏ ପ୍ରୀତି ଏତେ କରି

ଥଳ ନ ପାଇ

ଜଳେ କି ଜଳ-

ଫେନ ଧଇଲେ ତରି ? ।୧୭।

ଦେହ ପୁଲକ

କେତେ ପୁଲକ

ଅନ୍ତର କରି ମଣି

ଦେଇ କି ଲକ୍ଷ

ଥିଲେ ଦିଲକ୍ଷ

ଅନ୍ତର କଥା ଆଣି

ଦର୍ଶନ ସୁଖ

ଶରୀର ଦୁଖ

ସୁଖକୁ ହୋଏ ହେତୁ

ଦୂରେ ଅଦୂରେ

ମଦନ ଶରେ

ଅଛିଟି ଏଥି ହେତୁ ।୧୮।

ଧଇର୍ଯ୍ୟନିଧି !

ମଦନ ବ୍ୟାଧି

ଔଷଧି ଲେଖା କଲେ

ଧବଳକର

କରେ ତାହାର

ପ୍ରଭା ବଢଇ ଭଲେ

ଧୃତି-ଧ୍ୱଂସିନି

ବୋଲିବି ତୁ ମୋ

ହୃଦର ଦିବ୍ୟ ବୀଣା

ଧୀରବଚନି !

ବଚନ ସଙ୍ଗେ

ତୁଳିଲେ ଅତି ଊଣା ।୧୯।

ନିରନ୍ତରେ ହେ

ତୁ ମୋ ସ୍ନେହେ

ଦ୍ରବ କରାଉ ଯହୁଁ

ନିଶ୍ଚେ ମୁଁ ଚନ୍ଦ୍ର-

ମଣି ତୁ ଚନ୍ଦ୍ର

ବୋଲି ବୋଲିବି କାହୁଁ ।

ନିଶାରେ ବିଧୁ

କରରେ ବିଧୁ-

ମଣି ଆରଦ୍ର କରେ

ନବ-ତରୁଣି !

ରମଣୀମଣି !

ତୁ ନିଶି ଦିବସରେ ।୨୦।

ପଦ୍ମ-ସୁବାସି !

ପିୟୁଷହାସି !

ପରମ ସୁଖରାଶି

ପଡ଼ିଲା ମୋତେ

ପ୍ରମାଦ ତୋତେ

ଡାକିବା କଥା ଆସି

ପୀତ-ବସନା !

ପୀନଜଘନା !

ପୀବରସ୍ତନା ! ତୋତେ

ପିକବଚନା

ବୋଲିବାକୁ ତ

ଲାଜ ମାଡ଼ଇ ମୋତେ ।୨୧।

ଫୁଲ ସମୟେ

ତାର ଉଦୟେ

ପ୍ରୟୋଦ କାଳେ ହତ

ଫେଡ଼ି ତା କେତେ

କହିବି ଯେତେ

ଅବିଗୁଣରେ ଖ୍ୟାତ ?

ସ୍ଫୁଟ ରହିତ

ଅବିଲମ୍ୱିତ

ବିରହୀ-ଦୁଖ ଦାନୀ

ଫଳତ ଏହି

ପୁଣି ଉଠଇ

ପଞ୍ଚପ୍ରାଣକୁ ଘେନି ।୨୨।

ବିବେକ ଊଣା

ହୋଇବ ବୀଣା-

ବଚନୀ ବୋଲିବାରେ

ବେଭାରେ ରାଗ

ଘେନିଲେ ରାଗ

ହୁଅଇ ତାହା ଠାରେ

ବର୍ଣ୍ଣଉଚ୍ଚାର

ପ୍ରେମ ସଞ୍ଚାର

ବିଚାର ତାର ନାହିଁ

ବାଜଇ କର-

ରୁହ ପ୍ରହାର

ପାଇଲେ ପୁଣି ସେହି ।୨୩।

ଭ୍ରୂଭଙ୍ଗୀ ଲୀଳା

କଟାକ୍ଷମାଳା

ଚନ୍ଦ୍ରରେ ନୋହେ ଦେଖି

ଭାବରେ ଘେନି

ଡାକନ୍ତି ଧନି !

ପୂର୍ଣ୍ଣ-ଚନ୍ଦ୍ରମା-ମୁଖୀ

ଭଜଇ କ୍ଷୀଣ

ମୃଗଲକ୍ଷଣ

ଦିବସେ ପଣ୍ଡୁଭାବ

ଭାଷା କହିବା

ମନ ମୋହିବା

ଭାଗ୍ୟକେ ତାକୁ ଦେବ ? ।୨୪।

ମୃଗ-ଖଞ୍ଜନ-

ଚକୋର-ମୀନ-

ନେତ୍ରୀ ବୋଲିବା କଥା

ମୋହୋ ମନକୁ

ଆସଇ ନାହିଁ

ହୁଅଇ ମହାବ୍ୟଥା

ମଦନମଦେ

ମାତି ତୁ ଯେତେ

ବେଳେ ଘୁମାଇ ଚାହୁଁ

ମହେଶ ଦମ୍ଭ

ମହା-ଆରମ୍ଭ

ଲେଶେ ରହିବ କାହୁଁ ? ।୨୫।

ଯୋଗୀନ୍ଦ୍ରମାନେ

ଯୋଗ ଆସନେ

ନିଶ୍ଚଳେ ଥିବେ ବସି

ଯେବେ ତୁ ହେଳେ

ଚାହିଁବୁ ଡୋଳେ

ମଧୁର ମନ୍ଦ ହସି

ଯିବ ତରଳି

ଅଙ୍ଗ ଆବଳି

ଅନଳ ଜଉ ପ୍ରାୟେ

ଯିବ କି ଜୟେ

କେବେ ହେଁ ଲୟେ

ଜୀବନ ଥିବାଯାଏ ।୨୬।

ରୋଲମ୍ୱ ଚୁମ୍ୱେ

ବଧୁଲୀ ବିମ୍ୱେ

ପତଙ୍ଗ ଚଞ୍ଚୁ ଲାଗେ

ରଙ୍ଗର ଭଙ୍ଗ

ହୋଏ ପତଙ୍ଗ

ଦିବସ ମଧ୍ୟଭାଗେ

ରତନ ମଧ୍ୟେ

ପ୍ରବାଳ ପଦ୍ମ-

ରାଗ ମାଣିକ୍ୟ ଲେଖି

ରଙ୍ଗ-ଅଧର

ପ୍ରାୟେ ତୋହୋର

ଶୋଭା କାହିଁ ନ ଦେଖି ।୨୭।

ଲକ୍ଷ୍ୟ ହିଁ ଅବା

କି କରି ଦେବା

ବିବେକ ଦୂର କରି

ଲକ୍ଷଣବନ୍ତ

ହୋଇ ଅମୃତ

ଅଛି ତହିଁରେ ପରି

ଲୋଡ଼ି ମୋ ବୁଦ୍ଧି

ଲାବଣ୍ୟନିଧି

ସିଦ୍ଧି କରିବ କାହିଁ

ଲୋକପାଳକ

ବେଳୁଁ ଏତେକ

ବିଚାର କରି ନାହିଁ ।୨୮।

ବଲ୍ଲଭି ! ତୋର

ବିନୁ କର୍ପୂର

ଚନ୍ଦନ ଆଦି ଯେତେ

ବିଷ ପରାୟେ

ପରତେ ହୋଏ

ଆଉ କହିବି କେତେ

ବଡ଼ ସମ୍ପତ୍ତି

ଥିଲେ ନୃପତି

ଅଭାବେ କିଛି ନୋହେ

ବିଷ୍ଣୁ-ଭଗତି

ବିନୁ ଅଗତି

ଲୋକ କେବେହେଁ ଶୋହେ ? ।୨୯।

 

 

 

 

 

 

ଶ୍ରୀହରି-ବାଣୀ

ଶୁଣି ରମଣୀ-

ମଣି ବୋଇଲେ ହସି

ସରାଗ ଚିତ୍ତେ

ଡ଼ାକିବ ମୋତେ

ଆସ ଗୋ ରାଧା ଦାସି !

ଶ୍ରୀକର ଧରି

ମାଗୁଛି ହରି

ଏତେକ ଆଜ୍ଞା ଦେବ

ଶ୍ୟାମ ସୁନ୍ଦର

ତୁମ୍ଭ ପୟର

ସେବାରେ ଦିନ ଯିବ ।୩୦।

ସହସ୍ର-କର-

କରି ଅମର-

ଗିରି ଛୁଇଁଲା ପ୍ରାୟେ

ଶ୍ରୀମୁଖୁ ମୋର

ନେତ୍ର ଅନ୍ତର

ନୋହିବା ଥିବା ଯାଏ

ସବୁରି ମୁଖେ

ବୋଲିବେ ସୁଖେ

ରାଧା ଶ୍ରୀକୃଷ୍ଣ ଏକ

ଶ୍ରୀ ବୃନ୍ଦାବନ-

ମୃଗରାଜନ !

ଲୋଡ଼ା ମୋ ଏହିଟେକ ।୩୧।

ଶ୍ରୀମୁଖେ ଯେତେ

କହିଲ ମୋତେ

କରୁଣାମୟ ବୋଲି

ସବୁ ପ୍ରକାରେ

ଏ ମହିମାରେ

ସହଜେ ବଡ଼ ହେଲି

ସାମନ୍ତ ଘେନା-

ଘେନି ଭାବନା

ସହଜେ ଏହି ମତି

ସାର ରତନ-

କେବେହେଁ ଆନ

କରେ ଝଟକ ଜ୍ୟୋତି ।୩୨।

ହରଷ ଭରେ

ପ୍ରେମ ବଶରେ

ରାଧା ମାଧବ ବେନି

ହରିଲେ ନିଶି

ପଲଙ୍କେ ବସି

କହି ଏ ଘେନାଘେନି

ହୃଦ ସାରସ

କରି ବିକାଶ

ନିତ୍ୟ କର୍ମକୁ ଗଲେ

ହରି ଦିଗରେ

ହଂସ ରଥରେ

ବସି ବିଜୟ କଲେ ।୩୩।

 

 

 

 

 

 

କ୍ଷମା ସାଗର

ନାଗରବର

ନନ୍ଦନନ୍ଦନ ଲୀଳା

କ୍ଷକ୍ଷନ୍ଦ ମନେ

ହେ ସାଧୁ ଜନେ

କଣ୍ଠରେ କର ମାଳା

କ୍ଷଣେ ଅନ୍ତର

ନ କର କର

ଧରି କହୁଛି ଏତେ

କ୍ଷାର ପାମର

ଦୀନକୃଷ୍ଣର

ଭାବନା ଅବିରତେ ।୩୪।

Image

 

ଦୃଷ୍ଟାନ୍ତ ଚଉତିଶା

 

ନାନା ଦୃଷ୍ଟାନ୍ତ ଦ୍ୱାରା ପ୍ରୀତିଭାଷଣ ବିଶଦୀକୃତ ହୋଇଥିବାରୁ ଚଉତିଶାର ନାମ ଦୃଷ୍ଟାନ୍ତ ଚଉତିଶା ହୋଇଅଛି । ପରବର୍ତ୍ତୀ କାଳରେ ସୁକବି ଭୂପତି ପଣ୍ଡିତ ମଧ୍ୟ ଦୀନକୃଷ୍ଣଙ୍କ ଅନୁକରଣରେ ଏହି ନାମର ଗୋଟିଏ ଚଉତିଶା ଲେଖିଥିଲେ ଏବଂ ଦୃଷ୍ଟାନ୍ତ ଚଉତିଶା କହିଲେ ତାଙ୍କରି ଚଉତିଶାକୁ ବୁଝାଉଥିଲା । ଘନକୃଷ୍ଣଙ୍କର ଏ ଚଉତିଶା ନବାବିଷ୍କୃତ ।

 

କମଳନୟନ ଦୂତୀ କର ଧରି କହନ୍ତି ବିନୟ କରି

କଉଁ ଦୋଷକୁ ରୋଷ ମୋ ବିଷୟରେ କରିଅଛି ଜୀବେଶ୍ୱରୀ

କାରଣ ନ ଥାଇ ପ୍ରଭୁ କୋପ କଲେ ତହିଁକି ନାହିଁ ଉପାୟେ

କେବଳ ଜାଣିଲି କୁମତି ଗୁଆଁର କବିତ୍ୱ ବୁଝିଲା ପ୍ରାୟେ ।୧।

ଖୀନଉଦରୀ ଖଞ୍ଜରୀଟନୟନୀ ସେନେହ ବଜ୍ର ସମାନ

ଖଳ ପୀରତି ମେଦା ଛାଇ ପରାୟେ କ୍ଷଣକେ କରୁଛି ଆନ

କ୍ଷଣେ କ୍ଷଣକେ ତା ସୁଖ ସୁମରି ତ ଲାଗୁଅଛି ମହାଭୟେ

ଖୋଜିଲେ ତ ମୋତେ ବୁଦ୍ଧି ଦିଶୁନାହିଁ ପତିପ ପାଠ ପରାୟେ ।୨।

ଗଜଗମନୀ ମୋହୋଠାରେ ଏ ମାନ ଦିନେହେଁ କରି ନ ଥିଲା

ଗୁଣୁଛି ମୋ ମନେ କେ ଅବା ତାହାକୁ କଉଁ ଉପଦେଶ ଦେଲା

ଗୁପତ କରି ପ୍ରିୟସଖି ! ଏତେହେଁ କହିବୁ ପିକଭାଷୀକି

ଗୁଣ-ଗଉରୀ ହୋଇ ତାର ସେନେହ ଗିରି ନଦୀ ପରା ସଖି ! ।୩।

ଘନଜଘନୀ ଯେ ଘେନି କହୁଥାଇ ତୁମ୍ଭେ ମୋ ନୟନତାରା

ଘନସ୍ତନୀର ଘନସାର ଚନ୍ଦନ କଣ୍ଠ-ଗଜମୋତିହାରା

ଘୃଣାକ୍ଷରେ ଅବା ଘଟଣଲପନୀ ଏମନ୍ତ ମନେ ଭାସିଲା

ଘନ ବିଜୁଳୀ ସ୍ନେହ ଛାଇ ପରାୟେ ଏହିଠାରେ ସେ ଦିଶିଲା ।୪।

ନବ ରସରେ ଯେ ରସିକ ନୁହଇ ସେହି ନାଶ ଯାଇ ବେଳେ

ନବ ସୁଧାକର ଆଦର ଯେମନ୍ତ ନ ଥାଇ ସର୍ବଦା କାଳେ ।

ନାହିଁ ଇଛୁ ରସୁଁ ସଂସାରେ ମଧୁର ପାକେ ସେ ହୁଅଇ ପିତା

ନାଗରୀରତନ ନୟନ ପ୍ରତିମା ପ୍ରତକ୍ଷେ ଏବେ କଲା ତା ।୫।

ଚାରୁ ଚାମୀକର ଚମ୍ପକବରନା କାଲି ଏହି ବାଟେ ଗଲା

ଚନ୍ଦ୍ରଅବତଂସ ନନ୍ଦନ ଜନମ ତିଥି ଚନ୍ଦ୍ର ମୋତେ କଲା

ଚିତ୍ତେ ଚିତୋଇ ସେ ଚରିତ ମୋହୋର ଅଙ୍ଗ ହୋଇଛି ଅବଶ

ଚକ୍ଷୁ ପଲକ ଯେ ସହି ନ ପାରଇ ସେ କଲା ଏଡ଼େ ନିରାଶ ।୬।

ଛାଡ଼ି ନ ଯାଇ ରହିଛି ଛାର ଜୀବ କହିବାକୁ ପୁଣି ଏହା

କ୍ଷଣେ ଦେଖି ଯାହା ଶୁଣିହିଁ ନ ଥିଲା ଭୂଷଣ କଲାଣି ତାହା

ଛାର ଅନୁରୂପେ ଭଜିଲେ ତାହାର ହୃଦୟ ନୋହିଲା ଜାଣି

ଛିଡ଼ିଲା ବକା କୁସୁମ ପୁଷ୍ପ ପ୍ରାୟେ ହେଲା ସେ ରମଣୀମଣି ।୭।

ଯେତେ ଭରସା ଥିଲା ତାର ତହିଁକି ଦୟା-ଜଳନିଧି ବୋଲି

ଜାଣି ତ ହୋଇଲା ଏହିଠାରେ ସବୁ ଯାହାର ଯେମନ୍ତ ଚାଲି

ଜଳରେ କୁମୁଦ ଗଗନେ ଚନ୍ଦ୍ରମା ଦୂରୁ ଦେଖି ହୋଏ ସୁଖୀ

ଜୀବ ପରମ ପ୍ରାୟେ ପ୍ରାଣବନ୍ଧୁକୁ ନିକଟେ ଥିଲେ ନ ଦେଖି ।୮।

ଝଳିଗଉରୀ ଶ୍ରୀମୁଖଚନ୍ଦ୍ରଠାରୁ ହସି ଅନାଇବା ଯାଏ

ଝିମିଟେ ମନ ନୟନ ଛାଡ଼ୁନାହିଁ ରତନଝଟକ ପ୍ରାୟେ

ଝସକେତନ-କେଳି-ଚିନ୍ତାମଣି କି ଲଭି ହେଲି ଚିନ୍ତାମଣି

ଝଡ଼ଇ ନାହିଁ ଦରିଦ୍ରତା ଭଣ୍ଡାର ନିକଟେ ଥିଲେ ସେ ପୁଣି ।୯।

ନୀରଜନୟନୀ ଅନେକ ଯତନେ ଘେନି ହେଳେ କଲା ଦୂର

ନିଶ୍ଚେ ଜାଣି ହେଲା ଭାବବତୀ ଭାବ କୁସୁମ ଗଭା ପ୍ରକାର

ନ ଯିବ ମୋହୋର ମନରୁ ସେ କଥା ଯେତେ ସୁଦୟା ସେ କଲେ

ନାଶଇ କି ପୂର୍ବ ସନ୍ତାପ ବହୁତ ଦିନ ଚିରକାଳ କଲେ ।୧୦।

ଟେକ ଯେ ଟେକସ୍ତନୀ କି ମୁଁ ଭଜିଲି ଟାଣ ମନସିଜ ଭୟେ

ଟିକାଏ ସେ ମନୁ ନ ଟଳିଲା ମୋର ହରମାଳିକା ପରାୟେ

ଟଙ୍କଧର-ରିପୁ ଟୋପେ ପଡ଼ି ଏବେ ହେଳେ ହୋଉଅଛି ହତ

ଟାଣ ମୃଗାରି ମୃଗ ମୁଖେ ପଡ଼ିଲେ ଯେମନ୍ତ ମହାଗର୍ବିତ ।୧୧।

ଠାକୁରାଣୀ ପଣ ଏହିଠାରୁ ତାର ଜାଣିମାକୁ ହେଲା ସଖି !

ଠାଠିକ କରି ଯାହା ଦୋଷ ନ କହି ରୋଷକଲା ଚନ୍ଦ୍ରମୁଖୀ

ଠାକୁର ହୋଇ ଠାବ କଲା କହିଲେ ସବୁରି ସେ ସନମତ

ଠିକ ଲୋକଙ୍କର କରେ ରଙ୍ଗ ଥିଲେ ଭ୍ରମେ ବୋଲାଏ ରଜତ ।୧୨।

ଡ଼ରୁଥାଇ ତାର ମୁଖ ମଳିନକୁ ତାମ୍ୱୁଳୀ ତାମ୍ୱୂଳ ପ୍ରାୟେ

ଡରୁ ଡରୁ ଦେଖ ଦଇବ କଷଣ କଲା କାମଡକା ଯାଏ

ଡୋଳା ଡ଼ାଳିମ୍ୱବୀଜଦନ୍ତୀ ପରାୟେ ଡ଼ମ୍ୱରୁ-ମଝାକୁ କହ

ଡୋଳେ ଦେଖୁଁ ଦେଖୁଁ ଡକାଇତ ପ୍ରାୟେ ଅତିହିଁ ଦାରୁଣ ନୁହଁ ।୧୩।

ଢଗ ମେଲିବେ ଆଗ ଏହା ଶୁଣିଲେ ଏହି ଗୋପବଧୂମାନେ

ଡ଼ାଙ୍କୁଣି ଫିଟିଲେ ଫେର ଧରି କରି ଉଭାରଇ ଫଣୀ ଯେହ୍ନେ ।

ଢାଳି ନୟନେ ଯେ କହୁଥାଇ ବନ୍ଧୁ ଏକ ଜୀବ ବେନି କାୟେ

ଢାଳେ ତା ଜାଣିଲି କୃପଣ ଲୋଭୀକି ଆଶା ଦେଖାଇଲା ପ୍ରାୟେ ।୧୪।

ଆଉ ଅଧିକ କି କହିବି ସଜନି ! ଦିନେ ଚନ୍ଦ୍ର ରଜନୀରେ

ଅଙ୍କେ ମୋର ଶୋଇ ଅନ୍ତର ମଣିଲୁ ପୁଲକ ଘେନାଘେନିରେ

ଏବେ ଦଇବ ବଳରେ ସେ ସ୍ନେହ ନିଊନ ଦିଶିଲା ଏଡ଼େ

ଅବନୀବତୀର ମହା ସ୍ନେହ ଯେହ୍ନେ ପ୍ରକାଶିଲା କାଚବାଡ଼େ ।୧୫।

ତ୍ରିପୁରସୁନ୍ଦରୀ ତପନୀୟଗୋରୀ ହୃଦର ପଦକ ମୋର-

ତାହାବିନୁ ତପସିଦ୍ଧ ଯୋଗୀ ପ୍ରାୟେ ବିଷୟ କଲି ଅନ୍ତର

ତୁଙ୍ଗସ୍ତନୀ ଯେ ଅଙ୍ଗହାର ପରାୟେ କରିଛି ମୋତେ ସଙ୍ଗରୁ

ତୁ ତାହାର ମନ ଘେନାଇ କହ ଯେ ଦ୍ୱାର ପ୍ରାୟେ ମୋତେ କରୁ ।୧୬।

ଥିରଗମନୀ ବିମନ ହୋଇବାରୁ ଥୟେ ନୋହେ ମୋର ମନ

ଥିର ନୋହେ ଯେହ୍ନେ ଘନେ ଘନଲତା ବନଜ ପଲ୍ଲବେ ବନ

ଥିରାମଣ୍ଡନୀ ମଣ୍ଡନ ଥାଉଁ ଯେବେ ମୋହୋର ହେଲା ଏ ଦଶା

ଥୂଳ-ନିତମ୍ୱାକୁ କହିବ ଏବେହେଁ ହେଲାନି ନିଧନ ଦଶା ।୧୭।

ଦ୍ୱିରଦଗମନୀ ଦ୍ୱିଜରାଜମୁଖୀ ଦୟା ଅଦୟା ଅଦୃଶେ

ଦହି ହୋଉଛି ଦାରୁଣ ଅବିବେକ, ଦୁଆର ଭିକ୍ଷୁକ ଆସେ

ଦୂରୁ ଦେଖିଲେ ଦେବତାଙ୍କୁ ଚାହିଁବା ଦିଅଇ ନରମାନଙ୍କୁ

ଦେବତାଙ୍କୁ ଚିତ୍ର ପ୍ରତିମା କରଇ ଏ ନିକି ବିଚିତ୍ର ତାଙ୍କୁ ।୧୮।

ଧରଣୀରେ ମୀନ ଜୀବନ ପରାୟେ ଧାତା ତାକୁ ମୋତେ କଲା

ଧରିଛି କେବଳ ତା ବିନୁ ଶରୀର ନୁହଇ ଏ ଚିତ୍ତ ଭଲା

ଧ୍ୱଂସିଦେଲେ କାମ ଅନଳେ ମୋ ଦୁଖ ନ ଘେନିଲା ପ୍ରାଣମଣି

ଧ୍ରୁବ ଏ କଥା ବ୍ୟାଧିବନ୍ତ ଆରତ ବୈଦ୍ୟଠାରୁ ନାହିଁ ଶୁଣି ।୧୯।

ନାଗରୀରତନ ଅନ୍ତପଟ ଅନ୍ତ ନୃତ୍ୟକାରୀ ପ୍ରାୟେ ହୋଇ

ନୟନ ମନକୁ ଉଚ୍ଛାହା କରିଛି ଦର୍ଶନ ସୁଖ ନ ଦେଇ

ନବଘନକୁ ଚାତକ ପକ୍ଷୀ ପ୍ରାୟେ ତାହାକୁ ମୋହୋର ଆଶା

ନିଶ୍ଚେୟେ ଯେବେ ସେ ନିରାଶ କରିବ ତେବେ ମୋ ନିଧିନ ଦଶା ।୨୦।

ପ୍ରାଣପ୍ରିୟା ଦୟା-ଜଳନିଧି ହୋଇ ପ୍ରମାଦ ମୋଠାରେ କଲା

ପଶୁପତି-ରିପୁସନ୍ତାପ ଅନଳେ ପକାଇ ଅଲଗା ହେଲା

ପ୍ରାଣବାନ୍ଧବୀ ପରିତ୍ରାଣ ନ କଲେ ନିଶ୍ଚେ ଜୀବ ଯିବ ଜଳି

ପଙ୍କଜକର ଦରଶନେ ଯେମନ୍ତେ ଫୁଟିଲା ଗଙ୍ଗଶିଉଳୀ ।୨୧।

ଫାଇ କାଳକୁ ମୁଁ ଫନ୍ଦା କରିଥିଲି ଫୁଲ୍ଲ-କମଳନେତ୍ରୀକି

ଫଳ ଥାଉଁ ମୂଳ ଭୋଗ ତ ହୋଉଛି ଫୁଲ ବିଶିଖ-ପତିକି

ଫେରି କହିବି କାହାକୁ ଏ ବେଦନା ଫେଡ଼ିବ କେ ମୋର ଦୁଖ

ଫୁଲ ବାହାରେ ଆନ ନିକି ଫୁରୁଣା କରି ପାରେ ଶିଳୀମୁଖ ।୨୨।

ବିଧୁବଦନୀ ବିନୁ ବୁଦ୍ଧି ଚନ୍ଦ୍ରମା ଚନ୍ଦନ ବିଧୁର କରେ

ବାଳିଶ ନଗର ପଣ୍ଡିତ ପରାୟେ ବୁଲିଲେ ଦିନ ନ ସରେ

ବିକିଦେଲା ଦାସ ଜନଠାରେ ରୋଷ ଯେବେ କଲା ରସବତୀ

ବାତ ରହିତ ବୋହିତ ପ୍ରାୟେ ତେବେ ମୋହୋର ଆଉ କି ଗତି ? ।୨୩।

ଭରସା କେବଳ ତୋହାଠୋରେ ତାକୁ କହିବୁ ମୋ ଦୁଖ ଘେନି

ଭାଗ୍ୟଥିଲେ ସେ ଭବରିପୁ ତାପରୁ ତାରିବ ମନମୋହିନୀ

ଭାବିନୀ ମୋତେ ସତେ ଭିନ୍ନ କରିବ ଭରାନ୍ତି ନ କରି କିଛି

ଭାବନିଧି ଠାରେ କର ପ୍ରାୟେ ହୋଇ ଦ୍ରବ୍ୟ କଠିନତା ଅଛି ।୨୪।

ମଦିରନୟନୀ ଘେନାଘେନି ଭାବ ଅମୃତ କ୍ଷୀର ସମାନ

ମରାଳ କେତନ ମାନସ ମଦନ ପ୍ରାୟେ କଲା ଭିନ୍ନାଭିନ୍ନ

ମେଘଚନ୍ଦ୍ର ବିନୁ ଚାତକ ଚକୋର ଜୀଅନ୍ତି ଆନ ଉପାୟେ

ମହୀମଣ୍ଡନୀ ମୋର ପୁଣି ଏମନ୍ତ ମଧୁକର ମଧୁ ପ୍ରାୟେ ।୨୫।

ଜାଣୁମଣି ମୋତେ ଗୁରୁ ବାମ ହେଲା ବାମଦେବ ବାମ କରେ

ଯାହା ସେ ଲଘୁରେ ଲଘୁ କରାଇଲା ଆଲୋକିତ ସେ ଲୋକରେ

ଜାଣିଥିଲି ତାର ହୃଦ ଅନୁରାଗ ଶାଳିକା ଫୁଲ ପରାୟେ

ଜାଣୁ ଜାଣୁ ଏବେ ଗଲା ସେ ସ୍ଫଟିକ ସଙ୍ଗତେ ତୁଳିବା ଯାୟେ ।୨୬।

ରଙ୍ଗେ ତା ତା ଘେନିଲେ ସେବତୀ ଦୁର୍ଲ୍ଲଭ ସୁଲଭ ନୋହେ ବିଷାଦେ

ରମଣୀମଣି ସେହିମତି ସରାଗ ରଖି ରାଗ କରେ ଖେଦେ

ରଙ୍କରତନ ପାଇଲା ପ୍ରାୟେ ହୋଇ ମୁଖୁଁ ନ ଆସଇ ଭାଷା

ରଖିଥିଲା ନିକି ମୋହପାଇଁ ବିହି ରଥାଙ୍ଗ ରଜନୀ ଦଶା ।୨୭।

ଲେଶେ ତାର ମୋର ଅନ୍ତର ନ ଥିଲା ନେତ୍ର ପଲକ ଯେମନ୍ତ

ଲୋକନାଥ ବଶେ ଏ ଶେଷ ହୋଇଲା ଆକାଶ କୁସୁମବନ୍ତ

ଲୋଚନ-ଶ୍ରବଣ-ମଣ୍ଡନ ଖଣ୍ଡନ କରିବେ ସତେ ବିଷାଦ

ଲମ୍ୱଉଦରକୁ ଲକ୍ଷେ ଲଡ଼ୁ ଦେବି ସେ ଯେବେ ହେବ ପ୍ରସାଦ ।୨୮।

ବାଇ ପ୍ରାୟେ ହୋଇଥିଲେ ପ୍ରତି ଚକ୍ଷୁ ଯେମନ୍ତ ବର୍ଣ୍ଣ ଦିଶଇ

ବିଧୁବଦନୀ ସେହିମତି ଅନ୍ତରେ ଥିଲେ ନେତ୍ର ବିକାଶଇ

ବହୁତ ସୁଖ ହୋଇ ଇନ୍ଦ୍ରପଦବୀ ସ୍ୱପନେ ପାଇଲା ପ୍ରାୟେ

ବାଞ୍ଛା ଧନ ପ୍ରାୟେ ଭୋଗକୁ ନ ଆସେ ହୃଦକୁ କରଇ କ୍ଷୟେ ।୨୯।

ସବୁ ଅନୁଭବ ଏହିଠାରୁ ହେଲା ଶଶୀମୁଖି-ମହିମାରୁଁ

ଶୁଭଦାୟିନୀ ସନ୍ତୋଷ ହୋଇ ଏବେ ପାଶେ ନେଇ ଦାସ କରୁ

ସରୂପ ସର୍ପକୁ ପୟ ଦେଲା ପ୍ରାୟେ କନ୍ଦର୍ପକୁ ଦେଲା ଜୟେ

ସରି ହୋଇ ଦୁଇ ଆଡ଼କୁ କାଟଇ ଶଙ୍ଖାରି କରତ ପ୍ରାୟେ ।୩୦।

ଶମନ ଶମନ ସମ ଅଦାଳୁତା ତାହାଠାରେ କି ବିନୟେ

ଶମ୍ଭୁ ଜଳରେ ତାହାକୁ ନାଶଇଟି ଲୋହ ପାଷାଣ ପରାୟେ ।

ସମଗ୍ର ତୋତେ କେତେ ପୁଣ କହିବି ତୁ ତ ସବୁ ଗୁଣ-ସୀମା

ସଭାସଦ ପ୍ରାୟେ ଉଚିତ କହି ତୁ ମୋ ଦୋଷ କରାଅ କ୍ଷମା ।୩୧।

ସଜନି ! ତୋତେ ସେ ଦେଖିଲେ ପଥେ ଯେ ହୋଇବ ପୁଷ୍ପ ସମାନ

ସବୁ ଅର୍ଥେ ଅନୁରାଗ ପୂର୍ଣ୍ଣ କରି ମୁଖେ ପ୍ରକାଶିବ ଆନ ।

ସେହି ସମୟରୁ ପଛ କରିଣ ତୁ କହିବୁ ମୋର ସନ୍ଦେଶ

ସୁଜନ ସାଧୁ ଉପଦେଶ ପାଇଲା ପରାୟେ ହେବ ସନ୍ତୋଷ ।୩୨।

ହରିଣନୟନୀ ପୟପେଟୀ ପ୍ରାୟେ ବାହାରକୁ ସେ କର୍କଶ

ହୃଦୟ ଯାକ ପରିପୂର୍ଣ୍ଣ ହୋଇଛି ସୁମଧୁର ଘନରସ ।

ହଂସଗମନୀ ପାଶକୁ ତୋ ସଙ୍ଗତେ ମନକୁ ସମର୍ପି ଦେଇ

ହୃଦୟ ଶୂନ୍ୟ ହୋଇ ରହି ଅଛିଟି ସଙ୍ଗ ସହର୍ଷକୁ ବହି ।୩୩।

କ୍ଷମେ ଚଳ ମୁଁ ଏହି କୁଞ୍ଜେ ରହିଲି ତୋହୋ ଆସିବାକୁ ଚାହିଁ

କ୍ଷୋଭ ରହିତ ପକ୍ଷୀ ପରାୟେ ଗୋତ୍ର ଆକୃତି ଦଶାକୁ ବହି ।

ଛଛନ୍ଦ ହୋଇ ଦୂତୀ ବେଗେ ଚଳିଲା କ୍ଷିତିମଣ୍ଡନକୁ ରଖି

କ୍ଷୀଣମତି ଦୀନକୃଷ୍ଣ କହେ ଯେହ୍ନେ ଆନନ୍ଦ ବଶରେ ଭୋଖୀ ।୩୪।

Image

 

Unknown

ଶ୍ରୀ ରାଧିକାସ୍ମରଣ ଚଉତିଶା

 

ନବାବିଷ୍କୃତ ଏହି ଚଉତିଶାରେ ଦୀନକୃଷ୍ଣ ମଥୁରାପ୍ରବାସୀ ଶ୍ରୀକୃଷ୍ଣଙ୍କର ରାଧାବିରହ ଜନିତ ଆକୁଳତା ଯେଉଁ ଦକ୍ଷତା ସହ ବର୍ଣ୍ଣନ କରିଅଛନ୍ତି ତାହା ତାଙ୍କରି ପକ୍ଷରେ କେବଳ ସମ୍ଭବ । ପ୍ରତି ପଂକ୍ତିରେ ବିରହ-ଅଗ୍ନିର ଦୀପ୍ତ ଶିଖା ଯେପରି ଜୀବନ୍ତ ହୋଇ ଫୁଲି ଉଠିଅଛି । ଯେଉଁ ବ୍ରଜଭାବରସିକ ଭକ୍ତଗଣଙ୍କର ବିରହରେ ବିଳାସ, କହିବା ବାହୁଲ୍ୟ, ଶ୍ରୀ ରାଧିକାସ୍ମରଣ ଚଉତିଶା ସେମାନଙ୍କର ନିତ୍ୟ କଣ୍ଠରତ୍ନହାର ହେବ ।

 

କମଳନୟନ କଂସ କଟକରେ କରନ୍ତି ବିଚାର ।

କି କରୁଥିବ ସେ କଳକଣ୍ଠକଣ୍ଠୀ ରାଧିକା ମୋହୋର ।

କଣ୍ଠର ଅମୂଲ୍ୟ ନକ୍ଷତ୍ରକଣ୍ଠୀ ମୋ ନୟନପ୍ରତିମା ।

କି ବିଚାରୁଥିବ କେହି ବଞ୍ଚୁଥିବ ଆହାରେ ମୋ ରାମା ।୧।

ଖୋଜିଲେ ସକଳ ବ୍ରହ୍ମାଣ୍ଡେ ଯାହାକୁ ନ ପାଇ ସମାନ

ଖଳ ଦଇବ ବଶରୁ ଛାଡ଼ି ତାକୁ କଲି ମୁଁ ଗମନ ।

ଖଣ୍ଡ ଖଣ୍ଡ ହୋଇ ଫାଟି ତ ନ ଯାଇ ହୃଦୟ ମୋହୋର

ଖଞ୍ଜନୀନେତ୍ରୀ ବିନୁ ଯାହା ରହିଛି ଧିକ ଏ ଶରୀର ।୨।

ଗଜେନ୍ଦ୍ରଗମନୀ ଗୋରୀ ସୁକୁମାରୀ ମୋ ପ୍ରାଣଈଶ୍ୱରୀ

ଗାଉଥିବ ମୋର ଗୁଣ ନିରନ୍ତରେ ସୁମରି ସୁମରି ।

 

ଗୁଣି କେତେବେଳେ ଅବଧିବଚନ ଛାଡ଼ିବ ନିଶ୍ୱାସ

ଗୁଆଁରଠାରୁ ଗୁଣବନ୍ତ ପରାୟେ ହେବନି ନିରାଶ ।୩।

ଘନ ଘନ ହୋଇ ଘେନି ଉଠୁଥିବ ବିରହ ଅନଳ

ଘେନିବାରୁ ମୋର ଅତିଶୟ ଘନ ସେନେହ ପ୍ରବଳ ।

ଘର ବାହାର ସମାନ ମଣୁଥିବ ରମଣୀରତନ

ଘେନୁଥିବ ନାହିଁ ସଜନୀମାନଙ୍କ ଶୀତଳ ବଚନ ।୪।

ନବୀନବୟସୀ ପ୍ରାଣବାନ୍ଧବୀ ମୋ ପାଇଲା ବେଦନା

ନିର୍ଲଜ୍ଜ ଜୀବନ ନ ଯାଇ କିନା ତା କରୁଛୁ ଭାବନା ।

ନାହିଁ ଯାହାକୁ ସପନେ ଦୁଖ ଭେଟ ତାହାକୁ ଏ ଦଶା

ନିଶ୍ଚେ ନାଶ ଯାଇ ନିଷ୍ଠୁର ନାହାକୁ କଲେହେଁ ଭରସା ।୫।

ଚନ୍ଦ୍ରକର ଚନ୍ଦ୍ରମଣିକି ଆରନ୍ଦ୍ର କରଇ ଯେମନ୍ତ

ଚଣ୍ଡକର ଚଣ୍ଡମଣିକି ଆଉ ଯେ ନ କରେ ତେମନ୍ତ ।

ଚନ୍ଦନ ଶୀତଳ ଦ୍ରବ ଘେନି ଦିବ୍ୟ ତାପକୁ ହରଇ

ଚୂରି କର୍ପୂର ଅନଳେ ଦେଲେ ସବୁ ପ୍ରକାରେ ସରଇ ।୬।

ଛାର କଂସନୃପ ବୋଲେଣ ଛାଡ଼ି ମୁଁ ଅଇଲି ତାହାକୁ

ଛୁରି ମାରି ହେଲି ଆପଣା ଇଚ୍ଛାୟେ କହିବି କାହାକୁ ।

ଛାଇ ପ୍ରାୟେ ହୋଇ ନିରନ୍ତରେ ଲାଗିଥାଇ ମୋ ସଙ୍ଗରେ

ଛାଡ଼ି ତାକୁ ଛାର ଜୀବନ ରହିଣ ଅଛି ମୋ ଅଙ୍ଗରେ ।୭।

ଯେତେ ପ୍ରକାରେ ସୁଖ ମୋତେ ଦେଇଛି ମୋ ପ୍ରାଣବନିତା

ଜପାମାଳୀ କରି ଜପିଲେ କେ ତାହା କରିବ ଗଣିତା ।

ଜୀଇ ଥିବା ଯାୟେ ଯିବ କି ମନରୁ ତାହାର ସେନେହ

ଯାବତ ପ୍ରକାରେ ଜମ୍ୱୁନଦଗୋରୀ କିଣିଛି ଏ ଦେହ ।୮।

ଝୁରୁ ଯେ ଥିବ କୁରରୀ ପକ୍ଷୀ ପ୍ରାୟେ ହରାଇ ବିବେକ

ଝର ପ୍ରାୟେ ଝର ଝର ବହୁଥିବ ନୟନୁ ଲୋତକ ।

ଝାମ ଯାଉଥିବ ଝସକେତୁ-ଶରେ ଝଳକବଦନୀ

ଝାଳ ଅଙ୍ଗେ ଝଳି ଯାଉଥିବ ଝୀନ ସୁରଙ୍ଗ ପତନୀ ।୯।

ନ ରୁଚୁଥିବ କର୍ପୂର ଚନ୍ଦନାଦି ଲେପନ ବିଧାନ

ନାନାରତ୍ନ ଆଭରଣ ହୋଉଥିବ ଦୂଷଣ ସମାନ ।

ନେତ୍ରନୀରେ ଭାସିଯିବା ଡରେ ନିଦ୍ରା ଆସିବ କାହିଁକି

ନ କଲା ବିଧାତା ଆଉ କେହ୍ନେ ଗତି ବିରହୀ ଦେହୀକି ।୧୦।

ଟଳ ଟଳ ହୋଇ ଟଳି ପଡ଼ୁଥିବ ଅନଙ୍ଗ ଅବଶେ

ଟେକ ଲାବଣ୍ୟ ଟାଣ ମାତ୍ର ଥିବ ତା ସେ କୁଚ-କଳଶେ ।

ଟେକି କେତେବେଳେ ସଖୀମାନେ ସ୍ନେହେ ପକାଇ ଅଙ୍କରେ

ଟେକସ୍ୱର ହୋଇ ଡାକୁଥିବେ ଟଙ୍କଧରକୁ ଉଚ୍ଚରେ ।୧୧।

ଠାକୁରାଣୀ ପଣ ଲକ୍ଷଣ ତାହାର ଅପାରୁ ଅପାର

ଠାଠିକ କରି ତାହାଠାରେ କଲି ମୁଁ ଠକଙ୍କ ବେଭାର ।

ଠିଆ ହୋଇ ଯେ ଚାହୁଁଥାଇ ଗୋଧନ ବାହୁଡ଼ା ସମୟେ

ଠାଠିକ ଆଷାଢ ମେଘକୁ ତୃଷିତ ଚାତକ ପରାୟେ ।୧୨।

ଡେରିଥାଇ ନେତ୍ର ଶ୍ରବଣ ମୋହୋର ମୁରଲୀ ଧୂନିକି

ଡୋଳେ ଦେଖୁ ଦେଖୁ ଛାଡ଼ି ମୁଁ ଅଇଲି ଜୀବନ-ଧନୀକି

ଡେରି ଶ୍ରବଣ ନେତ୍ର ଏବେ କାହାକୁ କରିବି ଭରସା

ଡକା ତ ହେଲା ମୋ ଡାଳିମ୍ୱଦନ୍ତୀକି ଥିଲା ସେ ୟେ ଦଶା ।୧୩।

ଢାଳି କରେ ଗଣ୍ଡପାଳୀ ଭାଳୁଥିବ ମୋହୋର ପ୍ରସଙ୍ଗ

ଢଳିଥିବ ତାର ସୁରଙ୍ଗ-କୁରଙ୍ଗ-ନୟନ-ତରଙ୍ଗ ।

ଢାଳେ ମୋର ଦୟା ଉପ୍ରୋଧ ନାହିଁ, ମୁଁ ଅତିହିଁ ଦାରୁଣ ।

ଢୋକିଲା ଅମୃତ ଢାଳିଦେଇ ଏବେ କରୁଛି କାରୁଣ ।୧୪।

ଆହା ରେ ଆଜନ୍ମସୁଖି ! ଶଶୀମୁଖି ! ଆହାରେ ସଜନି !

ଏହା ଅରଜିଲି ତୋ ବିନୁ ବଞ୍ଚିଲି ଏ ମଧୁ ରଜନୀ ।

ଏମନ୍ତେ କରି ମୋ କର୍ମରେହେଁ ଲେଖିଥିଲା ସେ ଦଇବ

ଅଧପ୍ରାଣ ଯାଇ ଅଧପ୍ରାଣ ଥାଇ ଏ ଦେହ ସହିବ ।୧୫।

ତାପ-ତଟନୀ ତଟ ତରୁ ହୋଇଛି ହୃଦୟ ମୋହୋର

ତହିଁ ପୁଣି କାମ କରୁଅଛି ଶର ବରଷା ପ୍ରଖର ।

ତାହା ଦୁଖେ ଦୁଖୀ ତାହା ସୁଖେ ସୁଖୀ ସିନା ଏ ଶରୀର ।

ତଥାପି ତରୁଣୀମଣି କଥାକୁ ମୋ ହୋଉଛି ବିଚାର ।୧୬।

ଥରୁ ଯେ ଥିବ ମଦନ ପଶଞ୍ଚରେ ଥବିରହୃଦୟା

ଥରେ ଥରେ ବୋଲୁଥିବ ପ୍ରାଣବନ୍ଧୁ ଅତିହିଁ ନିର୍ଦୟା

ଥିବ ନି କି ତାର ସେ ଚନ୍ଦ୍ରବଦନେ ସେ କାଳ ପ୍ରସନ୍ନ

ଥିବାକାଳେ ତାହା ପାଶେ ଯାହା ଦେଖିଥିଲା ଏ ନୟନ ।୧୭।

ଦୂର କରିଥିବ ଦରହାସକୁ ସେ ବନ୍ଧୁକ-ଅଧର

ଦଇବେ ନିଶ୍ୱାସ ରଖି ନ ଥିବ ତା ସୁରଙ୍ଗ ବେଭାର ।

ଦିବ୍ୟ କନକ କେତକୀ ଦେହ ଛାଡ଼ିଥିବ ତା ଝଳିକି

ଦୁର୍ବଳ ଭାବରୁ ବହୁ ନ ଥିବ ସେ ମୁକୁତା ମାଳିକି ।୧୮।

ଧୀରେ ସଖୀମାନେ ଅନାଇଁ ଧରଣୀମଣ୍ଡନୀ ମୂର୍ତ୍ତିକି

ଧଉର୍ଯ୍ୟ ହରାଇ ଧିକ୍କାରଥିବେ ମୋ ପ୍ରମାଦ ପ୍ରୀତିକି ।

ଧ୍ରୁବ ହୋଇ ଧ୍ରୁବ ଲୋକେ ଯେଉଁ ପ୍ରୀତି କରିଛି ପ୍ରକଟ

ଧାତା ହଟ ଦେଖ ତହିଁ ପୁଣି କଲା ଏମନ୍ତ କପଟ ।୧୯।

ନ କରଇ କାଳ କେତେବେଳେ କାହା କି ନୋହେ ଏ ଦେହ

ନେତ୍ର ପଲକ ଯେ ନ ସହେ ସହିଲା ସେ ଏତେ ବିରହ ।

ନୃପତି ସମ୍ପତ୍ତି କେତେବେଳେ କେତେବେଳେ ହେଁ ଦୀନତା

ନ ଥିବା ଥିବା ଥିବା ନ ଥିବା କରେ ଦଇବ ବିଧାତା ।୨୦।

ପ୍ରାଣବାନ୍ଧବୀ ମୁଖ କାହିଁ ଚାହିଁବି, କାହିଁ ଏ ସନ୍ତାପ

ପଡ଼ିଲା ଅମୃତ ବୃଷ୍ଟିରେ ବରଷା ପାଷାଣ କଳାପ ।

ପୀତବସନୀ ମତ୍ତପିକବଚନୀ ଚମ୍ପକବରନୀ

ପୁଷ୍ପକାଳପ୍ରାୟେ ସୁଖଦ ପଲ୍ଲବ ଦଶନବସନୀ ।୨୧।

ଫୁରୁଣାରେ ଫୁଲ୍ଲ କୁସୁମ ଦେଖି ଯେ ହୁଅଇ ଅଥିର

ଫୁଲୁଥାଇ ଫୁଲ୍ଲ କଦମ୍ୱ ପରାୟେ କେତକୀ ଶରୀର ।

ଫାଟି ଯାଉଥିବ ହୃଦୟ ଏବେ ଯେ ଅନାଇଁ ଏମାନ

ଫୁଲଶର ଶରେ ଫୁଟୁଥିବ ମୋର ଜୀବର ଜୀବନ ।୨୨।

ବଡ଼କରି ଲୋକେ ଗ୍ରୀଷମେ ଘେନନ୍ତି କର୍ପୂର ଚନ୍ଦନ

ବିଧୁବଦନୀ ଅଙ୍ଗସଙ୍ଗୁ ଲୋଡ଼ା ମୋ ନ ଥାଇ ସେମାନ ।

ବଞ୍ଚାଇବ କଉଁ ପ୍ରକାରେ ବିରଞ୍ଚି ଅଇଲେ ସେ କାଳ

ବିରହ ଅଗ୍ନିରେ ଘୃତ ସମ ଦେଲେ ଜଳଇ ପ୍ରବଳ ।୨୩।

ଭାଗିଲା ସବୁ ଭରସା ଏକ ଭୁରୁଶୋଭିନୀ ବିହୁନେ

ଭୂପତି ନ ଥିଲେ ସମ୍ପତ୍ତି ଯେମନ୍ତ ସୁଖକୁ ନ ଘେନେ ।

ଭାବଗ୍ରାହୀ ଭରସାରେ ଭାବେ ମତେ ଭଜିଲା କମଳା

ଭାସିଲା ଅଗାଧ ଜଳଧିରେ ଭେଳା ଲଗାଅ ଅବଳା ।୨୪।

ମୋତେ ମେଘ କରି ବିଜୁଳୀ ହୋଇ ଯେ ଝଟକେ କୋଳରେ

ମରାଳଗମନୀ କିରୂପେ ବଞ୍ଚିବ ଏ ଘନକାଳରେ ।

ମୟୂର ଡାକରେ ମେଘ ଦମକରେ ପଡ଼ିବ ଚମକ

ମଲି ତ ନାହିଁ ମୋ ପ୍ରାଣବନ୍ଧୁ କେତେ ସହିବି ଆତଙ୍କ ।୨୫।

ଜୀବ ଥିବ ନିକି ଶରଦଶଶୀର ହେମନ୍ତ ସରିକି

ଯାବତ ପ୍ରକାରେ ଦୁଖ ଦେଲା ବିହି କନକଗୋରୀକି ।

ଜାଣିଲି ସଂସାରେ ନାହିଁ ନାହିଁ ଧାତା ସମାନେ ଦାରୁଣ

ଯାହାକୁ ଦେଖିଲେ ପଶୁ ବଶ ହୋଏ ତାକୁ ଏ କଷଣ ।୨୬।

ରତିପତିକି କି ବୋଲିବା ଗତି ଯେ ନ କରେ ବିଚ୍ଛେଦେ

ରଖିଛି ସେ ଏବେ ଜୀବନେ ତାହାକୁ ସେନେହ ପ୍ରମାଦେ

ରସବତୀ ରସେ ରସିକ ହୋଇ ମୁଁ ରହିଲି ନିଶ୍ଚିନ୍ତେ

ରହିଲେ ଯେମନ୍ତେ ଜଳରେ ଉଜ୍ଜ୍ୱଳ ହୃଦୟ ନ ତିନ୍ତେ ।୨୭।

ଲୋକେ ତାହାକୁ ଯେ ଲେଖନ୍ତି ଆଗରେ ଉତ୍ତମ ବିଚାର

ଲୋଡ଼ା ଏହି କଥା ଲାଗିଛି ବାରତା ପଛରେ ମୋହୋର

ଲକ୍ଷେ ପ୍ରକାରେ ଅପରାଧ କଲେ ସେ ନୋହଇ ବିମନା

ଲଳିତଲପନୀ କ୍ଷମା-ଜଳନିଧି ଦୟାରେ ସୁମନା ।୨୮।

ବାଳା କୋମଳା ସୁଶୀଳା ଯେ ଲେଶେହେଁ ନ ଛାଡ଼େ ଲୀଳାକୁ

ବଡ଼ ଆଭରଣ କରିଥବ ଏବେ ଲୋତକମାଳାକୁ

ବାହୁଡ଼ି ଆଉ ଦେଖିବି ନିକି ବିଧୁବଦନୀ ବଦନ

ବିଧାତା ଏହା ସତେ କରିବ ଯିବ ମଦନ କଦନ ।୨୯।

ସବୁ ସହଇ ଏ ଦେହ ବସୁମତୀ ପରାୟେ ପ୍ରମାଣ

ଶଶୀମୁଖୀକି ଦୁଖ ସୁଖ ଦେବାକୁ ମୁଁ ଆଗ କାରଣ

ଶୀର୍ଣ୍ଣ ହୋଇବ ପୂର୍ଣ୍ଣମୀ ଚନ୍ଦ୍ରକଳା ପରାଏ ଏଣିକି

ଶିବ ଶିବ ଶିବ ରଖ ରଖ ରଖ ମୋ ପ୍ରାଣମଣିକି ।୩୦।

ଶକଳ ଚନ୍ଦ୍ରମା ହେଲେ ତୁମ୍ଭ ଶିର ମଣ୍ଡନ ଯେମନ୍ତ

ସକଳ ରୂପେ ସକଳଚନ୍ଦ୍ରମୁଖୀ ମୋହୋର ତେମନ୍ତ

ଶେଷ ନୋହେ ମନୋଭବ ନବଦଶା ଭିତରେ ଥିଲେହେଁ

ଶଙ୍ଖଚକ୍ରପାଣି ରଖିବେ ମୋ ଗୁଣମଣିକି ଭଲେହେଁ ।୩୧।

ସୁମରି ଏହି ପ୍ରକାରେ ସୁନ୍ଦରୀକି ପକାଇ ନିଶ୍ୱାସ

ସଜଳ ନୟନା ହୋଇ ହେଲେ ସେହି କଥାରେ ପ୍ରବେଶ

ସୁମରି ସୁମନ ସୁପୁରୁଷେ ଯଦି ହୁଅଇ ଦୀନତା

ସୁମନସ ଶର ସରସ୍ୱତୀ ଧିକ ଧିକ ସେ ବିଧାତା ।୩୨।

ଦୃଦରେ ଏହା ବିଚାରି ଉଦ୍ଧବକୁ କହିଲେ ସନ୍ଦେଶ

ହଂସଗମନୀ ଗୋପୀଙ୍କି ତୁମ୍ଭେ ଯାଇ କରାଅ ସନ୍ତୋଷ

ହୋଇ ଅଛନ୍ତି ସେ ମୋ ସଙ୍ଗ ବିହୁନେ ସାରସ ସଦୃଶ

ହରଷ କରାଇ ତାଙ୍କୁ ତୁମ୍ଭେ ଯାଇ ହୋଇବ ଦିବସ ।୩୩।

କ୍ଷମାସାଗର ଆଜ୍ଞା ଘେନି ଉଦ୍ଧବ ଗୋକୁଳେ ପ୍ରବେଶ

କ୍ଷପାକରମୁଖୀ କ୍ଷିତିମଣ୍ଡନୀକି କହିଲେ ସନ୍ଦେଶ

କ୍ଷୋଭ ଛାଡ଼ି ଗୋପୀ ନ ଛାଡ଼ିଲେ କେତେବେଳେହେଁ ଆଶକୁ

କ୍ଷେମେ ଦୀନକୃଷ୍ଣ ବୋଲେ ବଚନ କି ଦରିଦ୍ର ନାଶକୁ ।୩୪।

 

୩-୨

-

ମୋର ଗୁଣ କେତେବେଳେ (ଖ)

୪-୪

-

ଘେନୁ ନ ଥିବ ସେ (ଗ)

୫-୧

-

ନବୀନ ବୟସେ (ଗ)

୫-୨

-

ନ ଯାଇ ଜୀବନ କିମ୍ପା ରୁହି ତାହା କରୁଛି ତଳବା (ଖ)

୬-୨

-

ଚଣ୍ଡକର ଚନ୍ଦ୍ରମଣିକି (ଗ)

୯-୩

-

ଝଲକ ବରନୀ (ଗ)

୯-୪

-

ଝାଳେ ଝଳି ଯାଉଥିବ ଝୀନ ନୀଳ ବସନ୍ତ ପତନୀ (ଗ)

୧୦-୨

-

ମଣୁଥିବ ଦୂଷଣ ସମାନ (ଗ)

୧୧-୧

-

ଟଳି ପଡ଼ୁଥିବ ଅନଙ୍ଗ ଅନଳେ (ଖ)

୧୧-୨

-

ଲାବଣ୍ୟଟାଣ ଥିବ କେବଳ ଉରଜ ଯୁଗଳେ (ଖ) ଲାବଣ୍ୟ କେବଳ ଥିବ ତାର-(ଗ)

୧୧-୪

-

ଡାକୁଥିବେ ଟଙ୍କଧରକୁ ଭୟରେ (ଖ) ଟେକସ୍ୱରେ ଡ଼ାକ ଦେଉଥିବ (ଗ)

୧୩-୩

-

ଡେରିଣ ଶ୍ରବଣ ନୟନ କାହାକୁ (ଗ) ୧୩-୪-ଥିଲା ଏତେ ଦଶା (ଗ)

୧୪-୧

-

ଏହା ଅର୍ଜିଥିଲି ତୋ ବିନା ବଞ୍ଚିଲି ଏ ଚନ୍ଦ୍ରରଜନୀ (ଗ)

୧୬-୧

-

ତାପ ତଟିନୀ ତଟତରୁ ପରାୟେ ଜୀବନ (ଖ)

 

 

୧୮ ପଦର ୧ମ ଓ ୨ୟ ପାଦ ର ପୋଥିରେ ୩ୟ ଓ ୪ର୍ଥ ପାଦରୂପେ ପଠିତ-

୧୮-୩-୪

-

ଦୂରକରି ଦେଇଥିବ ଦ୍ର ହାସତ୍ୱ ବନ୍ଧୁକ ଅଧରୁ । ଦଣ୍ଡକେ ନିଶ୍ୱାସ ରଖୁ ନ ଥିବ ସେ କୁସୁମ ନାସାରୁ ।

୧୯-୩

-

ହୋଇଛି ପ୍ରକଟ (ଗ)

୨୦-୪

-

ନଥିବା ଥିବା କରିଥିବା ନକରେ ଦରବ ଅହନ୍ତା (ଖ) ନ ଥିଲା କରି ନ କରେ ଦଇବ ବିଧାତା (ଗ)

୨୧-୧

-

ସୁଖ କାହିଁ ପାଇବା (କ)

୨୩-୨

-

ବିଧୁ ବଦନୀ ଅଙ୍ଗ ସଙ୍ଗ ଲୋଡ଼ା ମୋ (ଖ)

୨୬-୨

-

ଯାବତ ପ୍ରେମରେ ଦୁଖ ଦେଲା (କ)

୨୬-୩

-

ଜାଣିଲି ବିଧାତା ପରାୟେ ସଂସାରେ ନାହିଁଟି ଦାରୁଣ (ଖ)

୨୭-୪

-

ରହିଛି ଜଳରେ ଉତ୍ପଳ ଯେହ୍ନେ ତା ହୃଦୟ ନ ତିନ୍ତେ (ଗ)

୨୮-୧

-

ଲେଖନ୍ତି ଆହାରେ (ଗ)

୨୮-୨

-

ଲୋଡ଼ି ଏହିକଥା ଲାଗିଥିବାକୁ ତା ପଛରେ ମୋହର (ଗ)

 

 

ଗ ପୋଥିରେ ୨୯ ପନ୍ଦର ୩ ଓ ୪ ପାଦ ୧ ଓ ୨ ପାଦରୂପେ ଏବଂ ୧ ଓ ୨ ପାଦ ୩ ଓ ୪ ପାଦରୂପେ ପଠିତ ।

୩୩-୪

-

ହକରାଇ ରାଇ ତାଙ୍କୁତୁମ୍ଭେ ଏବେହୁଅ ଯାଇ ହଂସ (ଗ)

Image

 

ଉଦ୍ଧବ ଚଉତିଶା

 

ବିରହ-ବ୍ୟଥିତ ଶ୍ରୀକୃଷ୍ଣଙ୍କ କର୍ତ୍ତୃକ ବିରହ-ବିଧୁରା ଗୋପିକାମାନଙ୍କ ନିକଟକୁ ଉଦ୍ଧବଙ୍କଦ୍ୱାରା ସନ୍ଦେଶ ପ୍ରେକ୍ଷଣ ଶ୍ରୀକୃଷ୍ଣଙ୍କ ବ୍ରଜାଙ୍ଗନା-ପ୍ରେମ-ପୁସ୍ତକର ଗୋଟିଏ ଅତି କମନୀୟ ଓ କରୁଣ ଅଧ୍ୟାୟ । ଗୋପରେ ଉଦ୍ଧବ ଓ ଗୋପିକାଗଣଙ୍କ କଥୋପକଥନ ବ୍ରଜଭାବରସିକମାନଙ୍କର ପରମ ଧନ । ଉତ୍କଳର ଭିନ୍ନ ଭିନ୍ନ କବିମାନେ ନିଜର ବ୍ୟକ୍ତିତ୍ୱର ବିଶେଷତ୍ୱ ବଜାୟ ରଖି ତାହା ଭିନ୍ନ ଭିନ୍ନ ପ୍ରକାରେ ବର୍ଣ୍ଣନ କରିଅଛନ୍ତି । ଏତତ୍‌ ପ୍ରସଙ୍ଗୀୟ ଉଦ୍ଧବ ଚଉତିଶା ନାମକ ଖଣ୍ଡ କବିତା କେବଳ, ଆମ୍ଭେ ଚାରି ପାଞ୍ଚ ପ୍ରକାରର ପାଇଅଛୁଁ । ଦୀନକୃଷ୍ଣଙ୍କର ଏହି ଉଦ୍ଧବ ଚଉତିଶାକୁ ଛାଡ଼ି ଦେଲେ ଆମ୍ଭ ମତରେ ସୁକବି ଭୂପତି ପଣ୍ଡିତଙ୍କ ଉଦ୍ଧବ ଚଉତିଶା ତନ୍ମଧ୍ୟରେ ପ୍ରଧାନ । ଦୀନକୃଷ୍ଣଙ୍କ ଏହି କୃତିରେ ପ୍ରେମର ନିତ୍ୟ ସହଚର ଅଭିମାନ ଗୋପିକା ଖେଦୋକ୍ତିରେ ବିଗ୍ରହବନ୍ତ ହୋଇଥିଲାପରି ବୋଧହୁଏ । ବସ୍ତୁତଃ ଲଳିତ ଲିପିନ୍ୟାସ ବଳରେ ମୂର୍ତ୍ତହୀନ ଭାବକୁ ମୃର୍ତ୍ତଦାନ କରିବାରେ ଦୀନକୃଷ୍ଣ ଧୁରନ୍ଧର ବିନ୍ଧାଣୀ ।

 

ରାଗ କଉଶିକ

କହନ୍ତି ଗୋପୀ କୁସୁମଶରେ ତାପୀ ହୋଇ ଉଦ୍ଧବଙ୍କୁ ବଚନ ।

କୃପାସିନ୍ଧୁ ହୋଇକରି ଆମ୍ଭଠାରେ କି କଲେ କମଳଲୋଚନ ।

ଆହେ ଉଦ୍ଧବ ।

କି କହିବୁଁ ଆଉ ତାହାଙ୍କୁ

କର୍ମ ଅବଳକୁ ଶଫଳ ନନ୍ଦନ ବିଫଳକୁ ନେଲା ଆମ୍ଭଙ୍କ ।୧।

ଖୁଆ ଯେସନେ କ୍ଷୀର ମନ୍ଥି ତହିଁରୁ ସ୍ନିଗଧ ବାହାର କରଇ ।

ଖାଇ ନ ପାରି ଦାରୁହସ୍ତ ପରାୟେ ପରବଶେ ଭ୍ରମି ମରଇ ।

ଆହେ ଉଦ୍ଧବ ।

ଖଳସ୍ୱଭାବ ସେହିମତି

ଖାଇବା ପିଇବା ନ ଥିଲା ସର୍ପର ପରାୟେ ପରକୁ ନାଶନ୍ତି ।୨।

ଗଳା ମର୍କତକଣ୍ଠିମାଳୀ ଆମ୍ଭର ଗଣ୍ଠିଆ ହାତରେ ରହିଲା ।

ଗୁଆଁରକୁ ଗୁଣବନ୍ତ ଆଶ୍ରେ କଲା ପ୍ରାୟେ ସବୁ ସୁଖ ବୁଡ଼ିଲା ।

ଆହେ ଉଦ୍ଧବ ।

ଗୁହାରି କରିବୁଁ କାହାକୁ

ଗାଈବାରଣ ବାଡ଼ ଶସ୍ୟ ଭକ୍ଷିଲେ ଆଉ କେ ରଖିବ ତାହାକୁ ।୩।

ଘେନାଇ ଗଲା ନୃପ କଂସ ଆପୁର ଗୋପପୁର-ଅବତଂସକୁ ।

ଘଡ଼ିଏ ନୟନେ ଦେଖି ନ ପାରିଲେ ଅନ୍ଧାର ଯେମନ୍ତ ହଂସକୁ ।

ଆହେ ଉଦ୍ଧବ ।

ଘେନିଥିବ ମନେ ସେ କଥା ।

ଘାତ କରଇ ଯେ ଯାହା ସୁଖ ତାହା ସୁଖ ନାଶ ଯାଇ ସର୍ବଥା ।୪।

ନୃପତି ହୋଇ ନୀତିବନ୍ତ ନୋହିଲେ ନିକଟେ ଭେଟଇ କାଳକୁ ।

ନାବ ନ ଥିଲେ ତରି ନୋହେ ଯେମନ୍ତ ଅଗାଧ ସମୁଦ୍ର ଜଳକୁ ।

ଆହେ ଉଦ୍ଧବ ।

ନିଶ୍ଚେ ଗୁଣି ମୂଳ ସ୍ୱଭାବ ।

ନବଘନ ଶ୍ୟାମ ନ ଜାଣନ୍ତି କାହା ଭାବେ କି ନ କଲେ ଅଭାବ ।୫।

ଚାଟୁବଚନ ସେ ଯେତେକ କହନ୍ତି ଚନ୍ଦ୍ର ଚନ୍ଦନରୁ ଶୀତଳ ।

ଚିତ୍ତ ଛାର କେତେ ବଶ କରିବାକୁ ପାଷାଣ ହୋଇଯିବ ଜଳ ।

ଆହେ ଉଦ୍ଧବ ।

ଚତୁର ପଣ ମହିମାକୁ

ଚନ୍ଦ୍ରଚୂଡ଼ ଅନୁଭବ କରିଥିଲେ ଥିଲେ ପଚାରନ୍ତ ବ୍ରହ୍ମାଙ୍କୁ ।୬।

ଛାର ପାମରୀ ଆଭୀରୀ ନାରୀ ଆମ୍ଭେ ବନଚରୀ ସିନା ଦୁର୍ବୁଦ୍ଧି ।

ଛନ୍ଦ ପ୍ରବନ୍ଧ କଥା ଆମ୍ଭଠାରେ ସେ କିମ୍ପା ନ କରିବେ ପ୍ରସିଦ୍ଧି ।

ଆହେ ଉଦ୍ଧବ ।

ଛଇଳ ଭ୍ରମର ପୀରତି

ଛାର ପରାୟେ କ୍ଷଣକୁ କ୍ଷଣ ଆନ ଜୂଅ କଉଡ଼ି ପ୍ରାୟେ ମତି ।୭।

ଯେତେ ରୂପେ ଆମ୍ଭେ ଭଜିଲୁଁ ତାହାଙ୍କୁ ଜଗତେ ଜାଣନ୍ତି ସେ କଥା

ଯେବେ ପ୍ରଭୁ ହୋଇ ଅବେଭାର କଲେ କେ ତାହା କରିବ ଅନ୍ୟଥା

ଆହେ ଉଦ୍ଧବ ।

ଯାହା କରଇ ପ୍ରଭୁପଣ

ଜାଣିଥିବ ତାହା କେହି ନ କରଇ ମହାଦେବଙ୍କଠାରୁ ଜାଣ ।୮।

 

ଝସକେତୁକୁ ନୟନେ ପୋଡ଼ିଦେଇ ଅଙ୍ଗରେ ବହିଲେ ଯୁବତୀ

ଝୀନବସ୍ତ୍ର ତେଜି ଦିଗମ୍ୱର ହେଲେ ମହାଦେବ ସେ ମହାଯତି ।

ଆହେ ଉଦ୍ଧବ ।

ଝାଡ଼ବାସୀ ତ ଆମ୍ଭେ ଛାର

ଝର ପାଣି ପ୍ରାୟେ ବେଭାର ଆମ୍ଭର ହୋଇଲା ଅସାର ।୯।

ନିନ୍ଦିବା ବନ୍ଦିବା କଥାକୁ ଯାହାର ନ ଥାଇ ମନରେ ବିଚାର

ନ ଘେନଇ ଯେ ହାନି ଲାଭ ଆମ୍ଭର ଦୂରୁ ତାହାକୁ ନମସ୍କାର

ଆହେ ଉଦ୍ଧବ ।

ନ କଲେ ସେ କଉଁ ନିରାଶ

ନ କରିଥିଲୁ ଆମ୍ଭେ କଉଁ ଭରସା ଏବେହେଁ ନାହିଁ କଉଁ ଆଶ ।୧୦।

ଟଳିଲା ନାହିଁ ମନ ତାଙ୍କ ବାହାରେ ଆନଠାରେ ଆଉ ଆମ୍ଭର ।

ଟେକ ତୃଷାର୍ତ୍ତ ଚାତକ ଯେହ୍ନେ ଗ୍ରହ ପାଇଁ ରସିଲା ଜଳଧର ।

ଆହେ ଉଦ୍ଧବ ।

ଟିକିଏ ସେ ଦୟା ନ କଲେ

ଟେକରେ ଥୋଇ ଟୋପରେ ପକାଇଲା ପ୍ରାୟେ ଆମ୍ଭଙ୍କୁ ନାଶ କଲେ ।୧୧।

ଠାକୁରବର ବୋଲି ବଡ଼ ଭରସା କରିଥିଲୁ ଆମ୍ଭେ ତାହାଙ୍କୁ

ଠକ ବେଭାର ଦେଖିଲା ଦିନୁ ସିନା ଚମକି ଉଠୁଅଛି ବୁକୁ ।

ଆହେ ଉଦ୍ଧବ ।

ଠାବ ନ କଲୁ ତାଙ୍କ ଚିତ୍ତ

ଠିକେ ସାତସ୍ୱରୁ ରାଗ ଜନମିଲା ପ୍ରାୟେ ତା ମାୟା ଅପ୍ରମିତ ।୧୨।

ଡକା କରିବା ଡରିବାରୁ ରଖିବା ପଡ଼ିବା ଗଢିବା ଭାଙ୍ଗିବା

ଡିମ୍ୱ ପ୍ରତିପାଳି ପରାଣେ ମାରିବା କଥା ତାରତମ କରିବା ।

ଆହେ ଉଦ୍ଧବ ।

ଡୋଳେ ତ ସବୁ ଦେଖୁଅଛ

ଡାକି କହିବଟି କପଟ ନ କରି କେ ଆଗେ କଉଁ କଥା ପଛ ।୧୩।

ଢାଳେ ନୋହିବ କଥା ବଡ଼ ସୁଲଭ ହୋଇ ନୋହିବ ବଡ଼ଦୁଖ

ତମ କହୁ ନାହୁଁ ସମସ୍ତ କଥାକୁ କାରଣ ତାଙ୍କ ପଦ୍ମମୁଖ ।

ଆହେ ଉଦ୍ଧବ ।

ଢେଉ ଯେହ୍ନେ ମୃଗତୃଷ୍ଣାରେ

ଢଳୁଅଛି ମନ ହୋଇ ଛନଛନ ଏବେ ତାହାଙ୍କର ଆଶାରେ ।୧୪।

ଆଶ୍ରେ କରି ବଡ଼ଲୋକଙ୍କୁ ଅଦୃଷ୍ଟ ଆଦରି ଯେବେ ଦୁଖ ପାଇ ।

ଏମନ୍ତ ହେଲେ ଅଗମ୍ୟ ବନସ୍ତରେ ପଶି କିମ୍ପା ବୁଲୁ ନ ଥାଇ ।

ଆହେ ଉଦ୍ଧବ ।

ଆମ୍ଭର କର୍ମ୍ମ ଥାନ୍ତା ଯଦି

ଏମନ୍ତ କିମ୍ପା ହୁଅନ୍ତେ ସତ୍ୟ ସତ୍ୟ କିମ୍ପା ନୁହନ୍ତେ ସତ୍ୟବାଦୀ ।୧୫।

 

ତାରିବା ଲୋକ ମାରିବାକୁ ବସିଲେ ତହିଁକି ଅଛି କି ଉପାୟେ

ତଥାପି ତର୍କ ପାରିଲେ ତରି ପାରି ଆମ୍ଭେ ତ ବନ ପଶୁପ୍ରାୟେ ।

ଆହେ ଉଦ୍ଧବ ।

ସ୍ତିରୀ ମାରଣେ ସେ ଦାରୁଣ

ତୋଟି ଚିପିବା ତାଳୁ ଫୋଡ଼ି ମାରିବା ତାଙ୍କତହୁଁ ହେଲା ଭିଆଣ ।୧୬।

ଥାନ ବିଶେଷେ ସ୍ୱାତୀ ଜଳ ପରାୟେ ଗୁଣହିଁ କରନ୍ତି ଅପାର ।

ଥିଲା ନାହିଁ ମନେ କୁବୁଜାକୁ ଦେଖ କଲେ ସୁନ୍ଦରୀ-ଅଳଙ୍କାର ।

ଆହେ ଉଦ୍ଧବ ।

ଥାଇ ଯାହାକୁ ଯଉଁ ଯୋଗ

ଥାଣୁ ଶିରକୁ ଚନ୍ଦ୍ରମା ଗଲା ପ୍ରାୟେ ତାହା ଇଚ୍ଛାୟେ ହୋଏ ଭୋଗ ।୧୭।

ଦାହ ସମ୍ମୁଖେ ଅମୃତ ଦେଲା ପ୍ରାୟେ ଉଠୁଅଛି ଯଉଁ ସନ୍ତାପ

ଦୁଖକର ତାହା କହିଲେ କି ହେବ କରିଛୁ ଆମ୍ଭେ ମହାପାପ ।

ଆହେ ଉଦ୍ଧବ ।

ଦଇବର ସବୁ ଘଟନା

ଦୀନବନ୍ଧୁ ହୋଇ ଦୁଖକାଳେ ପ୍ରଭୁ ଦିନେ ନୋହିଲେ ଆସି ସେହ୍ନା ।୧୮।

ଧର୍ମ ପୁରୁଷ ସେ ଅଧର୍ମ କରିବା ନୁହଇ ତାହାଙ୍କ ବେଭାର

ଧାର୍ମିକ ବିବେକ ରସିକବର ସେ ସମସ୍ତ ଗୁଣର ଆଧାର

ଆହେ ଉଦ୍ଧବ ।

ଧଉର୍ଯ୍ୟ-ନିଧିକି କହିବ

ଧ୍ରୁବ ବଚନ ଯେ ଅଧ୍ରୁବ ହେଉଛି ଧରଣୀ କେମନ୍ତେ ରହିବ ।୧୯।

ନୟନ ମନ ନ ଛାଡ଼ିଲା ତାହାକୁ ଏହି କଥା ହେଲା ପ୍ରମାଦ

ନ ଗଲା ଅନାଥ କଲେହେଁ କେବେହେଁ ଶ୍ରୀଗୋପୀନାଥ ଅପବାଦ

ଆହେ ଉଦ୍ଧବ ।

ନିଅଇ ମଧୁ ପୁଷ୍ପକର

ନିଷ୍ଫଳ ଭାଗ୍ୟବଶରୁଁ ଭୃଙ୍ଗ ଦେଖ ନାମ ବୋଲାଇ ମଧୁକର ।୨୦।

ପରମ ଆନନ୍ଦ କହିଲେ ଆମ୍ଭର ପରମାନନ୍ଦ ନାମ ବହି

ପ୍ରୀତିଠାରେ ନିକି ଅବେଭାର କଲେ ପ୍ରଭୁମାନଙ୍କ ରୀତି ଏହି ।

ଆହେ ଉଦ୍ଧବ ।

ପଚାରିବଟି ବାରେ ଯାଇଁ

ପରମ ଅମୃତ କୁଣ୍ଡେ ବୁଡ଼ିମଲେ ମରିବାର ସେ କି ନୁହଇ ।୨୧।

ଫଲ୍ଲାରବିନ୍ଦ-ବଦନ ଫେଡ଼ି କରି କହିଗଲେ ଯାହା ଶ୍ରୀମୁଖେ

ଫନ୍ଦା କରି ସେହି କଥାମାନ ଗୋପୀ ଦିନ ବଞ୍ଚୁଛୁ ନାନା ଦୁଖେ

ଆହେ ଉଦ୍ଧବ ।

ଫୁଲଶର ନେଲା ଫୁରୁଣା

ଫୁଲ ଚୁମ୍ୱିଗଲା ଭ୍ରମର ପରାୟେ ଦିନେହେଁ ନ କଲେ କରୁଣା ।୨୨।

 

ବୋଲନ୍ତି ଏ ବଡ଼ ବଡ଼ମାନଙ୍କର ବଡ଼ ବିଚାର ବଡ଼ ବୁଦ୍ଧି

ବୋଇଲା ବଚନ ବିଅର୍ଥ ନ କରି ବିଶେଷେ କରନ୍ତି ପ୍ରସିଦ୍ଧି ।

ଆହେ ଉଦ୍ଧବ ।

ବେଳେହେଁ ତାହା ନ ରଖିଲେ

ବଶ ହୋଇ କୁବୁଜାଙ୍କ ପ୍ରେମରସେ ଏହି କଥା ନିକି ଶିଖିଲେ ।୨୩।

ଭାବଗ୍ରାହୀ ଭାବ ଗ୍ରହଣ କରିବା ଭ୍ରମର କୁସୁମ ଚୁମ୍ୱିବା

ଭଲ ମନ୍ଦ ପାତ୍ରେ ବିଚାରନ୍ତି ନାହିଁ ଭାଗ୍ୟ କି ନ କରଇ ଅବା ।

ଆହେ ଉଦ୍ଧବ ।

ଭାବେ ଯେ ଅଭାବ କରିବା

ଭଲ ନୁହଇ ସେ ଭଲ ଲୋକଙ୍କର ଭ୍ରମର ସ୍ୱଭାବ ଧରିବା ।୨୪।

ମହତ ଲୋକଙ୍କୁ ଆଶ୍ରେ କରିବାର ପୋତ ବାଣିଜ୍ୟ ପ୍ରାୟେ ଜାଣ

ମହା ସାହସ ମହା ଆଶା ସକାଶୁଁ ମୁହୂର୍ତ୍ତକେ ଯାଇ ପରାଣ ।

ଆହେ ଉଦ୍ଧବ ।

ମହତହୀନ ଲୋକେ ପ୍ରୀତି

ମହାନଦୀ ପ୍ରାୟେ ବଢ଼ିବା ଅଧିକା ସେହି କି ନୋହଇ ଅନୀତ ।୨୫।

ଯେମନ୍ତେ ପୂର୍ବେ କପିଳ କୋପାନଳେ ଦହିଲେ ସଗର-ତନୟେ

ଜଳୁଛି ନିରତେ ସେହି ପରକାରେ କାମ ଅନଳେ ଆମ୍ଭ କାୟେ ।

ଆହେ ଉଦ୍ଧବ ।

ଯଉଁ ପ୍ରତିକାର ତହିଁକି

ଜଗତ ଅଧୀନ ଆମ୍ଭ ପ୍ରାଣଧନ ଦେବ କୃଷ୍ଣ-ଭଗୀରଥିକି ।୨୬।

ରହିଥିବ କୀର୍ତ୍ତି କ୍ଷିତିତଳେ ପ୍ରୀତି ବିରହ ହୋଇ ଗୋପୀ ମଲେ

ରାଜୀବଲୋଚନ ଘନଶ୍ୟାମ କାମ-ହାଥରେ ତାଙ୍କୁ ଅଗ୍ନିଦେଲେ ।

ଆହେ ଉଦ୍ଧବ ।

ରତିର ପ୍ରତିଫଳ ଏହି

ରାତ୍ର ଦିବସ ରସି ତାଙ୍କ ରସରେ କାମ-ଅନଳେ ହେଲୁଁ ଦହି ।୨୭।

ଲୋକ ମଧ୍ୟରେ ଦେଖିଲା ନାହିଁ ନେତ୍ର ଶ୍ରବଣମଣ୍ଡନ ପ୍ରୀତିକି

ଲେଶେ ଅଙ୍ଗରୁ ଅନ୍ତର ନ କରନ୍ତି ସ୍ନେହ ଭାବରୁ ପାର୍ବତୀଙ୍କି

ଆହେ ଉଦ୍ଧବ ।

ଲଲାଟ ଲେଖନ ପ୍ରମାଣ

ଲୋଭ କରି ରତ୍ନାକରେ ବୁଡ଼ିଗଲେ ରତ୍ନ କି ଲଭୁଥାଇଁ ପୁଣ ।୨୮।

ବାଇ ପ୍ରାୟେ ହୋଇ ବହୁତ କହିଲେ ତହିଁରୁ କି ହେବ କାରଣ

ବଡ଼ ବଡ଼ଙ୍କୁ ବୋଧ କରି ନୁହଇ ବିବେକ ନ ଥିଲେ ପ୍ରମାଣ ।

ଆହେ ଉଦ୍ଧବ ।

ବିବେକବର ହୋଇ ହରି

ବଡ଼ଅବେଭାର ଏହିଠାରେ କଲେ କୁବୁଜା ସଙ୍ଗେ ପ୍ରୀତି କରି ।୨୯।

 

ସବୁହିଁ ସୁନ୍ଦର ପ୍ରଭୁପଣ ଥିଲେ ଜଗତେ ଯେତେ ଅସୁନ୍ଦର

ସର୍ପ ଶୟନ ହରି ହର ଉଲଗ୍ନ ହେଲେ କିଛି ନାହିଁ ବିଚାର ।

ଆହେ ଉଦ୍ଧବ ।

ଶୁକଳେ କଳା ଥିଲା ପ୍ରାୟେ

ସାନ ହୋଇ ବଡ଼ ଲୋକେ ଅବେଭାର ଦିଶେ ବହୁତ ଦୂରଯାୟେ ।୩୦।

ସେମାନ କହିବାରୁ ମାନହାନି ସେ କଉଁ ଲାଭ ତହୁଁ ଆମ୍ଭର

ସହଜେ ଆରଦ୍ର ବାଣିଜ ଲୋକର ବୋହିତ ଚିନ୍ତା ଅବେଭାର ।

ଆହେ ଉଦ୍ଧବ ।

ସବୁରୂପେ ଆମ୍ଭେ ଅସାର

ସୁତ ପତି ଛାଡ଼ି ଶରଣ ପଶିବା ଦୋଷ ନ ଧରିବେ ଶ୍ରୀଧର ।୩୧।

ଶେଷର ହିତେ ଦଣ୍ଡବତ ଆମ୍ଭର କହିବ ସେ ପ୍ରୀତିହରଙ୍କୁ

ସଙ୍ଖୁଳିଲେ ବୋଲି କହିବ ଆମ୍ଭର କୁବୁଜା-ନାଗରୀବରଙ୍କୁ ।

ଆହେ ଉଦ୍ଧବ ।

ସେ ସିନା କରୁଛନ୍ତି ପର

ସହସ୍ରେ ଅଂଶରୁ ଅଂଶେ ତ ଆମ୍ଭର ତାଙ୍କଠାରେ ନାହିଁ ଅନ୍ତର ।୩୨।

ହାଥ ଧରି ଆମ୍ଭେ କହୁଛୁ ତୁମ୍ଭଙ୍କୁ ଏତେକ କହିବ ତାହାଙ୍କୁ

ହତ ଆଦର କଲା ପ୍ରାୟେ ଆମ୍ଭଙ୍କୁ ଆଉ ନ କରିବେ କାହାକୁ ।

ଆହେ ଉଦ୍ଧବ ।

ହସ କଉତୁକ ବେଳରେ ।

ହରଷ ହୋଇ ଜଣାଇବ କରୁଣା ଥିଲେ ହୃଦୟ-କମଳରେ ।୩୩।

କ୍ଷୁଧା ନ ଥିଲେ ଅମୃତ ନ ରୁଚଇ କ୍ଷୁଧାରେ ସମସ୍ତ ମଧୁର

କ୍ଷମାସାଗର ନାଗରବର କ୍ଷୁଧା ହୋଇ ସେ ଅଛନ୍ତି ଆମ୍ଭର ।

ଆହେ ଉଦ୍ଧବ ।

କ୍ଷମେ ଯାଇ ବେଗେ ଜଣାଅ

କ୍ଷୀଣମତି ଦୀନକୃଷ୍ଣ ବୋଲେ କ୍ଷୋଭ ଛଡ଼ାଇବା କଥା ଶୁଣାଅ ।୩୪।

 

୧-୨

-

କୃପା ଆମ୍ଭଠାରେ ନ କଲେ (ଗ) ୧-୪-ଶଫଳ୍କ ନନ୍ଦନ (କ) ୨-୧-ସ୍ନିଗ୍ଧକୁ ବାହାର କରାଇ (ଖ)

୪-୫

-

ଘାତ କରଇ ଯେ ଯାହାର ପୀରତି ନାଶ ହୋଇ ତାର ସର୍ବଥା (ଗ)

୬-୫

-

କରିଛନ୍ତି (ଗ) କରିଥିବେ (ଖ)

୯-୫

-

ଝାଡେ ବୁଲି ତାଙ୍କ ସେବାରେ ରଜିବା ଦିଶିଲା ଆମ୍ଭ ଅବେଭାର (ଖ) ସାରିଲେ ନୋହିଲା ଅସର (କ)

୧୧-୨

-

ଟେକ ତୃଷିତ ଗତିକ ଯେହ୍ନେ ଗ୍ରହକାରୀ (ଖ)

୧୧-୨

-

ଟେକ ତୃଷିତ ଚାତକ ଆଶା କରି ରହିଲା ଯେହ୍ନେ ଜଳଧର (ଗ)

୧୧-୫

-

ପ୍ରାୟେକ କରି ନାଶ କଲେ (ଗ)

୧୨-୪

-

ଠାକୁରବର ହୋଇ ହରି (ଖ)

୧୨-୫

-

ଠକ ଅବେକର ଏହିଠାରେ କଲେ କୁବୁଜା ସଙ୍ଗେ ପ୍ରୀତି କର (ଖ)

୧୩-୫

-

ସେ ମାୟାଧରକୁ କେ ଆଗ (ଗ)

୨୧-୨

-

ପୀତିଠାରେ ଏଡ଼େ (ଖ) ଅବେଭାର କର (କ)

୨୧-୩

-

ପ୍ରୀତିଠାରେ ଏଡ଼େ (ଖ) ଅବେଭାର (କ)

୨୧-୩

-

ଥରେ ଯାଇଁ (ଖ)

୨୨-୧

-

ଫୁଲ୍ଲାର ବନ୍ଦ ନୟନ (କ)

୨୨-୨

-

ଫଳକରି (ଖ) ସେହିକଥା ଗୋପୀ (କ)

୨୨-୪

-

ଫୁଲ ଚୁମ୍ୱିଲା ଭ୍ରମର ପ୍ରାୟେ ଆଉ ଯେ ଦେଲା ତାହାକୁ କରୁଣ (ଖ)

୨୩-୧

-

ବୋଲନ୍ତି ଯେ ବଡ଼ଲୋକଙ୍କର ବଂନ୍ଧୁ ବିରଚ (ଖ)

୨୩-୨

-

ବେଶେ ସେ କରନ୍ତି ପ୍ରସିଦ୍ଧି (କ)

୨୩-୪

-

କୁବୁଂଜୀକି ପ୍ରେମବଶେ (କ)

୨୪-୨

-

ଭଲମନ୍ଦ ଆଉ (ଖ)

୨୪-୩

-

ଭାବରେ ଅଭାବ (ଖ)

୨୪-୪

-

ଭ୍ରମର ସ୍ୱରୂପ ଧରିବା (ଖ)

୨୫-୨

-

ମୁହୂର୍ତ୍ତେ ଘେନଇ ପରାଣ (କ)

୨୫-୪

-

ସହଜ ତ ନୋହେ ଅନୀତି (ଖ)

୨୬-୧

-

ହୋଇଲେ ସଗର (ଖ)

୨୬-୨

-

ଜଳୁଛି ସେହି ପ୍ରକାରେ ନିରନ୍ତରେ (ଖ)

୨୬-୩

-

ପ୍ରତୀକାର ଏତିକି (ଖ)

୨୬-୧

-

ରହିଥାଉ କୀର୍ତ୍ତି....ବିଚ୍ଛେଦ ହୋଇ (ଖ)

୨୭-୨

-

ଘନ ଶ୍ୟାମ କାମ ହୋଇରେ (କ)

୨୬-୪

-

ରସିକ ଭ୍ରମର ରସାନ୍ତର ହେଲେ ରସନ୍ତି ନାହିଁ ସ୍ନେହ ବହି (କ)

୨୮-୧

-

ଦେଖିବା ନାହିଁ ନେତ୍ର (ଖ)

୨୮-୨

-

ଅଙ୍ଗରୁ ବାହାର......ସ୍ନେହବଂଶରେ ପାର୍ବତୀଙ୍କି (ଖ)

୨୮-୪

-

ରତ୍ନାକରରେ ବୁଡ଼ିଲେ ରତ୍ନ ନ ଲଭୁଥାଇ ଜାଣ (ଖ)

୨୯-୧

-

ବହୁତ କହିବା ଏଥୁଁ ଅବା କେଉଁ କାରଣ (ଖ)

୨୯-୨

-

ବଡ଼ଙ୍କୁସେ ବୋଧ କରି ନୋହେ (ଖ)

୨୯-୩

-

ହୋଇକରି (ଗ)

୩୦-୩

-

ସବୁରୂପେ ଆମ୍ଭେ ଅସାର (ଖ)

୩୦-୪

-

ସହଜେ ହରିଦ୍ରା ବାଣିଜ୍ୟ ଲୋକର ବୋଇତ ଚିନ୍ତା ଅବେଭାର (ଖ)

୩୧-୧

-

କହିବାର ମାନହାନି.....ଏଥୁଁ ଆମ୍ଭର (ଖ)

୩୧.୩

-

ଶୁକଳେ କଳା ଥିଲା ପ୍ରାୟେ (କ)

୩୧-୪

-

ସାନ ହେଲେ ଲୋକ ବଡ଼ ଅବେଭାର ଦିଶେ ବହୁତ ଦୂରଯାଏ (ଖ)

୩୨-୧

-

ଶେଷରେ ହିତ (ଖ)

୩୨-୨

-

ସଙ୍ଗକଲା ବୋଲି (କ) କୁରୁଜୀ ନାଗରବରଙ୍କ (କ)

୩୨-୩

-

ସେ ଆନ କରିଛନ୍ତି (ଖ)

୩୩-୧

-

ହସ୍ତଧରି ଏବେ-ଏତେହେଁ କହୁଛୁ ତାହାଙ୍କ (ଖ)

୩୩-୨

-

ଆମ୍ଭଙ୍କୁ କଲା ପ୍ରାୟେ (ଖ)

୩୩-୩

-

କଉତୁକ ଗେଲରେ (କ)

୩୪-୧

-

ଅମୃତହିଁ ନ ରୁଚେ (ଖ)

୩୪-୨

-

କ୍ଷମାସାଗର ସୁଧାକର ଆଦର ହୋଇ ଯେ ଅଛନ୍ତି (ଖ)

୩୪-୪

-

କଥା ଜଣାଅ (କ)

Image

 

ଗୋପୀସନ୍ଦେଶ ଚଉତିଶା

 

କମନୀୟ ଦୃଷ୍ଟାନ୍ତମାଳା ଦ୍ୱାରା ଏ ଚଉତିଶାରେ ଦୀନକୃଷ୍ଣ ଗୋପିକା ମାନଙ୍କ କୃଷ୍ଣାଭିମାନର ଅଭିବ୍ୟକ୍ତିକୁ ବିଶଦତର କରିଅଛନ୍ତି । ପାଠକଲାମାନେ ପାଠକରମନ ଦୀନକୃଷ୍ଣଙ୍କ ବ୍ରଜବିରହ-ବିଧୁର ହୃଦୟର ଛନ୍ଦମୟ ଭାବ-ପ୍ରବାହରେ କେଉଁଆଡ଼େ ଭାସିଗଲା ପରି ବୋଧ ହୁଏ । କି ଭାବ କି ଭାଷା ସବୁ ଦିଗରୁ ଗୋପୀ ସନ୍ଦେଶ ଚଉତିଶାଟି ଗୋଟିଏ ରତ୍ନ ।

 

ଦିଶ-ପରଜ ରାଗେ

 

କହନ୍ତି ସକଳ କଳାକର-ମୁଖୀ

ଗୋପୀମାନେ ଉଦ୍ଧବଙ୍କୁ

କହିବଟି ତୁମ୍ଭ କଳତବ କୃପା-

ସିନ୍ଧୁ ନାମ ମାଧବଙ୍କୁ ।୧।

ଖଳ କଂସ ବୋଲେ ମଥୁରା ଯାଇ ସେ

ଆସିବାକୁ ବୋଲି ଥେଲେ

ଖମଣ୍ଡଳୁ ଖସି- ପଡ଼ିଲା ଖଚର

ନଦୀ ପରାଏ ତ ହେଲେ ।୨।

ଗୋବର୍ଦ୍ଧନ ଧରା- ଧର-ଧରଙ୍କୁ ତ

କହିବଟି ଏ ପ୍ରସଙ୍ଗ

ଗରୁ ଯଉବନ ଗଡ଼ିଲା ପ୍ରାୟେ ତ

ପୁରୁଷଙ୍କ ପ୍ରୀତି ରଙ୍ଗ ।୩।

ଘେନି କହୁଥାନ୍ତି ନୂଆ ନୂଆ ପାକ

କୃପଣକୁ ଲୋଭୀ ପ୍ରାୟେ

ଘୃଣାକ୍ଷରେ ପ୍ରେମ- ରସକୁ ପାଇଲେ

କରନ୍ତି ଆନ ଉପାୟେ ।୪।

ନାଗରୀମାନଙ୍କ କଟାକ୍ଷକୁ ଲକ୍ଷ

ନାଗରମାନଙ୍କ ବୋଲ

ନାଶ କରି ଧୈର୍ଯ୍ୟ       ଦୁଃଖ ନ ଘେନନ୍ତି

ଦିଅନ୍ତି ଅନଙ୍ଗ ହାଲ ।୫।

ଚାହୁଁ ଚାହୁଁ ନାଶ କୁହୁଡ଼ି ପରାୟେ

ଚିତ୍ତ ଧନ ଚୋରି କଲେ

ଚଉବର୍ଗଦାନୀ ହୋଇ ତ ଆମ୍ଭଙ୍କୁ

ଚିନ୍ତା ଦାନ ଦେଇ ଗଲେ ।୬।

ଛଇଳ ପୀରତି ଭ୍ରମରଙ୍କ ରୀତି

ଭୋଗ ହେବାଯାଏ ଥାଇଁ

ଛାଇ ପରାୟେ କ୍ଷଣକେ ଆନ ହୋଏ

ଆଉ ଲୋଡ଼ିଲେ ନ ପାଇ ।୭।

ଯାହା କହୁଥାନ୍ତି ଯୁବା ଯୁବତୀଙ୍କି

ରବି ପଦ୍ମ ଲକ୍ଷ୍ୟ ଦେଇ

ଯଉବନ ଜଳୁ ଅନ୍ତର ହୋଇଲେ

କେ କାହାକୁ ପଚାରଇ ।୮।

ଝିମିଟେ ଆମ୍ଭ ଦୁଖ ଦେଖୁ ନ ଥିଲେ

ନେତ୍ର କପାଳ ପରାୟେ

ଝସକେତୁ ଶରେ ଦହି ହେଲୁ ଏବେ

ଦୟା ନ ବସିଲା ଦେହେ ।୯।

ନଦୀତଟ ଆଶ୍ରେ କଲା ତରୁ ଯେହ୍ନେ

ଅଳପକେ ନାଶ ଯାଇ

ନିଲଜ ଗୋପୀ ସେହିମତି ହୋଇଲୁ

ନନ୍ଦନନ୍ଦନ କୁ ପାଇ ।୧୦।

ଟେକ ମାତ୍ର ଅଛି ଗୋପୀନାଥ ବୋଲି

ଚନ୍ଦ୍ର କଇରବ ପ୍ରାୟେ

ଟିକାଏ ଅନ୍ତର ହୋଇଲେ ଏକା ସେ

କୁବୁଜାକୁ ଭୋଗ ହୋୟେ ।୧୧।

ଠାଠିକ ଜଣ ଜଣକେ କହୁଥାନ୍ତି

ତୁମ୍ଭର ସିନା ଏ କାୟେ

ଠାବକଲୁ ସବୁ ପ୍ରକାରେ ମହେଶ

ମାଳୀ ଜଳଘଟ ପ୍ରାୟେ ।୧୨।

ଡିମ୍ୱ ପ୍ରତିପାଳି କାହିଁରେ ନୋହିଲୁ

କାକ ପ୍ରାୟେ ଶ୍ରମ ହେଲା

ଡାଳେ ବସିଲା ରାବିଲା ଶୁଆ ପ୍ରାୟେ

ସେ ବଚନ କାହିଁ ଗଲା ।୧୩।

ତମ କହି କହି ସବୁ ନାଶ କଲେ

ଏବେ ହେଁ ସେହି ପ୍ରସଙ୍ଗ

ଢାଳେ ଜାଣିଲୁ ଢମିଆ ମାନଙ୍କର

ବୋଲ ସମୁଦ୍ର ତରଙ୍ଗ ।୧୪।

ଇନ୍ଦ୍ରଜାଲିକ ପ୍ରାୟେ କେତେ ପ୍ରକାରେ

କେତେ କଥା ଦେଖାଇଲେ

ଆନ କରି ସବୁ ପ୍ରକାରେ ସେ ମାୟା

ମନରେ ତ ରଖାଇଲେ ।୧୫।

ତଇଳ ବିନ୍ଦୁ ପାଣିରେ ପଡ଼ି ଯେହ୍ନେ

ବେଗେ ବିସ୍ତାର ଭଜଇ

ତାହାଙ୍କ ପହିଲି ପ୍ରୀତି ସେହିମତି

ପଛକୁ ଶୁଖିଲା ନଈ । ୧୬।

ଥିଲାକୁ କିଛି ବାସନା ଫୁଲ ପ୍ରାୟେ

ତାଙ୍କ ଶ୍ରୀଅଙ୍ଗ ଛୁଇଁଲୁ

ଥୋକାୟେ କାଳ ଭୋଗ ହୋଇ ଉଲାଗି

ମାଳ ପରାୟେ ହୋଇଲୁ ।୧୭।

ଦଇବେ ପୁରୁଷଙ୍କ ପ୍ରୀତି ଭ୍ରମର

ପ୍ରାୟେ ପଛକୁ ପ୍ରମାଦ

ଦଶ ଚତୁର ଲୋକରେ ଲୋକ ହେବ

ବୋଲିବ ତାଙ୍କ ପ୍ରମାଦ ।୧୮।

ଧରା-ଧରକୁ ଅଗସ୍ତି ଭଣ୍ଡି ଯାଇ

ଦକ୍ଷିଣେ ରହିଲା ପ୍ରାୟେ

ଧରଣୀଧର ସେହିମତି ଆମ୍ଭଙ୍କୁ

କରିଣ ଗଲେ ଥୋକାୟେ ।୧୯।

ନୂଆ ନୂଆ ଯାକ ନମ୍ରତା ହୋଅନ୍ତି

ଗୁଣ ଦେଲା ଧନୁ ପ୍ରାୟେ

ନୂତନ ସମ୍ପତ୍ତି ଭୋଗକୁ ପାଇଲେ

ନଜରହିଁ ଆନ ହୋଏ ।୨୦।

ପୂରୁଥାଇ ପୁର ପାଦପଦ୍ମ ଚିହ୍ନେ

ଯେହ୍ନେ ବୈଷ୍ଣବଙ୍କ କାୟେ

ପକାଇ ଦେଇ ପାଖକୁ ଆଣୁଥାଉ

ଖେଳିଲା ସାରଣୀ ପ୍ରାୟେ ।୨୧।

ଫାଟି ନ ଗଲା ହୃଦୟ ପୁଣି ବିହି

କହିବାକୁ ଏହା କଲା

ଫଳଯାଇ ୟେବେ କୃଷିକ ପରାୟେ

ଶ୍ରମ ମାତ୍ରକ ରହିଲା ।୨୨।

ବହୁତ ସଙ୍କଟୁ ରକ୍ଷାକରି ଶୋକ-

ସମୁଦ୍ରେ ମେଲିଲେ ଯହୁଁ

ବାରଣ ସ୍ନାନ କଲା ପ୍ରାୟେ କିଛିହିଁ

କାରଣ ନୋହିଲା ତହୁଁ ।୨୩।

ଭୋଜନ ବିନୁ ଭୋଖୀ ମନ ଯେମନ୍ତ

ସୁବେଶେ ନୋହଇ ତୋଷ

ଭାବଗ୍ରାହୀ ଭଣ୍ଡି ଗଲାଦିନୁ ସବୁ

ଭାବଯାକ ହେଲା ବିଷ ।୨୪।

ମହାପ୍ରଭୁଙ୍କ ଶ୍ରୀମୁଖ ଯା ଶୁଣିଛ

ବେଗେ କହ ଆମ୍ଭ ପାଶ

ମହେଶ ଅଙ୍ଗ ଗରଳ ଜ୍ୱାଳା ବସୁ-

ନ୍ଧରାଜଳେ ହୋୟେ ନାଶ ।୨୫।

ଜୀବ ଥାଉଁ କାମ ଅନଳେ ଜଳୁଛୁଁ

ସଗର ପୁଅଙ୍କ ପ୍ରାୟେ

ଜଗମୋହନ କୃଷ୍ଣ- ଗଙ୍ଗା ବାହାରେ

ନାହିଁ ଶୀତଳ ଉପାୟେ ।୨୬।

ରାଜୀବ ଲୋଚନ ଶ୍ରୀମୁଖ ଚନ୍ଦ୍ରମା

ଦେଖିବା ଭରସା ଥେଲା

ରଙ୍କ ରଜା ହେବା କାମନା ପରାୟେ

ବଚନରେ ଭୋଗ ହେଲା ।୨୭।

ଲାବଣ୍ୟନିଧି ବିନୁ ମନ ଉଡୁଛି

ବାତଚକ୍ର ପ୍ରାୟେ ହୋଇ

ଲୋକଲାଜକୁ ଦେହ ମାତ୍ର ଧରିଛଁ

ଅଦେହ-ଦଣ୍ଡକୁ ସହି ।୨୮।

ବରଜ ନାରୀଙ୍କ ବିକଳ ଦେଖିଣ

ଉଦ୍ଧବ ପ୍ରବୋଧ କରି

ବୋଇଲେ ତୁମ୍ଭ ତାହାଙ୍କ ପ୍ରୀତି-ନୀଚ

ଛୀରରୁ ଅଭେଦ ପରି ।୨୯।

ସେହିତ ତୁମ୍ଭଙ୍କୁ ହୃଦେ ଘେନିଛନ୍ତି

ତୁମ୍ଭର ସେହି ସଦୃଶ

ସଲିଳ କାଚ- ଘଟରେ ଥିଲା ପ୍ରାୟେ

ହୋଇ ସେ ଅଛି ପ୍ରକାଶ ।୩୦।

ଶୂନ୍ୟ ଦ୍ରବ୍ୟ ସେ ସବୁଠାରେ ସମାନ

ବନଫୁଲ ବାସ ପ୍ରାୟେ

ସେହିରୂପେ ଖୋଜି ଯେ ଘେନି ପାରଇ

ତାହାରି ସିନା ସେ ହୋୟେ ।୩୧।

ଶରୀ ଶୁକ ପକ୍ଷୀ କାହାରି ନୋହନ୍ତି

ଯେ ଘେନି ପାଳେ ତାହାର

ଶ୍ୟାମସୁନ୍ଦର ଚରିତ ସେହିମତି

ହୃଦରେ ଭାବନା କର ।୩୨।

ହଟକର ହଟ ହାଟକ ପ୍ରାୟେ ସେ

ହାଥରେ ଥେଲେ ନ ଥାଇ

ହୃଦେ ଭାବୁଥାଅ ଭଗତ ବନ୍ଧୁ ସେ

ଭାବିଲେ ତାହାଙ୍କୁ ପାଇ ।୩୩।

କ୍ଷୋଭ ଛଡ଼ାଇ ଗୋପୀଙ୍କି ବୋଧ କରି

ଉଦ୍ଧବ ମଥୁରା ଗଲେ

କ୍ଷେମେ ଦୀନକୃଷ୍ଣ ବୋଲେ ସଭାସଦ

ପ୍ରାୟେ କୃଷ୍ଣଙ୍କୁ କହିଲେ ।୩୪।

 

୩-୧

-

ଗୋବର୍ଦ୍ଧନ ଧରାଧରଙ୍କ ଗୁପତେ (ବ)

୩-୩

-

ଖସିଲା ପରାୟେ (ଖ) ୪-୩-ରତିଦାନରୁ (ଖ)

୫-୩

-

ସୁଖ ଧଇର୍ଯ୍ୟ ହରନ୍ତି (ଖ)

୬-୨

-

ହରିନେଲେ (ଖ) ୬-୩-ଦାତା (ଖ) ୬-୪-ଚିନ୍ତାମାନ (ଖ)

୭-୧

-

ଛଇଳଙ୍କ ପ୍ରୀତି (ଖ) ୭-୩-ହେଲେ (ଖ)

୮-୪

-

କି କରଇ (କ)

୯-୨

-

ନେତ୍ରଯୁଗଳ (ଖ) ୯-୩-ଦଳି (କ) ଆମ୍ଭେ (ଖ)

୧୦-୩

-

ନୀରକ୍ଷ (ଖ) ତେସଜ ହେଲୁ ଆମ୍ଭେ (ଖ)

୧୨-୧

-

କ୍ଷଣେ କ୍ଷଣେ କହନ୍ତି (ଗ)

୧୩-୩

-

ପତିଲା ଶୁଆ (ଖ) ।

୧୫-୧

-

ପରାଏ (ଖ), ଚିର କାହୁଁ (ଖ)

୧୯-୪

-

କରିଣ ଗଲେ (ଖ) ।

୨୦

-

ନୃପସୁତା ନବ ବନିତା ପାଇଲେ ଯାଇ ମଥୁରା ନଗରୀ । ନଥିବ ମନ୍ତ୍ରରେ ପୁରାତନ ପ୍ରୀତି ଆମ୍ଭେମାନେ ଗ୍ରାମ୍ୟ ନାରୀ । (ଖ)

୨୮-୪

-

ଦୁଖ (କ)

୨୯-୪

-

କ୍ଷୀରରୁ (ଖ) ଅଧିକ (ଖ)

୩୦-୦

-

ସଦୃଶ୍ୟ (ଖ) ୩୧-୧-ସବୁଙ୍କର (ଖ) ୩୧-୨-ସୁବର୍ଣ୍ଣଫୁଲ

୩୧-୩

-

ସବୁରୂପେ(ଖ)

୩୧-୩

-

ପିରତୀ (ଖ)

Image

 

ବଉଳ ଚଉତିଶା

 

ନିଖିଳଜନପ୍ରିୟ କୋକିଳପକ୍ଷୀଦ୍ୱାରା ବିରହିଣୀମାନଙ୍କ ସନ୍ଦେଶ ପୋଷଣ କୌଶଳରେ ଓଡ଼ିଶାର ଅପୂର୍ବ କୋଇଲି ସାହିତ୍ୟର ସୃଷ୍ଟି । ମଧୁ ସହଚର ‘ବଉଳ’ ଶ୍ରୀ ରାଧାଶ୍ରୀକୃଷ୍ଣଙ୍କ ପ୍ରୀତି-ଲୀଳାର ସହଚର ଓ ପ୍ରେମ-ବିନୋଦର ସାକ୍ଷୀ । ତେଣୁ ତାକୁ ସମ୍ୱୋଧନ କରି କୋଇଲିପରି ତା ଆଗେ ବିରହ ବିଧୁର ହୃଦୟର ଭାବ ଜ୍ଞାପନ ବିରହଣୀ ଶ୍ରୀରାଧାଙ୍କ ପକ୍ଷରେ ସ୍ୱାଭାବିକ । ଆମ୍ଭେ ଦୀନକୃଷ୍ଣଙ୍କ ଛଡ଼ା ଅନ୍ୟ ଜଣେ କବିଙ୍କର ବଉଳ ଚଉତିଶା ମଧ୍ୟ ପ୍ରାପ୍ତ ହୋଇଅଛୁଁ । ବଙ୍ଗାନୁକରଣ ପ୍ରଭାବରେ ଓଡ଼ିଆ ସାହିତ୍ୟକୁ ପୁରାତନ ରାଗ ରାଗିଣୀ କ୍ରମଶଃ ଲୋପ ପାଇ ଯାଉଅଛି । ବଉଳ ଚଉତିଶାର ବୃତ୍ତ ଆଧୁନିକ ଓଡ଼ିଆଙ୍କୁ ଏକାବେଳେ ନୂଆ ପରି ବୋଧ ହେବ । ଏହାର ଏକମାତ୍ର କାରଣ ପ୍ରାଚୀନ ସାହିତ୍ୟାନୁଶୀଳନର ଶୋଚନୀୟ ଅଭାବ।

 

କହନ୍ତି ରାଧିକା ଦେଖି ରସାଳ ବକୁଳ

କଂସପୁରେ ରହିଲେ ଗୋ ବଉଳ ! କୃଷ୍ଣ କାମପାଳ ଗୋ ବଉଳ !

କହିଥିଲେ ଯେତେ ଯେତେ କଥା ତୁମ୍ଭମୂଳେ

କେମନ୍ତେ ତା ପାସୋରିଲେ ଗୋ ବଉଳ ! ପଡ଼ି କାହାମେଳେ ଗୋ ବଉଳ ! ।୧।

କ୍ଷଣେ ନ ଛାଡ଼ନ୍ତି ତୁମ୍ଭ ବିକାଶ କାଳରେ

ଖଣ୍ଡିଗଲେ ତେଡ଼େ ସୁଖ ଗୋ ବଉଳ ! ଏକେ ସେ କାଳରେ ଗୋ ବଉଳ

ଖୋସିଥିଲେ ତୁମ୍ଭଙ୍କୁ ସେ ଶିରେ ତୋରା କରି

ଖରେ କାମେ ବଶହେଉ ଗୋ ବଉଳ ! ଦେଖି ଗୋପନାରୀ ଗୋ ବଉଳ ! ।୨।

ଗଣ୍ଡରେ ଝଟକୁ ଥାଇ ମକର କୁଣ୍ଡଳ

ଗଞ୍ଜଇ ପୂର୍ଣ୍ଣମୀ ଚାନ୍ଦ ଗୋ ବଉଳ ! ଶ୍ରୀମୁଖ ମଣ୍ଡଳ ଗୋ ବଉଳ !

ଗୋରୋଚନା ଚିତା ଭାଲେ ନାସାରେ ମୁକୁତା

ଗେଲାଇ କହିବା ଭାବ ଗୋ ବଉଳ ! ହାରଇ ବନିତା ଗୋ ବଉଳ ! ।୩।

ଘଟି ଥାଇ କଟିତଟେ ପତନୀ କାଛେଣୀ

ଘଣ୍ଟିଘାଗୁଡ଼ି କି ଶୋଭା ଗୋ ବଉଳ ! ରତ୍ନ ଓଡ଼ିଆଣୀ ଗୋ ବଉଳ !

ଘନ ଘନ କରି ଦେଉ ଥାଇ ବେଣୁସ୍ୱନ

ଘରେ ମନ ଥିର ନୋହେ ଗୋ ବଉଳ ଦହଇ ମଦନ ଗୋ ବଉଳ ! ।୪।

ନାନା ବର୍ଣ୍ଣେ ବନମାଳ ଲମ୍ୱିଥାଇ ଉରେ

ନିରନ୍ତରେ ନ ଛାଡ଼ନ୍ତି ଗୋ ବଉଳ ! ପାସୋରି ଭସଳେ ଗୋ ବଉଳ !

ନୀଳମଣି ଅଙ୍ଗେ ଦିଶେ ଚନ୍ଦନ ଲେପନ

ନାଟୁଆ ଖଞ୍ଜନ ପ୍ରାଏ ଗୋ ବଉଳ ! ଚଞ୍ଚଳ ନୟନ ଗୋ ବଉଳ ।୫।

ଚୂଳ ରଞ୍ଚିଥାଇ ଶିରେ ମୟୂର ପୁଚ୍ଛରେ

ଚାଲିଥାଇ କେତେବେଳେ ଗୋ ବଉଳ ! ଗାଈଙ୍କ ପଛରେ ଗୋବଉଳ

ଚମକାଉ ଥାଇ ଚିତ୍ତ ମନ୍ଦ ମନ୍ଦ ହସି

ଚକ୍ଷୁରେ ସେ ଶୋଭା ଏବେ ଗୋ ବଉଳ ! ଦିଶୁଅଛି ଆସି ଗୋ ବଉଳ ! ।୬।

ଛନ୍ଦିଥାଇ ଗୁଞ୍ଜୁରା କାଇଞ୍ଜ ଗୁଞ୍ଜମାଳି

ଛଟକ କରିଣ ଥରେ ଗୋ ବଉଳ ! ଚାହିଁଥାଇ ଢାଳି ଗୋ ବଉଳ !

ଛଇଳ ପଣକୁ ତାକୁ ସମାନ କାହିଁଛି

ଛୁଆସିଂହ ଗଲାଦିନୁ ଗୋ ବଉଳ ! ସେ ସୁଖ ଯାଇଛି ଗୋ ବଉଳ ! ।୭।

ଯେତେ ଆଭରଣ ଥିଲେ କାଇଂସି କଙ୍କଣ

ଯତନେହେଁ କରିଥାଇ ଗୋ ବଉଳ ! ଜଗତଭୂଷଣ ଗୋ ବଉଳ !

ଯେତେ ସୁଖ ଆମ୍ଭଙ୍କୁ ସେ ଗୋପରେ ଦେଇଛି

ଜୀବଥିବା ଯାଏ ତାଙ୍କୁ ଗୋ ବଉଳ ! ନୁହଇ ମୂରୁଛି ଗୋ ବଉଳ ! । ୮ ।

ଝାଡ଼େ ବୁଲୁଥିଲେ ଝୁରୁଥାଉଁ ଗୋପବାଳୀ

ଝାଳେ ଝଳି ଯାଇଥାଇ ଗୋ ବଉଳ ! ପଡ଼ି ଗୋରୁଧୂଳି ଗୋ ବଉଳ !

ଝସ କେତନ ସଙ୍ଘାତ କାଳେ ତାସଙ୍ଗରେ

ଝିଙ୍କାରୀ ଭାଙ୍ଗ ଝିଙ୍କାରେ ଗୋ ବଉଳ ! କରଇ ଶିଖରେ ଗୋ ବଉଳ ! । ୯ ।

ନେଇ ସବୁସୁଖ ଏବେ ମଥୁରା ରଖିଲା

ନିରେଖ କରି ଆମ୍ଭଙ୍କୁ ଗୋ ବଉଳା କାହିଁ ନ ଲେଖିଲା ଗୋ ବଉଳ !

ନ ସରଇ ଦିନ ଆଉ ତା ଗୁଣ ସୁମରି

ନିଶ୍ଚେଁ ବଶକଲେ ତାଙ୍କୁ ଗୋ ବଉଳ ! ମଧୁପୁର ନାରୀ ଗୋ ବଉଳ । ୧୦ ।

ଟେକି ଧଇଲେ ମନ୍ଦର ଆମ୍ଭର ହିତରେ

ଟେକି ପକାଇଲେ ଏବେ ଗୋ ବଉଳା ମଦନ ଟୋପରେ ଗୋ ବଉଳ !

ଟାଣପଣ ଯେତେ ଟାହିଟମାଳିହିଁ ତେତେ

ଟିକାଏ ନ ସହେ ମାନ ଗୋ ବଉଳ ! ଅଭାବ ସଙ୍ଗତେ ଗୋ ବଉଳ ! । ୧୧ ।

ଠାକୁର ପଣକୁ ତାଙ୍କ ପରା ସେହି ସିନା

ଠକସଙ୍ଗେ ପଡ଼ି ଏବେ ଗୋ ବଉଳ ! ହେଲେ ଏତେ ଅନା ଗୋ ବଉଳ

ଠିଆ ହୋଇଥାଇ ତରୁ କଦମ୍ବମୂଳରେ

ଠାରୁଥାଇ କି କି କରି ଗୋ ବଉଳ ! ନୟନ କୋଶରେ ଗୋ ବଉଳ ! । ୧୨ ।

ଡକାଇତ ପଣେ ଏବେ ଡକା କରି ଗଲା

ଡୋଳାରୁ ନୀର ବହିବା ଗୋ ବଉଳ ! ଆଉ ନ ରହିଲା ଗୋ ବଉଳ !

ଡାକିଲେ ଶୁଣନ୍ତା ନାହିଁ କାହାକୁ କହିବୁ

ଡିଙ୍ଗର ମଦନ–ଦୁଖଃ ଗୋ ବଉଳ ! କେତେହେଁ ସହିବୁ ଗୋ ବଉଳ । ୧୩ ।

ଢାଳେ ଜାଣିଲୁଁ, ଦଇବ ଆମ୍ଭଙ୍କୁ ଛାଡ଼ିଲା

ଢୋକିଲା ଅମୃତ ଯାଇଁ ଗୋ ବଉଳ ! କା ହାଥେ ପଡ଼ିଲା ଗୋ ବଉଳ !

ତମ କହି ବୁଝାଇଲେ ଗୋପଯୁବତୀଙ୍କି

ଢଗ ମେଲିବାକୁ କଲେ ଗୋ ବଉଳ ! ମଥୁରାନାରୀଙ୍କି ଗୋ ବଉଳ । ୧୪ ।

ଏହି କଥା ଆମ୍ଭଠାରେ ଅସାର ସେ କଲେ

ଅମୃତ ଖୁଆଇ ଏବେ ଗୋ ବଉଳ ! ପଛେ ବିଷ ଦେଲେ ଗୋ ବଉଳ !

ଏହି ଘେନି ସିନା ପ୍ରାଣ ନ ଯାଇ ରହିଛି

ଅନୁବରତରେ ଏକା ଗୋ ବଉଳ ! ଆକୁଳ ହେଉଛି ଗୋ ବଉଳ । ୧୫ ।

ତେଡ଼େ ତେଡ଼େ ସଙ୍କଟରୁ ରଖି ନ ରଖିଲେ

ତାହାଙ୍କୁ କି ବୋଲିବୁ ଗୋ ବଉଳ ! ତାଙ୍କର ସେ କଲେ ଗୋ ବଉଳ !

ତାପହର ବୋଲି ତାଙ୍କୁ ବୋଲୁଥାନ୍ତି ଲୋକେ

ତାହା ପ୍ରତକ୍ଷେ ସେ କଲେ ଗୋ ବଉଳ ! ଦେଇ କାମ ଶୋକେ ଗୋ ବଉଳ । ୧୬ ।

ଥଣ୍ଟ ଚିରି ବକାକୁ ମାଇଲା ଦିନୁ ତାଙ୍କୁ

ଥେଣ୍ଟର ଉପରେ ଥେଣ୍ଟା ଗୋ ବଉଳ ! ବୋଲି ତାଙ୍କୁ ଶଙ୍କୁ ଗୋ ବଉଳ

ଥଳ ବୋଲି ଅଥଳେ ପଡ଼ିଲେ ମରିଯାଇଁ

ଥାଉଁ ଥାଉଁ ବୁଦ୍ଧି କେହି ଗୋ ବଉଳ ! ଅଥଳେ ପଡ଼ଇ ଗୋ ବଉଳ । ୧୭ ।

ଦୟାନିଧି ବୋଲି ବଡ କରିଥିଲୁ ଆଶ

ଦୟାଯାକ କେଣେ ଗଲା ଗୋ ! ବଉଳ ହୋଇଲୁ ନିରାଶ ଗୋ ବଉଳ

ଦଣ୍ଡେ ଯେ ଯାହାକୁ ଘେନିଥାଇ ବଡ଼ କରି

ଦୋଷ ଥିଲେ ନ ଥିଲେ ଗୋ ବଉଳ ! ତାକୁ ଦୂର କରି ଗୋ ବଉଳ । ୧୮ ।

ଧର୍ମକୁ ସେହି ଛାଡ଼ିଲେ ଆମ୍ଭର କି ଗଲା

ଧନ୍ୟପଣ ଆମ୍ଭର ଗୋ ବଉଳ ! ଲୋକରେ ରହିଲା ଗୋ ବଉଳ !

ଧର୍ମଶୀଳ ବୋଲି ବୋଲୁଥାଆନ୍ତି ଜଗତେ

ଧରଣୀରେ ଥାଇ ତାଙ୍କୁ ଗୋ ବଉଳ ! କେ ଯିବ ପରତେ ଗୋ ବଉଳ । ୧୯ ।

ନିଶ୍ଚେଁ ତାଙ୍କ ଗୁଣ ଗୁଣି ଆମ୍ଭେ ନାଶ ଗଲୁଁ

ନଳିଧରାଶୁଆ ପ୍ରାଏ ଗୋ ବଉଳ ! ବେଭାରେ ହୋଇଲୁ ଗୋ ବଉଳ !

ନ ଆସିବେ ବୋଲି ଯା ଲଗାଇଲେ ପୀରତି

ନିତି ସେ ଆଶ କରନ୍ତେ ଗୋ ବଉଳ ! ହେଉଛି କରତି ଗୋ ବଉଳ । ୨୦ ।

ପ୍ରୀତିଠାରେ ଅପ୍ରୀତି କରିବା ନୋହେ ଭଲ

ପ୍ରଭୁ ହେଲେ କି ହେବ ଗୋ ବଉଳ ! ମିଛ ଯେବେ ବୋଲ ଗୋ ବଉଳ !

ପୂତନା ପ୍ରାଣ ଘେନିଲା ଦିନୁଁ ତାଙ୍କୁ ଜାଣୁଁ

ପାପ ପୁଣ୍ୟ ଦୁଇ କଥା ଗୋ ବଉଳ ! ବିଚାରିବା ଗୁଣୁଁ ଗୋ ବଉଳ । ୨୧ ।

ଫଳେ ସିନା ଜାଣୁଁ ସବୁ ଭଲମନ୍ଦ କଥା

ଫେଡ଼ି କେତେ କହିବୁ ଗୋ ବଉଳ ! ଫୁଲଶର ବଥା ଗୋ ବଉଳ !

ଫୋଡ଼ି ଅର୍ଘାସୁର ଯେହ୍ନେ ବାହାର ହୋଇଲା

ଫୁରୁଣା ଘେନି ଆମ୍ଭର ଗୋ ବଉଳ ! ସେହିରୂପେ ଗଲା ଗୋ ବଉଳ । ୨୨ ।

ବୁକୁ ହେଉଛି ବିଦାରି ସୁମରି ତାହାଙ୍କୁ

ବାଇପ୍ରାୟେ ହେଉଥାଉଁ ଗୋ ବଉଳ ! କହିବୁ କାହାକୁ ଗୋ ବଉଳ !

ବିବେକ ପଣ ଛାଡ଼ିଲୁ ଚିତ୍ତ ବିଭ୍ରମରେ

ବିପରୀତ ବୁଦ୍ଧି ହେଲା ଗୋ ବଉଳ ! ପ୍ରୀତି କଥାଠାରେ ଗୋ ବଉଳ । ୨୩ ।

ଭାସିଗଲା ଭେଳା ସେ ଯେ ଲଗାନ୍ତି କୂଳରେ

ଭସାଇତ ଏବେ ଦେଲେ ଗୋ ବଉଳ ! ବିରହ ଜଳରେ ଗୋ ବଉଳ !

ଭାବଗ୍ରାହୀ ଭରସାରେ ତାହାଙ୍କୁ ଭଜିଲୁଁ

ଭଗାରି ହସାଇବାକୁ ଗୋ ବଉଳ ! ଲାଜକୁ ତେଜିଲୁ ଗୋ ! ବଉଳ । ୨୪ ।

ମଉଳାକୁ ମାଇଲେ ଯେ ଧର୍ମକୁ ନ ଗଣି

ମାନ କରି ଥାଉ ଆମ୍ଭେ ଗୋ ବଉଳ ! ତାଙ୍କଠାରେ ପୁଣି ଗୋ ବଉଳ !

ମହାସୁଖ ଏବେ କୁବୁଜାକୁ ସବୁଠାରୁ

ମରିବାର ବଡ଼ ସୁଖ ଗୋ ବଉଳ ! ଏହା ଶୁଣିମାରୁ ଗୋ ବଉଳ । ୨୫ ।

ଜୀଇଥିଲେ ସବୁ ଦେଖୁଥାଇ ଶୁଣୁଥାଇ

ଯାଉ ତ ନାହିଁ ଜୀବନ ଗୋ ବଉଳ ! ଅଛି କାହିଁ ପାଇଁ ଗୋ ବଉଳ !

ଯେମନ୍ତେ ସବୁ ସୁକୁମ ଭ୍ରମରକୁ ସରି

ଜାଣିଲୁ ସେହି ମତ ଗୋ ବଉଳ ! ପୁରୁଷଙ୍କୁ ନାରୀ ଗୋ ବଉଳ । ୨୬ ।

ରସିକ ଭ୍ରମର ସବୁ ଭାବ ଘେନୁଥାଇ

ରସ ସିନା ସବୁଠାରେ ଗୋ ବଉଳ ! ମନକୁ ରସଇ ଗୋ ବଉଳ !

ରଙ୍କ ରାଜା ହୋଇଲେ ସବୁହିଁ କରେ ଭୋଗ

ରାଜା ହୋଇ ରଙ୍କ ହେଲେ ଗୋ ବଉଳ ! ହୋଏ ସେହୁ ଯୋଗ ଗୋ ବଉଳ । ୨୭ ।

ଲୟେ କରି ଯାହାକୁ ନ ପାନ୍ତି ବ୍ରହ୍ମା ଶିବ

ଲୋଭୀ ହେଲେ ତାଙ୍କଠାରେ ଗୋ ବଉଳ ! ଆମ୍ଭର କି ହେବ ଗୋ ବଉଳ !

ଲୋଡ଼ି ଯାହା ପାଦ ସେବା ନ ପାଇ କମଳା

ଲୀଳାରେ ସେ କୁବୁଜାକୁ ଗୋ ବଉଳ ! କଲେ କଣ୍ଠମାଳା ଗୋ ବଉଳ । ୨୮ ।

ବଡ଼ଲୋକମାନଙ୍କର ବଡ଼ ଅବେଭାର

ବୃଷଭ ଚଢ଼ିଲେ ହର ଗୋ ବଉଳ ! ତେବେହେଁ ସୁନ୍ଦର ଗୋ ବଉଳ !

ବୋଲି ଯାହା ଯାଇଥିଲେ ତାହା ତ ସେ କଲେ

ବଢ଼ିନଦୀ ସୋଲ ପ୍ରାଏ ଗୋ ବଉଳ ! ଗୋପନାରୀ ହେଲେ ଗୋ ବଉଳ । ୨୯ ।

ସବୁହିଁ ସୁନ୍ଦର ଏକା ପ୍ରଭୁପଣ ଥିଲେ

ସୁନା ବକ୍ର ହେଲେ ନିକି ଗୋ ବଉଳ ! ନ ବିକାଇ ଭଲେ ଗୋ ବଉଳ !

ସବୁ କହିପାରୁଁ ଆମ୍ଭେ ନ ବୋଲିବା କିଛି

ସବୁରୂପେ ସେ ଆମ୍ଭର ଗୋ ବଉଳ ! ଜୀବନ ନେଇଛି ଗୋ ବଉଳ । ୩୦ ।76

ସାନବଡ଼ ହୋଇ ଏ ଯେତେକ ବ୍ରଜବାସୀ

ସହସ୍ରେ କୋଶରେ ଥିଲେ ଗୋ ବଉଳ ! ଆମ୍ଭେ ତାଙ୍କ ଦାସୀ ଗୋ ବଉଳ

ସବୁଠାରେ ଅଛନ୍ତି ସେ ସବୁରି ଠାକୁର

ସେ କିପାଁ ସେବକ ଠାରେ ଗୋ ବଉଳ ! କରିବେ ଅନ୍ତର ଗୋ ବଉଳ । ୩୧ ।

ଷାଠିଏ ଦଣ୍ଡ ତାହାଙ୍କ ନାମ ଜପୁଥିବୁଁ

ଶରୀରେ ଜୀବନ ଥିଲେ ଗୋ ବଉଳ ! ତାକୁ ନ ମୁର୍ଚ୍ଛିବୁଗୋ ବଉଳ !

ସବୁକଥା ଭଲ ଏକା କଥାକେ ଦିଶିବ

ଶ୍ରୀହରି ଶ୍ରୀହରି ବୋଲି ଗୋ ବଉଳ ! ଜୀବ ଯେବେ ଯିବ ଗୋ ବଉଳ । ୩୨ ।

ହରି କୃପା କଲେ ସେ କଥାଇ ହେବ ପୁଣି

ହରଷ ହୋଇଣ ଥାଆ ଗୋ ବଉଳ ! ହଉଛୁଁ ମେଲାଣି ଗୋ ବଉଳ !

ହୃଦରେ ଆମ୍ଭଙ୍କୁ ଏକା ଦୟା କରିଥିବ

ହରିଙ୍କି ଦେଖିଲେ ଏକା ଗୋ ବଉଳ ! ବାରତା କହିବ ଗୋବଉଳ । ୩୩ ।

କ୍ଷମା କରି ସବୁ ଦୋଷ ସୁଦୟା କରିବେ

କ୍ଷୋଭ ଛଡ଼ାଇ ସଂସାରେ ଗୋ ବଉଳ ! ପାଦ ସେବା ଦେବେ ଗୋ ବଉଳ !

ଛାଡ଼ି ଗଲୁଟି ବଉଳ ! କ୍ଷୋଭ ନ କରିବ

କ୍ଷେମେ ଦୀନକୃଷ୍ଣ ବୋଲେ ଗୋ ବଉଳ ! କୃଷ୍ଣ ଭଜୁଥିବ ଗୋ ବଉଳ । ୩୪ ।

Image

 

ବାନ୍ଧବୀ ଚଉତିଶା

 

ବାନ୍ଧବୀ ଚଉତିଶା ଭୁଲ୍ୟ ବରହୋଚିତ କାରୁଣ୍ୟଗର୍ଭ ରସମୟ କବିତା ଓଡ଼ିଆ ସାହିତ୍ୟରେ ବିରଳ । ଏ ଚଉତିଶାର ଭାଷାରେ ଓ ଛନ୍ଦରେ ଏପରି ଏକ ଐନ୍ଦ୍ରଜାଲିକର ପ୍ରଭାବ ଅଛି ଯେ ଏହା ପାଠ କଲେ ଚିତ୍ତ ଚମକୃତ ହୋଇ ଆତ୍ମହରା ହୁଏ । ଏହା ଯେ ଦୀନକୃଷ୍ଣଙ୍କ ପରିଶତ ପ୍ରତିଭାର ବିମୋହନ ବିକାଶ, କହିବା ବାହୁଲ୍ୟ ମାନ ।

କମଳଲୋଚନ କଂସ-କଟକରେ ଥାଇ

କିଶୋରୀରତନ ରାଧା ଚରିତ ଚିତୋଇ ।

ଆହା ବାନ୍ଧବି ରେ ! । ୧ ।

କ୍ଷଣେ ଯେ ଫାଶରୁ ମୋତେ ନ କରୁ ଅନ୍ତର

ଗଳ ଦଇବ ବଶରୁ ହେଲି ଏତେ ଦୂର

ଆହା ବାନ୍ଧିବି ରେ ! । ୨ ।

ଗଳାରେ ବାହୁବଲ୍ଲରୀ ବେଢ଼ାଇ ମୋହରା

ଗେଲାଇ ଯେ ବୋଲୁଥାଉ ନୋହିବା ଅନ୍ତର

ଆହା ବାନ୍ଧବି ରେ ! । ୩ ।

ଘର କରିଥାଇ ବନେ ତୋହ ପ୍ରୀତି ଘେନି

ଘର ଏବେ ଘୋର ହେଲା ଘନପୀନସ୍ତନି !

ଆହା ବାନ୍ଧବି ରେ ! । ୪ ।

ନେତ୍ର-ପଲକ ପଡ଼ିବା ନ ସହଇ ଦେହ

ନିଷ୍ଠୁର ଦଇବ ସୁହାଇଲା ଏ ବିରହ

ଆହା ବାନ୍ଧବି ରେ ! । ୫ ।

ଚରାଇ ବୃନ୍ଦାବନରୁ ନେଉଥିଲେ ଧେନୁ

ଚିତ୍ତରେ ଦଣ୍ଡେକ ପ୍ରତେ କୋଟି କୋଟି ମନୁ

ଆହା ବାନ୍ଧବି ରେ । ୬ ।

ଛାଇ ସେ ଅନ୍ତର ହୋଏ ତୁ ନୋହୁ ଅନ୍ତର

ଛାଡି ତେଡ଼େ ସେନେହ ରହିଲୁ ଦୁରାନ୍ତର

ଆହା ବାନ୍ଧବି ରେ ! । ୭ ।

ଯାଉ ନାହିଁ ଜୀବନ ରହିଛି କାହିଁପାଇଁ ?

ଯାତନାବନ୍ତ ଲୋକକୁ ଯମ ନ ନିଅଇ ।

ଆହା ବାନ୍ଧବି ରେ ! । ୮ ।

ଝୁରୁଛି ମୁଁ ଏଣେ, ତେଣେ ଝୁରୁଅଛୁ ତୁହି

ଝଲକ-ବଦନୀ ଆହା-କରନ୍ତା କେ ନାହିଁ

ଆହା ବାନ୍ଧବି ରେ ! । ୯ ।

ନେତ୍ରକୁ ମୋହର ଆଉ ନିଦ୍ରା ନ ଆସଇ

ନାଗରୀରତନ ତୋର ରୂପ ଗୁଣ ଧ୍ୟାୟି

ଆହା ବାନ୍ଧବି ରେ ! । ୧୦ ।

ଟଳି ପଡ଼ୁଅଛି ଅଙ୍ଗ ଅନଙ୍ଗ ଅବଶେ

ଟେକସ୍ତନୀ କି ହୋଇଥିବୁ ତାହାର ତ୍ରାସେ

ଆହା ବାନ୍ଧବି ରେ ! । ୧୧ ।

ଠିଆ ହେଲା ରୋମାପ୍ରାୟେ ଲାଗିଅଛି ଶର

ଠଣ-ଚନ୍ଦ୍ରମୁଖୀ ଯେହ୍ନେ ଶଲ୍ଲକୀ-ଶରୀର

ଆହା ବାନ୍ଧବି ରେ ! । ୧୨ ।

ଡେରି ହୋଇ ବସିବାକୁ ନାହିଁ ମୋ ଭରସା

ଡମ୍ବରୁମଧ୍ୟା କି ହୋଇଥିବ ତୋହ ଦଶା

ଆହା ବାନ୍ଧବି ରେ ! । ୧୩ ।

ତାଳେ ବିହି ଦୁହିଁଙ୍କି ଯା ଅନ୍ତରେ ରଖିଲା

ତମ କାମ ସବ୍ୟସାଚୀ ସାଧନା ଶିଖିଲା

ଆହା ବାନ୍ଧବି ରେ ! । ୧୪ ।

ଅଙ୍ଗେ ଅନୁଭବ କରିଥିଲେ ଜାଳାବଳି

ଏତେକେ ବିଯୋଗୀ ଅଙ୍ଗ ଦିଅଇ ସେ ଜାଳି

ଆହା ବାନ୍ଧବି ରେ ! । ୧୫ ।

ତହିଁ ଉପରେ ତ ହେଲା ସହଜେ ନିଷ୍ଠୁର

ତୋହରି କଥାକୁ ମୋର ହେଉଛି ବିଚାର

ଆହା ବାନ୍ଧବି ରେ ! । ୧୬ ।

ଥାଉ ଥାଉ ମୋର ପାଶେ ଥରୁ ତାର ଭୟେ

ଅଥିର-ହୃଦୟା ଏବେ କରିବ ଅଥେୟ !

ଆହା ବାନ୍ଧବି ରେ । ୧୭ ।

ଦ୍ୱିରଦରାଜଗମନା ଦ୍ୱିଜରାଜମୁଖୀ

ଦୁଷ୍ଟ କାମ ବାଣେ ତୋତେ କରାଇଲା ଦୁଃଖୀ

ଆହା ବାନ୍ଧବି ରେ ! । ୧୮ ।

ଧିକ ମୋର ଧଇର୍ଯ୍ୟ ମୁଁ ଧରିଛି ପରାଣ

ଧରଣୀ-ମଣ୍ଡନି ! ତୁ ପାଇଲୁ ଏ କଷଣ

ଆହା ବାନ୍ଧବି ରେ ! । ୧୯ ।

ନିଷ୍ଠୁର ନାହାକୁ ଯେଉଁ ନାରୀ କରେ ଆଶ

ନିଶ୍ଚେ ନାଶ ଯାଇ ଯେହ୍ନେ ଶଶୀରେ ସାରସ

ଆହା ବାନ୍ଧବି ରେ ! । ୨୦ ।

ପରାଣରେ ଯେବେ ଅଛି ତୋତେ ପରିହରି

ପ୍ରାଣମଣି ତୋତେ ଏବେ କହିବି କି କରି

ଆହା ବାନ୍ଧବି ରେ ! । ୨୧।

ଫାଟି ଯାଉନାହିଁ ହିଆ କହୁଅଛି ଏହା

ଫୁଲଶର ପାଶେ ତୋତେ ପକାଇଲି ଯାହା

ଆହା ବାନ୍ଧବି ରେ ! । ୨୨ ।

ବିରହ ବ୍ୟାଧିକି ବିହି ନ କଲା ଔଷଧି

ବିବେକୀ ନୋହଇ ସେ ବୋଲାଇ କିମ୍ପା ବିଧି

ଆହା ବାନ୍ଧବି ରେ ! । ୨୩ ।

ଭୋଜନ ଆଦିରୁ ଅଙ୍ଗ ଭୋଗ ସୁଖ ଯେତେ

ଭୁଜଙ୍ଗ ବିଷ ପରାୟେ ହୁଅଇ ପରତେ

ଆହା ବାନ୍ଧବି ରେ ! । ୨୪ ।

ମଳୟ ପବନ ମଳୟକ ଶିରୀ ଆଦି

ମହା ପ୍ରୀତି କଥାମାନେ ହୁଅନ୍ତି ବିବାଦୀ

ଆହା ବାନ୍ଧବି ରେ ! । ୨୫ ।

ଜନମ ହୋଇ ମନରୁ ମରାଇ ମଦନ

ଯେ ଯାହା କଲେହେଁ କଲା ପରରେ ବିମାନ

ଆହା ବାନ୍ଧବି ରେ ! । ୨୬ ।

ରଖିଲା ବିଧାତା ଆମ୍ଭ କପାଳେ ଏତକ

ରଥାଙ୍ଗ-ରଜନୀଦଶା ହେବ କାଳଯାକ

ଆହା ବାନ୍ଧବି ରେ ! । ୨୭ ।

ଲୀଳାବତୀ ମୋହଲାଗି ଛାଡ଼ିଲୁ ଲୀଳାକୁ

ଲୋଚନେ ଏକା ମଣ୍ଡିଲୁ ଲୋତକମାଳାକୁ

ଆହା ବାନ୍ଧବି ରେ ! ।୨୮।

ବେପଥୁ ସ୍ତମ୍ଭ ରୋମାଞ୍ଚ ବିସ୍ୱର ବିବର୍ଣ୍ଣ

ବେଭାରେ ସ୍ୱେଦ-ପ୍ରଳୟ ହୋଇଲୁ ମଣ୍ଡନ

ଆହା ବାନ୍ଧବି ରେ ! । ୨୯ ।

ଶୀତ ଖରା ବରଷା ଏ ବାରମାସ ଯାକ

ଶ୍ରୀଅଙ୍ଗରେ କଷ୍ଟ ଭୋଗ ହୋଇଲା ଏତେକ

ଆହା ବାନ୍ଧବି ରେ ! । ୩୦ ।

ସହଜେ ହେ ଆଶ୍ରେ ନ ଥିଲେ ବନିତା ଲତା

ଶୀର୍ଣ୍ଣ ହୋଇ ହୁଅନ୍ତି ମହୀ ଶୟନରତା

ଆହା ବାନ୍ଧବିରେ ! ।୩୧।

ସବୁ ଦୋଷ ମୋର କ୍ଷମା କରିବୁ ମୃଗାକ୍ଷି

ଶ୍ରୀକର ଧରି ତୋତେ ମୁଁ ଏତେ କହୁଅଛି

ଆହା ବାନ୍ଧବି ରେ ! ।୩୨।

ହସ୍ତରେ ଏତେକ ଲେଖି ମୁଦି ମୁଦ ଦେଇ

ହସି ବୋଇଲେ ଉଦ୍ଧବ ଯିବ ବେଗ ହୋଇ

ଆହା ବାନ୍ଧବି ରେ ! । ୩୩ ।

 

 

 

କ୍ଷପାକରବଦନୀ ରାଧାକୁ ଏହା ଦେବ

କ୍ଷେମେ ଦୀନକୃଷ୍ଣ ବୋଳେ ମୋ ଦୁଖ କହିବ

ଆହା ବାନ୍ଧବି ରେ ! । ୩୪ ।

Image

 

ନବଘନ ଚଉତିଶା

 

ନବଘନ ଚଉତିଶା ଦୀନକୃଷ୍ଣଙ୍କ ବ୍ରତ ବିରହ ଚଉତିଶା ମାନଙ୍କ ମତରେ ଏକତମ । ଏଥିରେ ପ୍ରଦର୍ଶିତ ଜପମାନ ଉପମିତର କମନୀୟ ବିନ୍ୟାସ ଏହାର ବିଶିଷ୍ଟତା । ଏ ଚଉତିଶାର କାନ୍ତ କୋମଳ ପଦାବଳୀଦ୍ୱାରା ଯେଉଁ ଅପୂର୍ବ ସଙ୍ଗୀତର ସୃଷ୍ଟି ହୋଇଅଛି ତାହା ସର୍ବତୋଭାବେ ଦୀନକୃଷ୍ଣଙ୍କ ଅସାମାନ୍ୟ ପ୍ରତିଭାର ନିଦର୍ଶନ ।

 

ରାଗ କାମୋଦୀ

କୃଷ୍ଣ କଂସ ନବରେ ଜଳଦ ସମୟରେ

କଜ୍ଜ୍ୱଳ ମେଘ ବର୍ଣ୍ଣ ଦେଖି

କରନ୍ତି ଚିନ୍ତା ମନେ କେମନ୍ତେ ମୋ ବିହୁନେ

ବଞ୍ଚିବ କଳାକରମୁଖୀ ହେ ନବଘନ !

କହନ୍ତି ନବଘନ ଚାହିଁ

କିପାଁ ଅଇଲ ମତେ ଦହି

କାମକେଳିକୁଶଳା କଣ୍ଠ-ରତନ-ମାଳା

ଡୋଳାପ୍ରତିମା ମୋର ନାହିଁ ହେ ନବଘନ ! ।୧।

 

ଖଞ୍ଜନ-ବିଲୋଚନା ମତ୍ତ-ପିକ-ବଚନା

ଥାଆନ୍ତା ଯେବେ ମୋର କୋଳେ

କ୍ଷଣକାନ୍ତିକି ଘେନି ଘନରସରେ ଦାନୀ

ହୋଇ ଆସନ୍ତୁ ତେତେବେଳେ ହେ ନବଘନ !

ଖେଦ ମୋ ଉଦୟେ ନୁହନ୍ତା

କ୍ଷଣକ ସୁଖ କେ କହନ୍ତା

ଖରକାମ ବଇରି ଶର ପ୍ରହାର କରି

କିପାଁ ମୋ ଶରୀରେ ରହନ୍ତା ହେ ନବଘନ ! ।୨।

 

ଗଜଗମନୀ ଗୋରୀ ମୋ ପଞ୍ଚପ୍ରାଣେଶ୍ୱରୀ

ପାଶରେ ନାହିଁ ମୋର ଯେଣୁ

ଗଜରାୟ ପରାୟେ ଦେଖି ତୁମ୍ଭଙ୍କୁ ଭୟେ

ଜାତ ହେଉଛି ମୋର ତେଣୁ ହେ ନବଘନ !

ଗର୍ଜ୍ଜନ ବୃଂହିତ ସମାନ

ଗଳୁଛି ଜଳଧାର ଦାନ

ଗଣୁଅଛି ମନରେ ବକପନ୍ତି ଛଳରେ

ପ୍ରକାଶ ହୋଇଛି ଦଶନ ହେ ନବଘନ ! ।୩।

 

ଘେନିମାକୁ ଜୀବନ ଅଇଲ ଘନାଘନ

କାଳ ସ୍ୱରୂପ ଧରି କରି

ଘନବଲ୍ଲୀ ରସନା କରୁଛି ଯେତେ ଅନା

ଏତେକେହେଁ ଗଲି ମୁଁ ସରି ହେ ନବଘନ !

ଘଡ଼ଘଡ଼ି ଗର୍ଜ୍ଜନ ଛାଡ଼ି

ଘୋଟି ପଡ଼ୁଛି ମତେ ମାଡ଼ି

ଘେନୁଅଛି ମୋ ପ୍ରାଣ ପାପିଷ୍ଠ ପଞ୍ଚବାଣ

ତୁମ୍ଭର ସଙ୍ଗତରେ ପଡ଼ି ହେ ନବଘନ ! ।୪।

 

ନାଗ ନାଗ ପରାଏ ମନେ ତ ପ୍ରତେ ହୁଏ

ବିଷ ବିଷ ଛାଡ଼ୁଛି ଯେଣୁ

ନିରନ୍ତରେ ବିଜୁଳି ଛଳେ ରସନା ଚାଳି

ଭୟ କରାଉଅଛି ତେଣୁ ହେ ନବଘନ !

ନାଶିବ ମୋ ପ୍ରାଣ ସମୀର

ନିର୍ଣ୍ଣୟେ ହୋଇଛି ତୁମ୍ଭର

ନିଶ୍ଚେ ତୁମ୍ଭଙ୍କୁ ପାଇ ମହା ପ୍ରବଳ ହୋଇ

ଅଛି କାମ ଜାଙ୍ଗଳିକର ହେ ନବଘନ ! ।୫।

 

ଚେତିଲି ଏବେ ରାହୁ ପରାୟେ ଚାହୁଁ ଚାହୁଁ

ପୁଷ୍ପବନ୍ତକୁ ଗିଳିଦେଲା,

ଚିନ୍ତା ଜଳରେ ସ୍ନାନ କରାଇ ପ୍ରାଣଦାନ

କାମ-ବ୍ରହ୍ମେ ଦେବାକୁ କଲା ହେ ନବଘନ !

ଚିତ୍ତ ତୁମ୍ଭର କି କୁଟିଳ,

ଚିହ୍ନ ତ ନାହିଁ ମିତ୍ରକୁଳ,

ଚଡ଼କ ଘାତେ ଗିରି- ବରକୁ ଚୂର୍ଣ୍ଣକରି

ଦେଖୁ ଦେଖୁ ମସ୍ତକ ଗିଳ ହେ ନବଘନ ! ।୬।

 

କ୍ଷମା କରୁଣା ନାହିଁ ଯମ ସ୍ୱରୂପ ବହି

ଜୀବନ ଘେନିବାର ମୂଳ

ଛାଡ଼ି ପ୍ରାଣବନ୍ଧୁକୁ କହୁଅଛି ତୁମ୍ଭଙ୍କୁ

ଏତେକେ ନ ପାଅ ବିକଳ ହେ ନବଘନ !

କ୍ଷଣକେ କର ଯେଉଁ ଘୋଷ,

ଛଡ଼ାଅ ପ୍ରାଣ ପ୍ରତିଆଶ,

ଛଇଳ ଶିରୋମଣି ଏହା କର୍ଣ୍ଣରେ ଶୁଣି

କେମନ୍ତେ ନୋହିବ ବିନାଶ ? ହେ ନବଘନ ! ।୭।

 

ଯେବେ ତୁମ୍ଭ ତୁଲରେ ଥାଉ ଏକମେଳରେ,

ହୋଉ ତୁମ୍ଭ ସମୟ ପ୍ରାୟେ,

ଜୀମୂତ ମତେ କରି ବିଜୁଳି ହୋଇ ଗୋରୀ

ବରଷେ ଘନ ରସମୟେ ହେ ନବଘନ !

ଯାବତ ତାପ ହୋଏ ଲୋପ,

ଜାତ ହୋଏ ପୁଲକ ନୀପ,

ଯେଉଁ ରୂପେ ବଢ଼ଇ ପରମ ପ୍ରେମ ନଈ

କହି ନୁହଇ ସେ ଅମାପ ହେ ନବଘନ ! ।୮।

 

ଝୀନ-ବସନୀ ଶ୍ୱାସ ଗନ୍ଧବହ ସଦୃଶ

ପ୍ରଖରେ ବହଇ ସେକାଳେ,

ଝସକେତନ ତଟ- ତରୁ ହୋଇ ଉଚ୍ଚାଟ

କାହିଁ ଭାସଇ ଅବହେଳେ ହେ ନବଘନ !

ଝିଙ୍କାରୀ ଶବଦକୁ ଜିଣି

ଝଳି ଗୋରୀ ମନ୍ମଥବାଣୀ

ଝମଣ୍ଟେ ନ ରହଇ ଦାତ୍ୟୂହ ପ୍ରାୟେ ହୋଇ,

ଡାକଇ କନକ କିଙ୍କିଣୀ ହେ ନବଘନ ! ।୯।

 

ନ ଜାଣଇ ବରଷା ମତେ କରି ଭରସା

ମୁଁ ତାହା ଘେନି ସେହିମତି

ନିଶା ସମୟ ଚକ୍ର- ଦଶା ହେବାରୁ ଶତ୍ରୁ-

ବାହନ ହୋଇଲ ବିପତ୍ତି ହେ ନବଘନ !

ନାହିଁ ତୁମ୍ଭର କିଛି ଦୋଷ,

ନାହିଁ ମୋ କର୍ମେ ଭଲ ଲେଶ,

ନିଶାକର ଚନ୍ଦ୍ରମା ଚନ୍ଦନ ସୁଖ ସୀମା

ହେଲେ ବିରହେ ହୋଏ ବିଷ ହେ ନବଘନ ! ।୧୦।

 

 

 

ଟେକ ସମ୍ପତ୍ତି କାଳେ ଯେଉଁ ଲୋକ ବିକଳେ

ଘେନଇ ଲୋକର ବେଦନା

ଟଙ୍କଧର ଆଦିରୁ ବ୍ରହ୍ମାଣ୍ଡକର୍ତ୍ତାଠାରୁ

ବଡ଼ ତାହାକୁ ବୋଲି ସିନା ହେ ନବଘନ !

ଟଳି ତ ଯିବ ତୁମ୍ଭ ପଣ

ଟିକାଏ ଘେନି ମୋ କଷଣ

ଟେକ ଗର୍ଜ୍ଜନ କରି ପ୍ରାଣ ମୋର ନ ହରି

ନୁହ ଅତିଶୟ ଦାରୁଣ ହେ ନବଘନ ! ।୧୧।

 

ଠାଠିକ ତୁମ୍ଭେ ତୋରା ଦିଶ ମୋହୋରି ପରା

ସହଜେ ଶ୍ୟାମ କଳେବର

ଠିକ କେକୀକଳାପ ପରାୟେ ଇନ୍ଦ୍ରଚାପ

ସମ ବିଜୁଳି ପୀତାମ୍ବର ହେ ନବଘନ !

ଠିକ ଗୁଣ ତୁମ୍ଭର ଯେତେ

ଠାବ ସେ ହୋଇଛି ଜଗତେ

ଠାକୁରାଣୀ ଛାମୁକୁ ତୁମ୍ଭଙ୍କୁ ପେଷିବାକୁ

ବିଶ୍ୱାସ ହୋଉଅଛି ଚିତ୍ତେ ହେ ନବଘନ ! ।୧୨।

 

ଡୋଳା-ପ୍ରତିମା ଏକା ହେଳେ କରଇ ଦକା

ଦେଖି ତୁମ୍ଭଙ୍କୁ ନୟନରେ

ଡୋଳାରେ ଦେଖୁ ଦେଖୁ ବନ୍ଧୁ ମୋ ରଖୁ ରଖୁ

ଛାଡ଼ି ଅଇଲି ନିର୍ଦ୍ଦୟାରେ ହେ ନବଘନ !

ଡକା ଉପରେ ହେଲା ଡକା

ଡକାଇତ କାମ କଡ଼କା

ଡରେ ପ୍ରଣ ଛାଡ଼ିବ କର୍ଣ୍ଣେ ଯେବେ ଶୁଣିବ

ଡାହୁକ ଡାକେ କେକୀ କା କା ହେ ନବଘନ ! ।୧୩।

 

ଢାଳେ ଭାସିଲୁ ଦୁହେଁ କାମନଦୀ-ପ୍ରବାହେ

ଦୁହେଁ ଦୁହିଁକି ସିନା ଭେଳା,

ଢଳି ଜୀବନ ଯିବା ଏଥିରେ କେତେ ଅବା

ଯହିଁ ଦଇବ ଏତେ ହେଲା ହେ ନବଘନ !

ଢାଳେ ମୋ ବୋଲ ଏବେ କର

ତମ ପଣକୁ ପରିହର

ଢାଳନେତ୍ରୀ ଛାମୁରେ ବାରତା କହିବାରେ

ବହୁତ ଯଶକୁ ବିସ୍ତାର ହେ ନବଘନ ! ।୧୪।

 

ଏବେ ଯେ ତୁମ୍ଭେ ୠତୁ ପ୍ରାୟେ ମକରକେତୁ

ହେତୁରୁ ହୋଇଥିବା ବାଳା

ଉଚ୍ଚ କୁଚ ଗିରିରେ ପୟୋଧର ରୂପରେ

ପଡ଼ିଥିବ ଚିକୁର-ମାଳା ହେ ନବଘନ !

ଅଶ୍ରୁଜଳ ବରଷୁଥିବ

ଅନଙ୍ଗ-କୃଷିକ ଜୀଇବ

ଅଙ୍ଗ ଭୂମିରେ ଶର- ସୀରରେ ଦେଇ ଗାର

ଅନେକ କୃଷି ସେ କରିବ ହେ ନବଘନ ! ।୧୫।

 

ତାପ-ତଟିନୀ ବଢ଼ି ଧଇର୍ଯ୍ୟ-ତଟ ଏଡ଼ି

ବିବେକ-ବିଟପୀ ତାଡ଼ିବ

ତରଳ ହୋଇ ଜ୍ଞାନ- ହଂସ ଉଡ଼ି ବହନ

ହୃଦୟ-ସରସୀ ଛାଡ଼ିବ ହେ ନବଘନ !

ତୂଷ୍ଣୀ ହେବ ବଚନ-ପିକ

ତୋରା ହେବ କାନ୍ତି-କେତକ

ତାଣ୍ଡବ କରୁଥିବ ବିରହ-ବ୍ୟାଧି-ଶିବ-

ଭୂଷଣ-ବଇରି ଅନେକ ହେ ନବଘନ ! ।୧୬।

 

ଥରେ ଥରେ ପ୍ରଖର ବହେ ଶ୍ୱାସ-ସମୀର

ଥରେ ଥରେ ହୁଅଇ ଲୀନ

ଥିଲା କର୍ମରେ ଏହା ଏ କାଳେ ଯାଇଁ ସାହା

ନୋହିଲା ଧିକ ତା ଜୀବନ ହେ ନବଘନ !

ଥିରାମଣ୍ଡନୀ ହୀରାଦନ୍ତୀ

ଥୁଳ-ନିତମ୍ବା ଦନ୍ତୀ-ଗତି

ଥାପିଲା ସୁଖ ପାଇ ପ୍ରେମ ପ୍ରୀତି ମୋ ଠାଇଁ

ପାଇଲା ଅନେକ ବିପତ୍ତି ହେ ନବଘନ ! ।୧୭।

 

ଦୟାଳୁ-ଶିରୋମଣି ଦୟାରେ ମୋତେ କିଣି

ଦେଇଛି ଯେତେ ଯେତେ ସୁଖ

ଦରହାସିନୀ ହେତୁ       ବସନ୍ତ ଆଦି ଋତୁ-

ଯାକ ମୁଁ ପାଇ ନାହିଁ ଦୁଖ ହେ ନବଘନ !

ଦଇବ ଏବେ ଏହା କଲା

ଦାସବତ୍ସଳା ଦୂର ହେଲା

ଦଗଧ ପଟ ପ୍ରାୟେ ହୋଇ କେବଳ କାୟେ

ଆକାର ମାତ୍ରକ ରହିଲା ହେ ନବଘନ ! ।୧୮।

 

ଧୃତି ଧ୍ୱସିଂନୀ ହିମ- କାଳେ ଅରୁଣ ଧୂମ

ପୂରେ ଯେ ଘେନି ବସିଥାଇ

ଧାତା ରଚନା ଯେତେ ସୁଖ ସମସ୍ତ ମତେ

ଇତର ପରାୟେ ଦିଶଇ ହେ ନବଘନ !

ଧନ୍ୟ ତା କୋମଳ ଶରୀର

ଧୀରେ ଲାଗନ୍ତେ ଅଙ୍ଗେ ମୋର

ଧିକାର କରୁଥାଇ ହଂସୁଲି ତୁଳୀପାଇଁ

ଅଙ୍ଗକୁ ଲକ୍ଷ୍ୟ ଦ୍ୟନ୍ତି ନର ହେ ନବଘନ ! ।୧୯।

 

ନାହିଁ ନୋହିବ ନବ ପଞ୍ଚ ଭୁବନେ ଭାବ-

ବତୀ ସମାନେ ସୁଖକାରୀ

ନୋହିଲେ କାହିଁପାଇଁ ଝୁରୁଛି ତାହାପାଇଁ

ନିଶି ଦିବସ ବସି କରି ହେ ନବଘନ !

ନିରୂପମ ନାଗରୀମଣି

ନାହିଁ ତା ପରା ଗୁଣମଣି

ନାକ ନାଗ ତରୁଣୀ ତାହାରି କଥା ଶୁଣି

ଲାଜେ ନ ଦେଖନ୍ତି ଧରଣୀ ହେ ନବଘନ ! ।୨୦।

 

ପୂର୍ଣ୍ଣ-ଚନ୍ଦ୍ର-ବଦନା ମତ୍ତ-ପିକ-ବଚନା

ପଲ୍ଲବ-ଦଶନ-ବସନା

ପୁଷ୍ପ ବେଶ ହୋଇ ଯେ ଆସେ ମକରଧ୍ୱଜେ

ପୀଡିତ ହୋଇ ପୀନସ୍ତନା ହେ ନବଘନ !

ପଛ ହୋଏ ପଲକପନ୍ତି

ପୁଲକେ ଫୁଲଇ ମୋ ଛାତି

ପୀତବସନା ସଙ୍ଗେ ରତି-ପତି ପ୍ରସଙ୍ଗେ

କାହିଁ ଯାଇ ବସନ୍ତରାତି ହେ ନବଘନ ! ।୨୧।

 

 

 

ଫାଟି ନ ଯାଇ ଛାତି ରହିଛି ତାହା ଚେତି

ଫୁଟେ ଜାଣିଲି ବଜ୍ର ଏହି

ଫୁଲ୍ଲାରବିନ୍ଦମୁଖୀ ମୁଖ ଯାହା ନ ଦେଖି

ତରଳି ନ ଯାଇଛି ବହି ହେ ନବଘନ !

ଫାନ୍ଦେ ପଡ଼ିଲା ମୃଗ ପ୍ରାୟେ

ଫାଇ ବିକଳ ହୋଏ କାୟେ

ଫନ୍ଦା ହିଁ ଅଛି ଏତେ ବିହି ବା କଦାଚିତେ

ନିଅଇ ପ୍ରାଣ ବନ୍ଧୁ ଯାଏ ହେ ନବଘନ ! ।୨୨।

 

ବଡ଼ କରି ଅଙ୍ଗରେ ଘେନୁ ଯେ ଥାନ୍ତି ନରେ

ଗ୍ରୀଷମେ କର୍ପୂର ଚନ୍ଦନ

ବିଶାଳନେତ୍ରୀ ପର- ସାଦେ ତହିଁକି ମୋର

ଲେଶେହେଁ ନ ବଳଇ ମନ ହେ ନବଘନ !

ବୁଡ଼ିଲା ସବୁ ସୁଖ ମୋର

ବିଧାତା କଲା ଅବିଚାର

ବସନ୍ତ-ଗିରୀଷମ ସମସ୍ତ ଋତୁ ଯମ

ସମାନ ବଇରି ମୋହର ହେ ନବଘନ ! ।୨୩।

 

ଭୋଜନ ବିନୁ ଭୋଖୀ ମନେ ଯେମନ୍ତ ସୁଖୀ

ନୁହଇ ଭୂଷଣ ଭୂଷଣେ

ଭାବିନୀ ବିନୁଁ ଭାବ ସେହିମତି ଅଭାବ

ହୁଅଇ ଦଇବ କଷଣେ ହେ ନବଘନ !

ଭୂପତି ବିହୀନେ ସମ୍ପତ୍ତି

ଭଗାରୀ ପରାୟ ଦିଶନ୍ତି

ଭୁରୁଶୋଭନୀ ଭାବ- ବତୀ ବିହୀନେ ଜୀବ

ଥିବା କଥାହି ସେହି ମତି ହେ ନବଘନ ! ।୨୪।

 

ମନ୍ଦ ମନ୍ଦ କହିବା ମନ୍ଦ ମନ୍ଦ ଚାହିଁବା

ମନ୍ଦ କଳ କୋକିଳ-ବାଣୀ

ମତେ ତ ଦିଶୁ ନାହିଁ ଉପମା ଅଛି କାହିଁ

ଆହା ସେ ରସିକ-ସିହାଣୀ ହେ ନବଘନ !

ମକରଧ୍ୱଜ କଳ୍ପଲତା

ମହତ କାମ-ଫଳ-ଦାତା

ମହୀ ମଣ୍ଡନୀ ମନ- ମୋହିନୀ ଜୀବଧନ

ମୋ ସୁଖ-ମନ୍ଦିର-ଦେବତା ହେ ନବଘନ ! ।୨୫।

 

ଜମ୍ବୁନଦ-ଗୋରୀକି ନବୀନ କିଶୋରୀକି

ଦେଖିବା ଯାଏଁ ପ୍ରତେ ନାହିଁ

ଜପୁଥିବି ତାହାର ନାମ ତା ନିରନ୍ତର

ଯାବତ ଯାତନାକୁ ସହି ହେ ନବଘନ !

ଜଳଜନେତ୍ରୀ କି କହିବ

ଯେମନ୍ତେ ଜୀବନ ରହିବ

ଜୀବନ-ମୁଞ୍ଚ ନାମ       ଯଥାର୍ଥ କରି ବାମ

ନେତ୍ରୀକି ବାମ ତା ନୋହିବ ଯେ ନବଘନ ! ।୨୬।

 

ରଖଇ ନାହିଁ ଧାତା ସବୁକାଳେ ସମତା

ଭଙ୍ଗହିଁ କରଇ ତହିଁରେ

ରତିଏ ଯେ ଯାହାକୁ ଛାଡ଼ଇ ନାହିଁ ତାକୁ

ରଖଇ ଅନେକ ଦୂରରେ ହେ ନବଘେନ !

ରାଜୀବ ସୁତର ଏ ରୀତି

ରତି ପତିର ଏ ଅନୀତି

ରୋଲମ୍ବ ଗୁଣ ନେଇ ଫୁଲ ଧନୁରେ ଦେଇ

ଫୁଲ କାଣ୍ଡେ ମନ୍ଥଇ ମତି ହେ ନବଘନ ! ।୨୭।

 

ଲୋଚନ କର୍ଣ୍ଣ ଧର ଲୋଚନେ ଅଙ୍ଗ ତାର

ଲିବିଲା ଅବଲେପ ଏତେ

ଲୋକ ଦୁଖଃ ନ ଜାଣି ବିନ୍ଧଇ ପୁଣ ପୁଣି

ବାଳିଶ ଅବିଳେକ ଚିତ୍ତେ ହେ ନବଘନ !

ଲେଶେ ବିଚାର ନ ଚଳଇ

ଲଳନା ଅଙ୍ଗେ ପ୍ରହାରଇ

ଲାଭହାନି ବିଶେଷ ନ ଜାଣି ଆଶୟାଶ

ପରାଏ ଆପଣେ ମାରଇ ହେ ନବଘନ ! ।୨୮।

 

ବିଚାରୁଅଛି ଏବେ ତୁମ୍ଭ ସଙ୍ଗତେ ଯେବେ

ଯିବ ଏ ବଲ୍ଲଭୀ ପାଶକୁ

ବିଧୁ-ବଦନୀ ବାଳା କୋମଳା ପ୍ରେମଶୀଳା

ଅବଶ୍ୟ ଭଜିବ ନାଶକୁ ହେ ନବଘନ !

ବିଷଧର ପାଇଲେ ପୟ

ବୁଦ୍ଧି ଯେ କରଇ ବିଷୟ

ବିଶ୍ୱକେତୁ ଆଶ୍ରୟ ପାଇଲେ କରେ ଜୟ

ଏହି ଘେନି କରୁଛି ଭୟ ହେ ନବଘନ ! ।୨୯।

 

ସହଜେହେଁ ଶୀତଳ କର୍ପୂର ନାରିକେଳ

ଲେମ୍ବୁ ସଂଯୋଗୁ ହୋଏ ବିଷ

ସୁଜନ ସଙ୍ଗେ ଯେବେ ଦୁର୍ଜନ ହୋଏ ତେବେ

ଅବଶ୍ୟ ହୋଏ ଅପଯଶ ହେ ନବଘନ !

ସଉଦାମିନୀ ସଙ୍ଗେଥିବ

ସହଜେ ତ ସମୀର ଯିବ

ଶିଖୀ ବକ ଡାହୁକ ମଣ୍ଡୂକ ମହା ଡାକ

କାହାକୁ କେତେ ନିବାରିବ ହେ ନବଘନ ! ।୩୦।

 

ସେ ତ ତୁମ୍ଭ ଦମକ ଶୁଣି ଲଭେ ଚମକ

ଝସକେତୁ ଦମକ ତେଣେ

ଶିତି କଣ୍ଠ ବିକଟ ଡାକିବାର ଚହଟ

ବନ୍ଧୁକୁ ନ ରଖିବ ପ୍ରାଣେ ହେ ନବଘନ !

ସବୁ ସମ୍ପଦ ସରିଯିବ

ସଂସାରେ ଲୋକ କି ବୋଲିବ

ଶୁଭେ ଜୀବନ ଥିଲେ ଧାତା ସୁମୁଖ ହେଲେ

ସମସ୍ତ ସୁଖହିଁ ହୋଇବ ହେ ନବଘନ ! ।୩୧।

 

ସଲିଳଧର ଯାଅ ଅପଯଶ ନ ପାଅ

ସବୁ ଦୁଷ୍ଟ ମାନଙ୍କୁ ଘେନି

ସମସ୍ତେ ଉପକାର କଲେ ଯେଣୁ ମୋହର

ଜୀବଧନ ନ କଲ ହାନନି ହେ ନବଘନ !

ସକ୍ରୋଧେ ବୋଲିବି ମୁଁ ଯାହା

ମନରେ ନ ଘେନିମ ତାହା

ସ୍ନେହ ଥାଇ ଯହିଁରେ ମାନ କରି ତହିଁରେ

ହୃଦରେ ବିଚାରିବ ଏହା ହେ ନବଘନ ! ।୩୨।

 

 

 

ହଂସ-ଗମନୀ ଧନୀ ବିଛେଦ-ଦୁଖ ଘେନି

ମୋ ମନ ମୋହର ନୁହଇ

ହୃଦୟ ନୋହେ ଥୟେ କଥା ପ୍ରସଙ୍ଗ ପ୍ରାଏ

କେତେବେଳରେ କି କହଇ ହେ ନବଘନ !

ହର-ବଇରି ଶରେ ଜ୍ଞାନ

ହେଉଛି ଥରେ ଥରେ ଆନ

ହରଷ ହୋଇ ଘନ କର ଏବେ ଗମନ

ନ ଘେନି କିଛି ଅଭିମାନ ହେ ନବଘନ ! ।୩୩।

 

କ୍ଷମା ସାଗର ବର ରସିକ ଗିରିଧର

ବୋଲେ ଜଳଦ ବାହୁଡ଼ିଲା

କ୍ଷମାକରବଦନୀ କ୍ଷୋଭ କରିଲା ଘେନି

ଗୋକୁଳମାର୍ଗ ନ ମାଡ଼ିଲା ହେ ନବଘନ !

କ୍ଷମେ ଏ ଚଉତିଶା ଶୁଣ

ଛାଡ଼ି ମନରୁ ଅବିଗୁଣ

କ୍ଷମା ସାଗର ଲୋକ- ମାତା ଚରଣେ ଲୋକ

ଦୀନକୃଷ୍ଣ ଦାସ ଶରଣ ହେ ନବଘନ ! ।୩୪।

Image

 

ଚଉତିଶା ଚନ୍ଦ୍ରିକା

ରାଧାଦର୍ଶନ ଚଉତିଶା

୩.

ଗଙ୍ଗାଧରରିପୁମହାନଦୀ–ମହାଦେବଙ୍କ ଶତ୍ରୁ କାମ । କାମରୂପ ମହାନଦୀ । ହେମ ତରଣୀ–ସୁନାର ନୌକା । ଅଝାଲ–ପାଲ ।

୪.

ମଦାମଦକଳ ମରାଳ ଡାକ–ମତ୍ତ ଦଂସମାନଙ୍କର କଳ କଳ ଧ୍ୱନି । ଡମ୍ବର–ଆଡ଼ମ୍ବର । ଅର୍ଥାତ୍ ସେହି ରମଣୀର ପାଦ ଅଳଙ୍କାରର ଧ୍ୱନି ମତ୍ତ ହଂସମାନଙ୍କ କଳ ରବକୁ ସୁଦ୍ଧା ହଟାଇ ଦେଉଅଛି ।

୫.

ନୀଳକଣ୍ଠ–ମହାଦେବ ।

୬.

ଚନ୍ଦ୍ରାର୍ଦ୍ଧଭାଲ-ଅର୍ଦ୍ଧଚନ୍ଦ୍ର ରୂପ କପାଳ । ଗନ୍ଧଊର୍ଦ୍ଧ୍ୱତିଳକସୁବାସ ଚନ୍ଦନର କଲୀ ।

୭.

ଛଣେ–କ୍ଷଣେ (‘କ୍ଷ’ ସ୍ଥାନରେ ‘ଛ’ ଓ ‘ଛ’ ସ୍ଥାନରେ ‘କ୍ଷ’ ର ବ୍ୟବହାର ଅନେକ ଚଉତିଶାରେ ଦେଖାଯାଏ) ଛତିବିତି–ବ୍ୟତିବ୍ୟସ୍ତ । ରତିପତି ଶରେ-ମଦନ ଶରରେ । କର୍ମ୍ମରେ ହେବେ ବିବାଦୀ–କର୍ମ୍ମ ଅର୍ଥାତ୍ ନିଜ ଭାଗ୍ୟ ସଙ୍ଗେ କଳହ କରିବେ ବା ସେହି ରମଣୀ ସଙ୍ଗେ କ୍ରୀଡ଼ା କରିବାକୁ ପରସ୍ପର ମଧ୍ୟରେ ବିବାଦ କରିବେ ।

୮.

ଜମ୍ବୁନଦ କଳେବର–ସୁନାବର୍ଣ୍ଣ ଦେବ ।

୯.

ତାଟଙ୍କ–କାନର, କାପ, ଫୁଲଶର–ମଦନ ।

 

 

୧୦.

ନବପଞ୍ଚ ଭୁବନ–ଚତୁର୍ଦ୍ଦଶ ଲୋକ । କାମ ଜୟରଥ କନ୍ଦର୍ପର ବିଜୟରଥ କପଟ ସ୍ତ୍ରୀ ରୂପରେ ଜାତ ହୋଇଅଛି ।

୧୧.

ଟେକ–ଉଚ୍ଚ, ଟିକାଏ ତାହାର ଉଚ୍ଚ କୁଚ ଯୁଗଳ ଚକ୍ରବାଡ଼ ପର୍ବତ ପରି ଟେକି ହୋଇ ତାର ଆକ୍ଷିରୂପ ସୂର୍ଯ୍ୟକୁ ଭୂଇଁ ଦେଖାଇ ଦେଉନାହିଁ । ଅର୍ଥାତ୍ ସ୍ତନଯୁଗଳ ଟେକି ହୋଇଥିବାରୁ ତାର ଆଖି ତଳେ ପଡ଼ୁନାହିଁ, ସ୍ତନରେ ପଡ଼ୁଛି ।

୧୨.

ଠଣ ପଦ୍ମକୋଳେ ମୁଖରୂପ ପଦ୍ମରେ ଚକ୍ଷୁରୂପ ଖଞ୍ଜନ ପକ୍ଷୀଦ୍ୱୟ ଖେଳିବାର ଦେଖିଲି-।

୧୩.

ଡମରୁମଧ୍ୟା ଶୋଭିନୀ–କ୍ଷୀଣକଟି । ଡମ୍ବର-ଆଡ଼ମ୍ବର । ଡାକିମ୍ବନେତ–ଡାଳିମ୍ବ ବର୍ଣ୍ଣ ପାଟ-

୧୪.

ଢମ–ଅତିରଞ୍ଜନ କରି । ଢାଳ ଚାହାଣୀ–ବାଙ୍କ ଚାହଣୀରେ ଶୃଙ୍ଗାର ଭାବକୁ ଜଗାଇ ମନକୁ ଓଟାରି ଘେନିଗଲା ।

୧୫.

ତାହାର ରଙ୍ଗ ଅଧର ଶୃଙ୍ଗାର ରସ ରୂପ ଅମୃତର ଘର ଏବଂ ତହିଁରେ ହସ ଫୁଟି ବାଳସୂର୍ଯ୍ୟଙ୍କ କୋଳରେ ଚନ୍ଦ୍ରରେଖା ରହିଲେ ଯେପରି ମନୋରମ ଦିଶେ ସେହିପରି ମନୋରମ ଦିଶୁଥିଲା ।

୧୬.

ତିନିଲୋକ ସୁଖ ସୀମା–ତିନିଲୋକରେ ସମ୍ଭବ ସୁଖର ଚୂଡ଼ାନ୍ତ । ତାହାକୁ ସେହି ଉପମା–ଅର୍ଥାତ୍ ତା ସଙ୍ଗେ ଉପମିତ ହେବାକୁ ଆଉ କେହି ନାହିଁ । କାମ ଅର୍ଥାତ୍ କନ୍ଦର୍ପର ତାହାରି ଯୋଗୁଁ ଏଡ଼େ ଚାରିମା ବା ଗର୍ବ ।

୧୭.

ପାଦକ ପରେ ପାଦେ ପକାଇ ସେ ଯେଉଁରୂପେ ଅଗ୍ରସର ହୁଏ ତାହା ବା କଣ ବର୍ଣ୍ଣନା କରିବି ? ଥଳ ପଦ୍ମଗୁଡ଼ିଏ ତୋଳି ବିଞ୍ଚିଦେଲେ ଯେପରି ଦିଶିବ ତାର ପାଦପକା ଅବିକଳ ତଦ୍ରୁପ ।

୧୮.

ଦେହ ଅଦେହ ଦେହ କରିଗଲା–ଅନାଇବା ମାତ୍ରକେ ଦେହକୁ ଅଦେହ ଦେହ ଅର୍ଥାତ୍ କାମ ବିକାର ଯୁକ୍ତ ଦେହ କରିଦେଲା ।

୧୯.

କନ୍ଦର୍ପ ଧନୁଶର ଧରି ଗଜିଲା ପରି ଅର୍ଥାତ୍ ତର୍ଜନ କଲାପରି ତାହାର ଭ୍ରୃଭଙ୍ଗୀ ଓ ନେତ୍ର ଚାଞ୍ଚଲ୍ୟ ମୋତେ ବୋଧ ହେଲା ।

୨୦.

ତାର ଏ ସବୁ ଶୋଭା ମୋ ଚକ୍ଷୁରେ ବାସକରି ମୋତେ ବହୁ ସୁଖ ଦେଲା ଓ ବହୁ ବିଦ୍ୟାଥିଲେ ତା ଯେପରି ଅଙ୍ଗକୁ ଭାରୀ ହୁଏ ନାହିଁ ସେହିପରି ଏହାସବୁ ତିଳେ ସୁଦ୍ଧା ଭାରୀ ବୋଧ ହେଲେ ନାହିଁ ।

୨୧.

ପରମାନନ୍ଦ ସମ୍ପତ୍ତି–ଶ୍ରେଷ୍ଠ ବ୍ରହ୍ମାନନ୍ଦ ସଂପଦ ।

୨୨.

ଫୁଲ୍ଲ–ଫୁଟିଥିବା, ତିଳଫୁଲ–ରାଶିଫୁଲ, ଫେଡ଼ି–ଫିଟାଇ । ସୁରଗୁରୁ–ଦେବତାଙ୍କ ଗୁରୁ ବୃହସ୍ପତି, ସୁରଗୁରୁଦଶା ପଞ୍ଚମ ବୃହସ୍ପତି ଦଶା–

୨୩.

ବିଷମଶର–ମଦନଶର

୨୪.

ଭବରିପୁଭୟ–କନ୍ଦର୍ପ ଭୟ

୨୬.

ଯାଉଥିଲା କଥାରଙ୍ଗେ–କୌତୁକରେ କଥାବାର୍ତ୍ତା କରି ଯାଉଥିଲା । ଜାତି ପଦ୍ମିନୀ–ସେ ପଦ୍ମିନୀ ଜାତୀୟା ସ୍ତ୍ରୀ ଥିବାରୁ ଭ୍ରମରମାନେ ତାର ଅଙ୍ଗ ସୁବାସ ଆଘ୍ରାଣ ପାଇଁ ଚାରିପାଖେ ବେଢ଼ିଥିଲେ ।

୨୭.

ସୁଶ୍ରୋଣୀ–ଉତ୍ତମ ନିତମ୍ବା, ରଣରଣ–ମଦନ, ରଣରଥ–ଯୁଦ୍ଧଯାନ ।

୨୮.

ଲଳିତ ଅଳକାବଳି–ମସୃଣ ଚୂର୍ଣ୍ଣ କୁନ୍ତଳ ନିଚୟ ।

୨୯.

ସର୍ବାଙ୍ଗ ଅଳଙ୍କାର–ସେ ରମଣୀ ଅଳଙ୍କାରକୁ ସୁଦ୍ଧା ଅଳଂକୃତ କରିଅଛି ।

୩୦.

ଶଶୀଶେଖର–ମହାଦେବ ।

୩୧.

କ୍ଷେମେ–ଶୁଭରେ । ଛାୟାପତିସୂତ–ସୂର୍ଯ୍ୟତନୟା ଯମୁନା ।

Image

 

ଅମୃତନିଧି ଚଉତିଶା

 

୧.

କାଳିନ୍ଦୀ–ଯମୁନା, ପ୍ରଫୁଲ୍ଲ–ଫୁଟିଥିବା । କେ ବୋଲଇ ତୋର ମୁଖକୁ କିଏ ଫୁଟିଲା ପଦ୍ମ, କନକ ଓ ଦର୍ପଣ ସହିତ ତୁଳନା କରୁଛି ? ତାର କଣ ଜନ୍ମ କାଳରୁ ଆକ୍ଷି ନାହିଁକି-? ସେ କଣ ତୋର ଚାହାଣୀ ଛଟା ଦେଖିନାହିଁକି ? ତାର ଏ ତୁଳନା କଥା ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ହୁଏ ।

୨.

ଖଳ ଲୋକ–ମନ୍ଦ ପ୍ରକୃତିକ ଲୋକ । ଖଳବୋଲ–ଖରାପ ବଚନ । ଖଞ୍ଜନ୍ତି–ଉପମା ଘଟାନ୍ତି । ପଶ୍ୟ ସଂସ୍କୃତ ଦେଖ । ଖେଦ–ମନୋଦୁଃଖ ।

୩.

ଗୁଣିଲେ–ଚିନ୍ତା କଳେ, ତାହାଙ୍କ–ପଦ୍ମ ସୁବର୍ଣ୍ଣ ଓ ଚନ୍ଦ୍ର ଏମାନଙ୍କର ଅବିଗୁଣ–ଦୁର୍ଗୁଣ ବିଚାରିଲେ । ଗଗନ ନକ୍ଷତ୍ର ପରି–ଆକାଶର ତାରା ପରି ଅଗଣିତ । ଦେଲା ବାଧି–ନାଶ କଲା ।

୪.

ଘର୍ମକର–କର = ସୂର୍ଯ୍ୟଙ୍କ କିରଣ, ଘସ୍ରେ-ଦିନରେ । ଘେନାଘେନି–ସ୍ନେହ ।

୫.

ତର୍ପଣ–ସନ୍ତୋଷ ।

୬.

ପୁଣ୍ଡରୀକ ବାସୁଦେବ–ପୁଣ୍ଡରୀକନାମ ଅସୁର କପଟରେ ବାସୁଦେବଙ୍କ ରୂପ ଧରିଥିଲା ଓ ତନ୍ନିମନ୍ତେ ମରଣ ଦଶା ପ୍ରାପ୍ତ ହୋଇଥିଲା । ଚ୍ୟୁତ ହେଲା–ମଲା । ଲଛି–ଲକ୍ଷ୍ୟ । ଚକ୍ଷୁଆଗେ ତୋ ହରିଣ ଚାହଣୀ କି ଅନୁକରଣ କରିବାକୁ ହରିଣୀଙ୍କ ହୋଇଅଛି ।

୭.

ଛଇଳ–ମୋହନ–ସୁଖ–ଘର–ରସିକଙ୍କୁ ମୋହିବାର ସୁଖଘର ହୋଇଅଛି । ଚନ୍ଦ୍ରକଥା ଡୋରି–ଚନ୍ଦ୍ର କଥା ଦଉଡ଼ି । ଛୀର–କ୍ଷୀର ।

୮.

ଯାହା ଚନ୍ଦ୍ରପକ୍ଷେ ଚନ୍ଦ୍ରର ଯେ କ୍ଷୟ ତାକୁ ଦଣ୍ଡ ବୋଲି କହିବାକୁ ହେବ । ତିଥିଭେଦ–ପୂର୍ଣ୍ଣମୀ । ରାହୁଘାତ–ଗ୍ରହଣଗ୍ରସ୍ତ ହୁଏ । ଜାଣୁମଣି–ବିବେକବତୀ । ଜଳନିଧି ସୁତ ସମୁଦ୍ରରୁ ଜାତ ବୋଲି ଆଣି ବା ଗର୍ବ ବହି ।

୯.

ଝସକେତୁ–ମଦନ । ଝିମନ୍ତେ–ଟିକିଏ । ଝାଡ଼–ବନ ଝଗଡ଼ୁଛି–ଦୁଃଖ ପାଉଛି ।

୧୦.

ନତବ୍ରତ ଦିନ–ବାଳକ ଦିନ ।

୧୧.

ଊର୍ଦ୍ଧ୍ୱରେତା–ୠଷି । ଟେକିଥାନ୍ତି–ପ୍ରଶଂସା କରିଥାନ୍ତି ।

୧୨.

ହେଲେ ସବୁଭାଷୀ–ମନକୁ ଯାହା ଆଇଲା ତାହା କହିଲେ । ଆଣି–ବଳ ।

୧୩.

ଡୋଳେଶ୍ୱରୀ–ନୟନାନନ୍ଦକାରିଣୀ । ଡହେ–ଦହନ କରେ । ଡଙ୍କ ଲାଗିଲେ–ସାପ କାମୁଡ଼ିଲେ ।

୧୪.

ଢମକରି–ଫୁଲାଇକରି, ଢାଳନେତ୍ରୀ–ବକ୍ରନୟନା । ଛତ୍ରୀ–ରଜା, ଢମପଣେ–ଫୁଲାପଣରେ । ଫୁଲପତ୍ର–ଫୁଲଶର । ଢାଳିବାକୁ–ଭାଙ୍ଗିବାକୁ । ମହାମନ୍ତ୍ରୀ–ଦକ୍ଷବ୍ୟକ୍ତି-

୧୫.

ଅଭିସାର ତୋର ତୋର ବୃନ୍ଦାବନ ଗମନ ନୋହି ଥିଲାରୁ । ମହାଦେବଠାରେ–ମହାଦେବଙ୍କ ହାତରେ । ଅଳକିନୀ–ସୁକେଶବତୀ ।

୧୬.

ଘେନାଘେନି–ସପ୍ରେମ ଠଗ୍ ଠରି । କଉଁ ଯୋଗ୍ୟତା ଘେନି–କେଉଁ ପଣ୍ଡିତ ପଣିଆରେ-

 

 

୧୭.

ଥିରା–ପୃଥିବୀ । ଦମ୍ଭହତ ବାନା–ଧୈର୍ଯନାଶନ ପତାକା ଥାଣୁ–ଶିବ । ଛତିବିତ–ବ୍ୟତିବ୍ୟସ୍ତ । ଧାତି–ହୃଦୟ ।

୧୮.

ତୋ ଆକ୍ଷିର ଧଳା, କଳା ଓ ରଙ୍ଗ ଦେଖିଲେ ମନେହୁଏ ତହିଁରେ ଧାତା, ହରି ଓ ହରଙ୍କର ସମନ୍ୱୟ ଘଟିଅଛି । ଧୃତିଧ୍ୱଂସୀ–ଧୈର୍ଯ୍ୟନାଶିନୀ ।

୧୯.

ତୋ ନେତ୍ର ନାଗରୀ ରସବତୀ–ତୋ ଆକ୍ଷି ରସିକିନୀ ରମଣୀ ସାଙ୍ଗେ ତୁଳନୀୟ ।

୨୦.

ପାକଶାସନ–ଇନ୍ଦ୍ର ।

୨୧.

ଫୁରୁଛି–ସ୍ଫୁରିତ ହେଉଅଛି । ସ୍ଫୁଟମୁଖୀ–ପୂର୍ଣ୍ଣ ଯୌବନ ହେତୁରୁ ଯାହାର ମୁଖ ଫୁଟିଲା ପରି ଦିଶୁଥାଏ । ଫୁଲ୍ଲ ଅରବିନ୍ଦେ–ଫୁଟିଲା ପଦ୍ମରେ । ଫୁରୁଣାରେ–ଆନନ୍ଦରେ । ଫୁଲଲିଟ–ଭ୍ରମର । ଲକ୍ଷି–ଲକ୍ଷ୍ୟକରି ।

୨୨.

ପାଇ ଲମ୍ବ ପାଇ–ଶୁକ୍ଲରଙ୍ଗ କାଳିମା ଥାଇ କର୍ଣ୍ଣାନ୍ତ ପର୍ଯ୍ୟନ୍ତ ରଙ୍ଗ ତରଙ୍ଗ ଭାବରୁ ।

୨୩.

ହତମନା–ଅଧୈର୍ଯ୍ୟ । ଅନା–ପ୍ରକାର । ଭାବ ନ ଜଣାଇ ଯେଉଁ ଲୋକ–ଅରସିକ ଲୋକ ।

୨୪.

ମହାଯୋଗୀ–ମହାପବିରେ–ମହାମହା ୠଷିମାନଙ୍କର ଧୈର୍ଯ୍ୟରୂପ ମହାମେରୁକୁ ଟାଳିବାକୁ ଯେ ବଜ୍ର ଅଟେ ।

୨୫.

ଯେମନ୍ତ ମୋ ସଙ୍ଗେ ରାମଥିଲେ–ଟ୍‌ମ ଶୁକ୍ଲବର୍ଣ୍ଣ ଓ ମୁଁ କୃଷ୍ଣବର୍ଣ୍ଣ । ଆମ୍ଭେ ଦୁହେଁ ଜଗତର ଆନନ୍ଦଦାୟକ । କୃଷ୍ଣ ଓ ଧବଳ ଏହି ଦୁଇ ରଙ୍ଗର ମିଶ୍ରଣ ଯୋଗୁଁ ତୋ ନେତ୍ର ମଧ୍ୟ ତଦ୍ରୂପ । ସମ୍ଭବିବା–ଜନ୍ମହେବା

୨୬.

ସ୍ମିତବାଣୀ–ଦରହାସ ମିଶାକ ଥା । ରାଗବନ୍ତ–ଅନୁରାଗୀ

୨୭.

ଲଳିତଲୋକ ମହିମା–ଚକ୍ଷୁର ତରଳ ଚଞ୍ଚଳ ଭଙ୍ଗୀ ।

୨୮.

ବ୍ରଜବଧୂ ଶିରୋମଣି–ଗୋପୀଶ୍ରେଷ୍ଠା ରାଧା । ବେଭାରେ ରସିକ ନାରୀ ଭାବ ଆଣି–ଯେଉଁମାନେ ପ୍ରକୃତ ରସିକ ସେମାନେ ଗୁଣବତୀ ନାରୀର ଅଭିପ୍ରାୟ ବାରି ତାର ପୂଜା କରନ୍ତି । ବଡ଼ କରି–ଭୋଗ ପାଳି–ସ୍ତ୍ରୀ ଓ ଫୁଲମାନଙ୍କୁ ଯେତେ ପାଳିବ ତେତେ ସୁଖଭୋଗ କେଳି ବଢେ ।

୨୯.

ସୁମନା–ସ୍ତ୍ରୀ । ସୁମନ–ପୁଷ୍ପ । ସୁମନସ–ପଣ୍ଡିତ । ଏମାନେ ଯେତେ ଦୋଷ କଲେ ସୁଦ୍ଧା ବିବେକୀ ସୁପୁରୁଷମାନେ ତାହା କ୍ଷମା କରନ୍ତି । ଅବଧାନ ଅନୁଗ୍ରହ ।

୩୦.

ସରସ ସନ୍ଦର୍ଭ ଗର୍ଭ ଭାବେ–ରସପୂର୍ଣ୍ଣ ହୃଦୟରେ । ସଙ୍ଗଭଙ୍ଗ–ବିଚ୍ଛେଦ; ତହିଁରୁ ବଳି ବଡ଼ କ୍ଷତି ଆଉ ନାହିଁ ।

୩୧.

ଶ୍ୟାମ ଶାମା–ରାଧା କୃଷ୍ଣ । ଥକିତ–ଥିର । ପରିହରି–ଛାଡ଼ିକରି ।

୩୨.

ହେଲୁ ତୁ ଆମ୍ଭର ନିବିଡ଼ ଶୃଙ୍ଗାରରସ ବୃଷ୍ଟିକି ପବନ ହୋଇ ନାଶ କଲୁ । କଳି–ପାଞ୍ଚ ଥୋଇଥିଲୁ । ହର ବଇରି ଶର–କନ୍ଦର୍ପ ଶର ।

୩୩.

କ୍ଷଇଳ–ଛଇଳ ବା ରସିକ । ନ କ୍ଷମେ–ମଙ୍ଗଳରେ । କ୍ଷଣଦାକାଳ–ରାତ୍ରିକାଳ । କ୍ଷନ୍ଦି–ଛନ୍ଦି । ଆଭରଣବିଧି ଅଳଙ୍କାର ଧାପନ ।

Image

 

ଅନୁରାଗ ରତ୍ନାକର ଚଉତିଶା

 

୧.

କାଳକ–ସର୍ବଦା ।

୨.

ଥୋକାଏ–କିଛି । କନକ ଗୋରୀ–ସୁନା ଗୋରୀ ।

୩.

ଗଳାଇ ହାର କହନ୍ତି । କିନ୍ତୁ ହାର ପଦଟା ଥିବାରୁ ମନରେ କଷ୍ଟ ହେଉଚି । ଭାବି ଭାବି ବା ଗନ୍ଧତିଳକ କହନ୍ତି । ତିଳକେ–କ୍ଷଣକେ । ତିଳକେ ଅଛି ତିଳକେ ନାହିଁ–ସେଇଲାଗେ ଥାଏ, ସେଇଲାଗେ ଝଡ଼ିପଡ଼େ ।

୪.

ଘେନାଘେନି–ସ୍ନେହ । ଘନସାର–କର୍ପୂର । ଶୁଣାକ୍ଷରକେ ଘୁଣପୋକ କାଠରେ ଅକ୍ଷର କଲାପରି ।

୫.

ଛନ୍ଦେ–କପଟରେ । ଜୀବନ–ଜଳା ଛିନ୍ଦ୍ରଦରଶୀ–(Critic) ଯେଉଁମାନେ ଛିଦ୍ର ଖୋଜନ୍ତି-

୬.

ବାଗ–ଆଚରଣ, କଥା । ତଟିନୀ–ନଦୀ । ତରଣୀ–ନୌକା-

୭.

ହଂସୁଲିତୁଳି–ହଂସଲୋମଶଯ୍ୟା କୋମଳ (ବିଶେଷଣପଦ) ଏଠାରେ ବିଶେଷ୍ୟ ହୋଇଅଛି ।

୮.

ଝସକେତକ–କନ୍ଦର୍ପ । ଝଳିଗଉରୀ–ଝଟକାଙ୍ଗୀ । ବଚନଘେନା–ବୋଲମାନିନୀ ।

୯.

ନିଧନଧନ–ଦୁଃଖୀସଙ୍ଖାଳି କହିବାକୁ ମନ ବଳୁନାହିଁ କାରଣ ଦୁଃଖୀ ତାକୁ ବିକ୍ରୟ କରି ଶରୀର ପୋଷଣ କରେ, କାମଧ୍ୱଜ ବା କହନ୍ତି କିନ୍ତୁ ତାହା ପ୍ରତିକୂଳ ପବନରେ ପଛକୁ ପଡ଼େ ବୋଲି ମନ ବଳୁ ନାହିଁ । କାହିଁକି ନା ତୁ ସବୁବେଳେ ଆଗରେ ଥାଉ, ପଛରେ ରହିବା ଲୋକ ତୁ ନୋହୁ ।

୧୦.

ଟଙ୍କଧର ବଇରି–କାମଦେବ । କାମଦେବଙ୍କ ଟୋପରୁ ତରିବାକୁ ତୋତେ ନିଶୁଣି ବୋଲି ଅବା କହନ୍ତି, କିନ୍ତୁ ନିଶୁଣି କାଠରେ ତିଆରି ହୋଇ ଥିବାରୁ ମନ ବଳୁ ନାହିଁ । ତୋ ଟେକ ଅର୍ଥାତ୍ ଗରିମାକୁ ବର୍ଣ୍ଣନା କଲେ ଟିକିଏ ସୁଦ୍ଧା ସରିବ ନାହିଁ । ହେ ଚାରୁ–ନିତମ୍ବିନି ! ମୁଁ କାହିଁକି, ମହେଶ ସୁଦ୍ଧା ତାହା ଶେଷ କରି ପାରିବେ ନାହିଁ । ଠଣମଧ୍ୟା–ଶୋଭନକଟି । ସୁନ୍ଦର ସୀମା–ସକଳ ଲାବଣ୍ୟର ଚୂଡ଼ାନ୍ତ ।

୧୧.

ମାନସ–ମାନସ ରାଜହଂସୀ–ମାନସ ରୂପକ ମାନସରୋବରର ରାଜହଂସୀ ।

୧୨.

ଢମ କହିବା–ଅତିରଞ୍ଜନ କରିବା । ଛଦ୍ରମ–କପଟ । ପ୍ରେମ ଅନୁରୋଧରେ କପଟ କଥା ଲହରୀ ତୁଲ୍ୟ କ୍ଷଣଭଙ୍ଗୁର ।

୧୩.

ଆରତ ବୋଲି ଅଧୈର୍ଯ୍ୟ ସମୟର କଥା ଓ ଅନଙ୍ଗ ପୀଡା ସମୟର ଚାଟୁ ଏ ଦୁହେଁ ବାରଣ ମାନନ୍ତି ନାହିଁ । ମୁଁ ଯଦି ନିଜକୁ ଭ୍ରମର ଓ ତୋତେ ଫୁଲ କହୁଚି ତେବେ ଉପମାରେ ତ୍ରୁଟି ରହୁଚି । କାହିଁକି ନା ଭ୍ରମର ପଦ୍ମଠାରୁ ଯେ ବଣ ମଲ୍ଲୀ ଯାଏ ସମସ୍ତଙ୍କ ସଙ୍ଗରେ ପ୍ରୀତିକରେ ଓ ସେ ପ୍ରୀତି ଐକାନ୍ତିକ ବା ଚିର ନୁହେଁ ।

୧୪.

ଖମଣ୍ଡଳେ–ଆକାଶରେ । କଇବର–କଇଂ ।

୧୫.

ମଦନଶର ଦୂର ଅଦୂର ଉଭୟ ଅବସ୍ଥାରେ ଶରୀରକୁ ସୁଖ ଓ ଦୁଃଖ ଦିଏ ।

୧୬.

ହେ ରାଧେ ତୋତେ କନ୍ଦର୍ପରୋଗକୁ ଔଷଧ ଲେଖା କରନ୍ତି କିନ୍ତୁ ତହିଁର ପ୍ରଭା ଚନ୍ଦ୍ର କିରଣ ଦ୍ୱାରା ବଢ଼େ । ହୃଦୟର ବୀଣା କହିଲେ ତାହା ମଧ୍ୟ ତୋ କଥା ମାଧୁରୀରୁ ଊଣା ବା ନ୍ୟୂନ ହେଉଛି ।

୧୭.

ତୋତେ ଚନ୍ଦ୍ର ଓ ମୋତେ ଚନ୍ଦ୍ରମଣି ଅବା କହନ୍ତି କିନ୍ତୁ ଚନ୍ଦ୍ର କେବଳ ରାତ୍ରିରେ ଚନ୍ଦ୍ରମଣିକୁ ତରଳାଏ । ତୁ ପରା ମୋତେ ଦିନ ରାତି ତରଳାଉ !

୧୮.

ପୀବରସ୍ତନା–ବର୍ତ୍ତୁଳଉରାଜା

୧୯.

ଫୁଲ ସମୟ–ବସନ୍ତ । ପୟୋଦକାଳ–ବର୍ଷ ସ୍ଫୁଟରହିତ–ଅସ୍ପଷ୍ଟା ଅବିଳମ୍ବିତ–ଶୀଘ୍ର ।

୨୦.

ତୋତେ ବୀଣାବଚନୀ କହିଲେ ବିବେକହୀନତାର ପରିଚୟ ଦେବାକୁ ହେବ । କାରଣ ପ୍ରକୃତ ରାଗ ନ ହେଲେ ବୀଣାରୁ ସାରି ଗାମା ପାଧା ନିସା ଜାତ ହୁଏ ନାହିଁ । ବର୍ଣ୍ଣ ଉଚ୍ଚାରଣ କରି ହୃଦୟରେ ପ୍ରେମସଞ୍ଚାର କରିବା ତାର ସାଧ୍ୟାତୀତ ।

୨୧.

ମହା ଆରମ୍ଭ–ମହାଟାଣ ।

୨୨.

ଜୀବନ ଥିବାଯାକେ ସେମାନଙ୍କର ମନ ଧ୍ୟାନ ଆଡ଼କୁ ଯିବ ନାହିଁ ।

୨୩.

ରୋଲମ୍ବ–ଭ୍ରମର । ପତଙ୍ଗ–ପକ୍ଷୀ । ପତଙ୍ଗ–ସୂର୍ଯ୍ୟ । ରଙ୍ଗଭଙ୍ଗ–ରଙ୍ଗବର୍ଣ୍ଣନାଶ । ପଦ୍ମରାଗ–ରକ୍ତବର୍ଣ୍ଣ ମଣିବିଶେଷ ।

୨୪.

ଲୋକପାଳକ–ବ୍ରହ୍ମା ।

୨୫.

ସହସ୍ରକର–ସୂର୍ଯ୍ୟ । ଅମରଗିରି–ଅମରଗିରି–ମେରୁପର୍ବତ । ମୃଗରାଜ ସିଂହ ।

୨୬.

ହରିଦିଗରେ–ପୂର୍ବଦିଗରେ । ହଂସ–ସୂର୍ଯ୍ୟ । କ୍ଷକ୍ଷଦ–ଛଚ୍ଛନ୍ଦ–ସ୍ୱଚ୍ଛନ୍ଦ । କ୍ଷାର–ଛାର ।

Image

 

ଦୃଷ୍ଟାନ୍ତ ଚଉତିଶା

 

୧.

କମଳନୟନ–କୃଷ୍ଣ । ଗୁଆଁର–ପାମର ଶବ୍ଦକ । ପାଷଣ୍ଡ ମୂର୍ଖକୁ କବିତା ବୁଝାଇବା ଯେପରି ଅସମ୍ଭବ ପ୍ରଭୁ କୋପ କଲେ ଉପାୟ ବିଧାନ କରିବା ସେପରି ଅସମ୍ଭବ ।

୨.

ପ୍ରତିପଦାରେ ପାଠ ପଢିଲେ ବିଦ୍ୟା ନାଶ ଯାଏ ।

୩.

ଗିରିନଦୀ ଅଳ୍ପକେ ବଢ଼ି ଛାଡ଼ିଯାଏ । ରାଧାର ସ୍ନେହ ସେରିପରି ହେଲା ।

୪.

ଘନ ବିଜୁଳିଙ୍କ ସ୍ନେହ ଅତି ଅଳ୍ପକାଳସ୍ଥାୟୀ । ମେଘର ଛାଇ ମଧ୍ୟ ଅତି ଅଳ୍ପକାଳ ସ୍ଥାୟୀ ।

୫.

ଇଚ୍ଛୁ–ଆଖୁ ।

୬.

ଚାମୀକର–ସୁନା । ଚନ୍ଦ୍ରଅବତଂସ ନନ୍ଦନ ଜନମ ତିଥି ମୋତେ କଲା–ଗଣେଶ ଚତୁର୍ଥୀରେ ଚନ୍ଦ୍ରର ମୁହଁ ଚାହାନ୍ତି ନାହିଁ । ସେହିଭଳି ମତେ ନ ଚାହିଁ ଚାଲିଗଲା ।

୭.

ବକା କୁସୁମ–ଗଇସ । ମତେ ଗଇସ ଫୁଲ ପରି କଲା ଅର୍ଥାତ୍‌ ଛୋଟ ଗଇସ ଫୁଲ ଛିଡ଼ି ଗଲେ କୁଆଡ଼ିକି ପାଏ ନାହିଁ ।

୯.

ଭଣ୍ଡାର ନିକଟରେ ଥିଲେ ସୁଦ୍ଧା ଥିଲେ ଦରିଦ୍ର ଲୋକର ଦରିଦ୍ରତା ଦୂର ହୁଏ ନାହିଁ । ଚିନ୍ତାମଣି-ଚିନ୍ତାଗ୍ରସ୍ତ ।

୧୦.

ନିଶ୍ଚେ ଜାଣିଲି ଭାବବତୀର ଭାବ କୁସୁମ ଗଭା ପରି ମଉଳି ଗଲା । ନାଶଇକ.ସୁଖର ଦିନ ବହୁଗୁଣିତ ହେଲେ ମଧ୍ୟ ପୂର୍ବ ଭୁକ୍ତ ସନ୍ତାପର ସ୍ମୃତି ଲିଭାଇ ପାରେ ନାହିଁ ।

୧୧.

ମନସିଜ–କନ୍ଦର୍ପ । ହରମାଳିକା–ରୁନ୍ଦ୍ରାକ୍ଷ ମାଳୀ । ଟଙ୍କଧର ରିପୁ-ମଦନ । ବଳିଷ୍ଠ ସିଂହ ମୁଖରେ ମୃଗ ପଡ଼ିଲେ ସେ ଯେପରି ନିରୁପାୟ ହୁଏ ମୁଁ ସେହିପରି ହୋଇଅଛି ।

୧୨.

ରଙ୍ଗ–ସୁବର୍ଣ୍ଣ । ଠାକୁର ହୋଇ ସୁନା ଯଦି ଠାକୁର ମୂର୍ତ୍ତି ହୋଇ ରହେ ତେବେ ସସମ୍ତେ ତାର ବହୁମୂଲ୍ୟତା ସ୍ୱୀକାର କରନ୍ତି, କିନ୍ତୁ ଦରିଦ୍ର ଲୋକ ହାତରେ ସେହି ସୁନା ରହିଲେ ତାହା ରଜତ କି ରୂପା ବୋଲାଏ ।

୧୩.

ଡରୁଥାଇ ତାର–ପାନରାଣୀ ତାର ପାନ ଶୁଖିଯିବବୋଲି ଯେପରି ଡରୁଥାଏ ତାହା ମୁହଁ ଶୁଖି ଯିବାକୁ ମୁଁ ସେପରି ଡରୁଥାଏ ।

୧୪.

ଫେର ଧରି କରି-ଫଣା ଟେକି ।

୧୫.

ଅବନୀବତୀର–ଲତିକା କାଚ ବାଡ଼ରେ ନ ମାଡ଼ି ପାରିବାରୁ ଖସି ପଡ଼େ ସେଥିଯୋଗୁ ତାର ସ୍ନେହ କାଚବାଡ଼ରୁ ଊଣା ହୁଏ ।

୧୬.

ତପନୀୟ–ସୁବର୍ଣ୍ଣ । ଅଙ୍ଗହାର–ଅଙ୍ଗର ଭୂଷଣ । ହାର–ଗଳାମାଳୀ ।

୧୭.

ଘନଲତା–ବିଜୁଳି । ବନଜ–ପଦ୍ମ । ଥିରେମଣ୍ଡନୀ–ଧରା ମଣ୍ଡନା ।

୧୮.

ଦ୍ୱିରଦ ଗମନୀ–ଗଜଗମନା । ରାଧା ଦୟା କରିବ କି ନ କରିବ ଏକଥା ଜାଣି ନ ଥିବାରୁ ଅନିର୍ଦ୍ଦିଷ୍ଟଭାଗ୍ୟ ଦ୍ୱାରସ୍ଥିତ ଭିକାରୀ ପରି ମୁଁ ସନ୍ଦେହରେ ପଡ଼ିଚି । ଦୂରୁ ଦେଖିଲେ–ଦୂରରୁ ଦେଖିଲେ ସେ ମନୁଷ୍ୟମାନଙ୍କୁ ଦେବତାମାନଙ୍କ ଚାହିଁବା ଅର୍ଥାତ୍‌ ନିର୍ନିମେଷ ଦୃଷ୍ଟି ଦିଏ ।

୧୯.

ଧ୍ୱଂସି ଦେଲେ ଯେପରି ବ୍ୟାଧିଗ୍ରସ୍ତ ଲୋକର କାତର ବାଣୀ ବୈଦ୍ୟ କଣ୍ଠରୁ ବାହାରିବା ଅସମ୍ଭବ ସେହିପରି ମୋ ଦୁଃଖ ତା ହୃଦୟରେ ପ୍ରତିବିମ୍ୱିତ ହେବା ଅସମ୍ଭବ ।

୨୦.

ଅନ୍ତପଟ ଅନ୍ତ–ଲୁଗାବାଡ଼ ପଛ ଆଡ଼େ ଥିବା । ଉଚ୍ଛାହା-ଉତ୍କଣ୍ଠିତ ।

୨୧.

ପଶୁପତି-ରିପୁ-ସନ୍ତାପ-ଅନଳେ–କାମାନଳେ । ପଙ୍କଜକର–ସୂର୍ଯ୍ୟ ।

୨୨.

ଫଳ ଥାଉ ଫଳ ଥାଉ ଫୁଲ ବିଶିଖ ପତି ଯେ କନ୍ଦର୍ପ ସେ ମୂଳକୁ ଭୋଗ କଲା । ଶିଳୀମୁଖ-ଭ୍ରମର ।

୨୩.

ବାଳିଶ୍ମ-ମୂର୍ଖ । ବାତ–ପବନ ।

୨୪.

ଭବରିପୁ–କନ୍ଦର୍ପ ।

୨୫.

ମଦିର-ମତ୍ତ ଖଞ୍ଜନ । ଘେନାଘେନି ଭାବ-ସ୍ନେହଭାବ ମରାଳକେତନ ମାନସ ବ୍ରହ୍ମାଙ୍କ ମନ ଯେପରି ସମସ୍ତଙ୍କ ପ୍ରତି ପୃଥକ୍‌ ପୃଥକ୍‌ ସେହିପରି ଆମ୍ଭ ଦୁହିଁଙ୍କୁ କରିଛି ।

୨୬.

ଜାଣୁମଣି ମୋତେ ଗୁରୁ ଯେ ବୃହସ୍ପତି ବାମ ହେଲେ । ବାମଦେବ ଯେ ମହାଦେବ ହୋଇଅଛନ୍ତି । ଲଘୁ–ନୀଚ ଲୋକ । ଲଘୁ କରାଇଲା –ଛୋଟ କରାଇଲା । ଶାଳିକା ଫୁଲ-ଶାଆଳିଫୁଲ, କଳମାଦି ଧାନ୍ୟପୁଷ୍ପ । ଏହା ଅତି କୋମଳ । ଜାଣିଥିଲି ତାର ମୁଁ ଜାଣିଥିଲି ରାଧାର ହୃଦୟ ଶାଳିକା ଫୁଲ ପରି କୋମଳ କିନ୍ତୁ ବର୍ତ୍ତମାନ ତାହା ସ୍ଫଟିକ ପଥର ସାଙ୍ଗେ ତୁଳନୀୟ ହେଲା । ଅର୍ଥାତ୍‌ ରାଧାର ହୃଦୟ ମୋ ପ୍ରତି ପାଷାଣ କଠିନ ହେଲା ।

୨୭.

ରଙ୍ଗେ-ବିଳାସରେ । ରାଗ–କ୍ରୋଧ । ରଥାଙ୍ଗ ରଜନୀ ଦଶା-ଚକ୍ରବାକମାନଙ୍କର ରଜନୀରେ ବିଚ୍ଛେଦ ହୁଏ । ମୋତେ ଏବେ ସେହି ଦଶା ପଡ଼ିଲା ।

୨୯.

ଲୋକନାଥ–ବିଧାତା । ଲେଶେ ତାର ମୋର ରାଧାର ମୋର ପଲକ ମାତ୍ରକ ପାଇଁ ସୁଦ୍ଧା ଅନ୍ତର ନ ଥିଲା । ବର୍ତ୍ତମାନ ସେ ସୁଖ ଆକାଶ କୁସୁମ ପରି ହୋଇଅଛି । ଅର୍ଥାତ୍‌ ଆକାଶରେ ଫୁଲ ଫୁଟିବା ଯେପରି ସମ୍ପୂର୍ଣ୍ଣ ଅସମ୍ଭବ ରାଧା ସହିତ ମୋର ମିଳନ ସେପରି ଅସମ୍ଭବ । ଲୋଚନ–ଶ୍ରବଣ–ମଣ୍ଡନ–ସର୍ପ ମଣ୍ଡିତ ମହାଦେବ । ଲମ୍ୱ ଉଦର–ଗଣେଶ ।

୩୦.

ଇନ୍ଦ୍ର ପଦବୀ–ଇନ୍ଦ୍ର ସମ୍ପତ୍ତି ।

୩୧.

ଶଶୀମୁଖୀ-ଚନ୍ଦ୍ରମୁଖୀ । ପୟ–କ୍ଷୀର । ସରୂପ ସର୍ପକୁ–କରତ ପ୍ରାୟେ ଦେହବନ୍ତ ସାପକୁ କ୍ଷୀର ଦେଲେ ସେ ପ୍ରତ୍ୟକ୍ଷରେ ଗରଳ ବାନ୍ତି କରେ । ସେହିପରି କନ୍ଦର୍ପକୁ ଜୟ ଦେଇଅଛି । ଶଙ୍ଖାରି କରତ ସରି ହୋଇ କି ସମାନ ହୋଇ ଦୁଇଆଡ଼ୁ କାଟେ। ସେହିପରି ଏଣୁ କନ୍ଦର୍ପ କାଟୁଛି, ତେଣୁ ରାଧା କାଟୁଛି । ମୁଁ ମଧ୍ୟରେ ରହି ବିରହ ବ୍ୟାକୁଳତା ଅନୁଭବ କରୁଅଛି ।

୩୨.

ଅଦାଳୁତା–ନିର୍ଦ୍ଦୟତା । ଶମ୍ଭୁ–ଶିବ ।

୩୩.

ପୁଷ୍ପ ସମାନ ହୋଇବ–ପ୍ରସ୍ଫୁଟିତ ହୋଇବ । ପ୍ରକାଶିବ ଆନ–ଅନ୍ୟ କଥା କହିବ । ସନ୍ଦେଶ–ଖବର ।

୩୪.

ହରିଣନୟନୀ–ମୃଗନେତ୍ରୀ । ପୟଃପେଟୀ-ନଡ଼ିଆ । ଘନରସ-ମିଠାପାଣି, ଶୃଙ୍ଗାର ରସ-। ସହର୍ଷ–ଆନନ୍ଦ ।

୩୫.

କ୍ଷମେ-ମଙ୍ଗଳରେ । କ୍ଷୋଭ–ଚାଞ୍ଚଲ୍ୟ । ଗୋତ୍ର ଆକୃତି ଦଶାକୁ ବହି ନାମମାତ୍ର ଶରୀର ଧରି, ପିଞ୍ଜରାରେ ଥିବା ପକ୍ଷୀ ଦଶାକୁ ବହି ।

Image

 

ରାଧିକା ସ୍ମରଣ ଚଉତିଶା

 

୧.

କମଳ ନୟନ–କୃଷ୍ଣ । କଂସ କଟକ-କଂସ ନଗର । କଳକଣ୍ଠକଣ୍ଠୀ-ପିକଭାଷିନୀ । ନକ୍ଷତ୍ର କଣ୍ଠୀ–ଅମୂଲ୍ୟ ରତ୍ନମାଳା ।

୨.

ଖଳ–ଦୃଷ୍ଟ ।

୬.

ଚନ୍ଦ୍ର କିରଣରେ ଚନ୍ଦ୍ର କାନ୍ତମଣି ଆର୍ଦ୍ର ହୋଇଥାଏ । ଚଣ୍ଡକର ଅର୍ଥାତ୍‌ ସୂର୍ଯ୍ୟଙ୍କ କିରଣରେ ଚଣ୍ଡମଣି କି ସୂର୍ଯ୍ୟ କାନ୍ତମଣି ଶୁଖିଯାଏ ।

୮.

ଗଣିତା–ଗଣନ । ଜମ୍ୱୁନଦ ଗୋରୀ–ସୁନା ଗୋରୀ ।

୯.

କୁରରୀ–କ୍ରନ୍ଦନପରି ପକ୍ଷୀବିଶେଷ । ଝାମ ଯାଉଥିବ-ଝାଇଁ ମାରୁଥିବ । ଝସକେତୁ ଶରେ-କନ୍ଦର୍ପ ଶରରେ । ଝଲକ ବଦନୀ–ସମୁଜ୍ଜ୍ୱଳ ମୁଖୀ, ସୁନ୍ଦର ମୁଖୀ । ଝଳି ଯାଉଥିବ–ଓଦା ହୋଇ ଯାଉଥିବ ।

୧୦.

ଦୂଷଣ–ନିନ୍ଦା । ନେତ୍ରନୀରେ ଚକ୍ଷୁର ଲୋତକରେ ଭାସିଯିବା ଭୟରେ ତାକୁ ନିଦ୍ରା ଆସିବ ନାହିଁ ।

୧୧.

ଅନଙ୍ଗ–କନ୍ଦର୍ପ । ଟଳଟଳ-ଥରଥର । ଟେକଲାବଣ୍ୟ–ବିଶେଷ ସୌନ୍ଦର୍ଯ୍ୟ । କୁଚ କଳଶେ-ସ୍ତନେ କୁମ୍ଭରେ । ଅଙ୍କରେ–କୋଳରେ । ଟଙ୍କଧର–ମହାଦେବ । ଟେକ ସ୍ୱର ହୋଇ–ବଡ଼ ପାଟି କରି ।

୧୨.

ଅପାରୁଅପାର–ଅସୀମରୁ ଅସୀମ । ଠାଠିକ କରି-ଅତି ଠିକଣା କରି ।

୧୪.

ଗଣ୍ଡପାଳୀ–ଗଣ୍ଡସ୍ଥଳ । ପ୍ରସଙ୍ଗ-ବିଷୟ । ସୁରଙ୍ଗ–କୁରଙ୍ଗ–ନୟନ–ତରଙ୍ଗ–ମୃଗ ନୟନାର ସୁନ୍ଦର ଚଞ୍ଚଳ ଚାହାଣୀ । ଉପ୍ରୋଧ–ଅନୁରୋଧ ।

୧୫.

ମଧୁର ରଜନୀ–ବସନ୍ତ ସମୟର ରାତି ।

୧୬.

ତାପତଟିନୀ ତଟ ବରଷା ପ୍ରଖର–ମୋର ହୃଦୟ ସନ୍ତାପ ରୂପକ ନଦୀକୂଳସ୍ଥିତ ବୃକ୍ଷ ପରି ହୋଇଅଛି । ତା ଉପରେ କାମଦେବ ପ୍ରବଳ ଶର ବୃଷ୍ଟି କରୁଅଛି ଅର୍ଥାତ୍‌ ମୋହର ହୃଦୟ କନ୍ଦର୍ପ ବେଦନା ଦ୍ୱାରା ବ୍ୟଥିତ ।

୧୭.

ପ୍ରସନ୍ନ (ବିଶେଷଣ ପଦ) ବିଶେଷ୍ୟ ରୂପେ ବ୍ୟବହୃତ ।

୧୮.

ବନ୍ଧୁକ ଅଧର-ବଧୂଲୀ ଫୁଲ ପରି ରକ୍ତବର୍ଣ୍ଣ ଓଷ୍ଠ । ଦରହାସ-ମନ୍ଦହାସ । ଦଇବେ-ଦୈବବଶତଃ । ନିଶ୍ୱାସ-ବିରହ ଜନିତ ନିଶ୍ୱାସ । ସୁରଙ୍ଗ ବେଭାର-ଓଷ୍ଠ ରକ୍ତିମା । ଝଳି-ଶୋଭା । ମୁକୁତାମାଳି-ମୁକ୍ତାହାର ।

୧୯.

ପ୍ରମାଦ ପ୍ରୀତିକି–ବିପଦ ଜାତ କରୁଥିବା ପ୍ରୀତି । ଧ୍ରୁବ–ନିଶ୍ଚିତ । ଧ୍ରୁବଲୋକେ–ଧ୍ରୁବ ମଣ୍ଡଳରେ । ହଟ–ହଇରାଣ, କପଟ ।

୨୧.

ବରଷାପାଷାଣ କଳାପ–ବର୍ଷାରେ ପଡ଼ୁଥିବା ପଥର ସମୂହ । ପୀତ ବସନୀ–ହଳଦିଆ ପାଟ ପିନ୍ଧିଥିବା । ପୁଷ୍ପ କାଳ-ବସନ୍ତ ୠତୁ । ପଲ୍ଲବ-ଦର୍ଶନ–ବସନୀ–କୋମଳ ପତ୍ରାଧରା, କିଶଳୟାଧରା ।

୨୨.

ଫୁରୁଣାରେ–ଆନନ୍ଦରେ ଫୁଲ୍ଲ–ବିକସିତ ।

୨୩.

ବିରଞ୍ଚି–ବ୍ରହ୍ମା ।

୨୪.

ଭୂପତି–ରାଜା । ଭାବଗ୍ରାହୀ-ଭଗବାନ୍‌ । ଭାବେ–ସ୍ନେହରେ । କମଳା–ଲକ୍ଷ୍ମୀ ।

୨୫.

ଘନ କାଳରେ–ବର୍ଷା କାଳରେ । ମରାଳ ଗମନୀ–ହଂସ ଗମନା । ଆତଙ୍କ–ଦୁଃଖ ।

୨୭.

ଉତ୍ପଳ–ପଦ୍ମ ।

୨୮.

ଲଳିତ ଲପନୀ-ସୁନ୍ଦର ବଦନା । କ୍ଷମା–ଜଳନିଧି-କ୍ଷମାସାଗର । ସୁମନା–ଉତ୍ତମ ମନା-

୨୯.

ମଦନ କଦନ-ମଦନ କଷଣ ।

୩୦.

ବସୁମତୀ(ସର୍ବଂସହା)–ପୃଥିବୀ । ଶୀର୍ଣ୍ଣ-କ୍ଷୀଣ । ଶିବ ଶିବ–ଶିବ–ବାରମ୍ୱାର ସମ୍ୱୋଧନ ହେତୁରୁ ଲିଖିତ ।

୩୧.

ଶକଳ–ଚନ୍ଦ୍ରମା ଅର୍ଥାତ୍‌ ଚନ୍ଦ୍ରମା–ଶକଳ ଶଶୀ ଖଣ୍ଡ । ସକଳ ଚନ୍ଦ୍ରମୁଖୀ-ପୂର୍ଣ୍ଣଚନ୍ଦ୍ରମୁଖୀ । ଦଶା–ଅଭିଳାଷ, ଚିନ୍ତା, ସ୍ମୃତି ପ୍ରଭୃତି କାମଜ ଦଶା । ନବମ ଦଶା–ମୂର୍ଚ୍ଛା । ମନୋଭବ–କନ୍ଦର୍ପ । ଶଙ୍ଖ ଚକ୍ରପାଣି–ଶଙ୍ଖ ଚକ୍ର ହସ୍ତ ଭଗବାନ୍‌ ।

୩୨.

ସଜଳ ନୟନା–ସଲୋତକ ନୟନା । ସୁମନ-ଉତ୍ତମ ମନ ଯାହାର । ସୁମନସ ଶର-ଫୁଲ ଶର କନ୍ଦର୍ପ ।

୩୩.

ସାରସ–ପଦ୍ମ ।

୩୪.

କ୍ଷପାକର ମୁଖୀ–ଚନ୍ଦ୍ରମୁଖୀ । କ୍ଷୋଭ–ଦୁଃଖ । କ୍ଷେମେ-ମଙ୍ଗଳରେ ।

Image

 

ଉଦ୍ଧବ ଚଉତିଶା

 

୧.

କୁସୁମ ଶରେ-କନ୍ଦର୍ପ ବାଣରେ । ତାପୀ–ଦୁଃଖୀ, ସନ୍ତପ୍ତ । ଶଫଳ ନନ୍ଦନ-ଅକ୍ରୂର । ବିଫଳକୁ ନେଲା ଆମ୍ଭଙ୍କୁ–ଅର୍ଥାତ୍‌ କୃଷ୍ଣଙ୍କୁ ଗୋପ ପୁରରୁ କଂସ ନଗର ମଥୁରାକୁ ନେଇ ଆମ୍ଭ ଜୀବନ ବିଅର୍ଥ କଲା ।

୨.

ସ୍ନିଗିଧ-ଲହୁଣୀ । ଦାରୁହସ୍ତ ପରାୟେ ପରବଶେ ଭ୍ରମି ମରଇ–ଯେପରି ବାଣକାର ପର ସକାଶେ ଶ୍ରମ କରି ବୁଲେ । ଖାଇବା ପିଇବା ପରାକୁ ନାଶନ୍ତି-ସାପର ଦଂଶନ ଦ୍ୱାରା ପେଟ ପୂରୁ ନ ଥିଲେ ସୁଦ୍ଧା ସେ ଦଂଶନ କରେ । ସେହିପରି ଅକ୍ରୁରର କିଛି ସ୍ୱାର୍ଥ ନ ଥାଇ ସେ କୃଷ୍ଣଙ୍କୁ ନେଇଗଲା ।

୩.

ମର୍କତ କଣ୍ଠିମାଳୀ–ବେକର କଳା ରତ୍ନ କଣ୍ଠିମାଳୀ । ଗଣ୍ଠିଆ–କୃପଣ । ଗୁଆଁର–ମୂର୍ଖ, ନିର୍ବୋଧ । ଗାଈ ବାରଣ ବାଡ଼–ଗାଈମାନଙ୍କୁ ବାରଣ କରିବା ନିମନ୍ତେ ବନ୍ଧା ହୋଇଥିବା ବାଡ଼ ।

୪.

ଗୋପପୁର ଅବତଂସ–ଗୋପପୁରର ଶିରୋଭୃଷଣ ସ୍ୱରୂପ ଶ୍ରୀକୃଷ୍ଣ । ହଂସ–ସୂର୍ଯ୍ୟ ।

୫.

କାହାଭାବେ–କେଉଁ ସ୍ତ୍ରୀର ପ୍ରୀତିରେ । ନୀତିବନ୍ତ–ନୀତି ନିପୁଣ ।

୬.

ଚନ୍ଦ୍ରଚୂଡ଼–ମହାଦେବ । ଚତୁର ପଣ ମହିମାକୁ–ଚନ୍ଦ୍ରଚୂଡ଼ ଅନୁଭବ କରିଥିଲେ ପଚାରନ୍ତ ବ୍ରହ୍ମାଙ୍କୁ-ଶିବ ବାଣାସୁରର ପକ୍ଷପାତୀ ହୋଇ କୃଷ୍ଣଙ୍କ ସଙ୍ଗେ ଯୁଦ୍ଧ କରି ପରାସ୍ତ ହେଲେ ଏଣୁ ସେ କୃଷ୍ଣଙ୍କ ଚତୁରପଣ ମହିମାକୁ ଜାଣିଥିଲେ । କୃଷ୍ଣଙ୍କ ଚତୁର ପଣିଆ ବ୍ରହ୍ମା ବତ୍ସା ହରଣରେ ଜାଣିଥିଲେ ।

୭.

ଆଭୀରୀ-ଗଉଡୁଣୀ । ବନଚାରୀ–ବନବୁଲୀ । ଝାସବାସୀ–ବନବାସୀ ।

୧୧.

ଟେକ ତୃଷାର୍ତ୍ତ-ବଡ଼ ତୃଷାର୍ତ୍ତ । ଗ୍ରହପାଇଁ-ଆଗ୍ରହପାଇଁ ।

୧୪.

ଢାଳେ–ଥରେ

୧୫.

ଅଦୃଷ୍ଟ–ଭାଗ୍ୟ ।

୧୭.

ସ୍ୱାତୀଜଳ–ସ୍ୱାତୀ ନକ୍ଷତ୍ରରେ ବହୁତ ବର୍ଷା ହୁଏ । ଥାଣୁ–ଶିର । ସେହ୍ନା–କବଚ ।

୨୨.

ଫୁଲ୍ଲାରବିନ୍ଦ ବଦନ–ପ୍ରସ୍ଫୁଟିତ ପଦମୁଖ କୃଷ୍ଣଚନ୍ଦ୍ର ।

୨୫.

ପୋତ-ଜାହାଜ ।

Image

 

ଗୋପୀ ସନ୍ଦେଶ ଚଉତିଶା

 

୧.

କୈତବ କୃପାସିନ୍ଧୁ ନାମ-କପଟ କୃପାସିନ୍ଧୁ ନାମ। ଖମଣ୍ଡଳୁ-ଆକାଶରୁ । ଖଚର–ଗଗନ-। ଦାନିନୀ ।

୪.

ଘୃଣାକ୍ଷରେ-ଘୃଣା ପୋକ କରିଥିବା ଅକ୍ଷର ପରି ।

୫.

କଟାକ୍ଷ ଚାହାଣୀ ।

୬.

ଚଉବର୍ଗ–ଧର୍ମ, ଅର୍ଥ, କାମ ଓ ମୋକ୍ଷ ।

୧୧.

କଇରବ–କଇଁ ।

୧୮.

ଦଶ ଚତୁର ଲୋକ–ଚଉଦ ଭୁବନ ।

୧୯.

ଧରାଧର–ପର୍ବତ (ବିନ୍ଧ୍ୟ) ।

୨୫.

ମହେଶ–ମହାଦେବ । ବସୁନ୍ଧରା–ଧରଣୀ ।

୨୯.

ଛୀର–କ୍ଷୀର ।

୩୩.

ହଟକର–ଭଣ୍ଡିବା ଲୋକର ହଟହାଟକ–କପଟସୁବର୍ଣ୍ଣ

Image

 

ବଉଳ ଚଉତିଶା

 

୨.

ତୋରା କରି–ସୁନ୍ଦର କରି, ଝଟକ କରି । ଖରେ–ଚଞ୍ଚଳ ।

୩.

ଗଞ୍ଜଇ–ହଟାଇ ଦିଏ ।

୪.

ଘଟିଥାଇ–ଘଟଣ ଦିଶୁଥାଏ ।

୫.

ଭ୍ରସଳ–ଭ୍ରମର ।

୧୩.

ଡକା–ଅତ୍ୟାଚାର । ଡିଙ୍ଗର–ଖଳ ।

୧୭.

ଥେଣ୍ଟ–କ୍ରୂରକର୍ମ୍ମା, ଦାରୁଣ ।

୨୨.

ଫୁରୁଣା–ଆନନ୍ଦ ।

Image

 

ବାନ୍ଧବୀ ଚଉତିଶା

 

୫.

ବାହୁବଲ୍ଲରୀ–ବାହୁଲତା ।

୬.

ମନୁ–ଯୁଗ ।

୯.

ଆହା–କରନ୍ତା–ସହାନୁଭୂତି ଦେଖାଇବା ଲୋକ ।

୧୨.

ଶଲ୍ଲକୀ–ଝିଙ୍କ ।

୧୪.

ସବ୍ୟସାଚୀ ସାଧନା–ବାମହାତରେ ଅର୍ଜୁନଙ୍କ ପରି ଶରମାରିବାରୂପ ସାଧନା

୧୫.

ସେ ଦେହରେ ଶବଙ୍କ ପ୍ରେଷିତ ଅନଳର ଜାଳା ଅନୁଭବ କରିଥିଲା ।

୧୮.

ଦ୍ୱିଜରାଜମୁଖ–ଚନ୍ଦ୍ରବଦନୀ ।

୨୮.

ବେପଥୁ–କମ୍ପ, ସ୍ତମ୍ଭ–ମୋହାବସ୍ଥା, ବିସ୍ୱର–ସ୍ୱରଭଙ୍ଗ, ସ୍ୱେଦପ୍ରଳୟ–ଝାଳର ସମୁଦ୍ର ।

୩୪.

କ୍ଷପାକର ବଦନୀ–ଚନ୍ଦ୍ରମୁଖୀ ।

Image

 

ନବଘନ ଚଉତିଶା

 

୨.

କ୍ଷଣକାନ୍ତି–ବିଜୁଳି ।

୩.

ତୁମ୍ଭେ ହସ୍ତୀ ପରି ହୋଇଅଛ । ତୁମ୍ଭର ଗର୍ଜ୍ଜନ ହସ୍ତୀର ବୃଂହିତ (ଗର୍ଜନ) ପରି । ତୁମ୍ଭର ଜଳଧାର ଦାନ ଅର୍ଥାତ୍‌ ହସ୍ତୀର ମଦ ବାରିଧାରା ପରି ଆଉ ଯେଉଁ ବକମାନେ ଧାଡ଼ି ଧାଡ଼ି ହୋଇ ଆକାଶରେ ଉଡ଼ୁଅଛନ୍ତି ସେମାନେ ତୁମ୍ଭଠାରେ ହସ୍ତୀର ଦନ୍ତବତ୍‌ ଦେଖାଯାଉଅଛନ୍ତି।

୪.

ଘନବଲ୍ଲୀ–ବିଜୁଳୀ ।

୫.

ନାଗ–ମେଘ । ନାଗ-ଶାପ । ବିଷ–ଗରଳ, ବିଷ–ଜଳ ନିର୍ଣ୍ଣୟେ–ନିଶ୍ଚିତ । ଜାଙ୍ଗଳିକ–କେଳା ।

୬.

ପୁଷ୍ପବନ୍ତ–ଚନ୍ଦ୍ର ।

୮.

ଏ ପଦରେ ଓ ୯ ପଦରେ ଶ୍ରୀକୃଷ୍ଣ ତାଙ୍କୁ ଓ ରାଧାଙ୍କୁ ବର୍ଷାକାଳ ସହିତ ଉପନିତ କରୁଅଛନ୍ତି ।

୯.

ଦାତ୍ୟୂହ–ଡାହୁକ ।

୧୦.

ବିରହ ସମୟରେ ଚନ୍ଦ୍ର ଚନ୍ଦନ ପ୍ରଭୃତି ଅତୀବ ସୁଖ ଦାୟକ ପଦାର୍ଥ ଦୁଃଖ ଦାୟକ ହୁଅନ୍ତି ।

୧୧.

ଟେକ–ଅତୀବ ।

୧୨.

କେକୀ କଳାପ–ମୟୂର ଚୂଳ । ଠାବ–ଜଣା ।

୧୪.

ଢାଳନେତ୍ର–କଟାକ୍ଷବତୀ ।

୧୫.

ପୟୋଧର–ମେଘ, ଚିକୁରମାଳା–ପ୍ରଳମ୍ୱ କେଶ । ସୀର-ଲଙ୍ଗଳା ୧୫ ଓ ୧୬ ପଦରେ ରାଧା ବର୍ଷାକାଳ ସହିତ ଉପମିତ ହୋଇଅଛନ୍ତି ।

୧୬.

ବିରହ ବ୍ୟାଧି ଶିବବଇରି–ବିରହରୂପ ମୟୂର ।

୨୬.

ଜୀବନମୁଞ୍ଚ–ଜଳଦ, ଯେ ଜୀବନକୁ ଛାଡ଼ନ୍ତି ଅର୍ଥାତ୍‌ ପୃଥିବୀ ଉପରେ ଢାଳନ୍ତି । ବାମତା-ବିପକ୍ଷ ।

୨୭.

ରାଜୀବସୁତ–ପଦ୍ମଯୋନି-ବିଧାତା । ରୋଲମ୍ୱ–ଭ୍ରମର ।

୩୧.

ଶିତିକଣ୍ଠ–ମୟୂର ।

୩୩.

ମୋ ମନ ମୋହର ନୁହଇ–ମୋ ମନ ମୋ ଆୟତ୍ତରେ ନାହିଁ ।

୩୪.

କ୍ଷମା ସାଗର–ଶ୍ରୀକୃଷ୍ଣ, ଲୋକମାତା ଚରଣେ–ଶ୍ରୀରାଧା ଚରଣେ, ଲୋକ–ପାଦତଳେ ସେବକ ।

Image